ହରଭଙ୍ଗା : ପୁଅର ଦୋଷ ପାଇଁ ଦଣ୍ଡ ଭୋଗୁଛନ୍ତି ବୃଦ୍ଧ ବାପାମା’। ୬ ବର୍ଷ ହେଲା ବୌଦ୍ଧ ଜିଲ୍ଲା ହରଭଙ୍ଗା ପଞ୍ଚାୟତ ବୁକେସିଙ୍ଗା ଗ୍ରାମର ସୁଦର୍ଶନ ବାରିକ(୬୮) ଓ ତାଙ୍କ ପତ୍ନୀ ଜିରା ବାରିକଙ୍କ ପରିବାରକୁ ବନବାସ ଜୀବନ ବିତାଇବାକୁ ପଡୁଛି।
ସୁର୍ଦଶନଙ୍କ ବଡ଼ ପୁଅ ବୀରେନ ବାରିକ ୨୦୧୪ ମସିହାରେ କ୍ରିକେଟ ଖେଳକୁ ନେଇ ଯାଦବ ଦେହୁରୀ ନାମକ ଜଣେ ଯୁବକକୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୁଲିସ। ହେଲେ ଏପଟେ ପୁଅର ଦୋଷ ପାଇଁ ପରିବାର ବିରୋଧରେ ଗ୍ରାମରେ ବସିଥିଲା କଙ୍ଗାରୁ କୋର୍ଟ। ଗ୍ରାମ ସଭାପତି ପୁଅର ଏହି ଦୋଷ ପାଇଁ ତାର ପରିବାରବର୍ଗଙ୍କୁ ଗ୍ରାମ ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିଦିନଠାରୁ ୬ ବର୍ଷ ହେବ ଦୟନୀୟ ଭାବେ ବିଭିନ୍ନ ଅଞ୍ଚଳ ବୁଲି ଜୀବନ ଅତିବାହିତ କରୁଛନ୍ତି। ଅନେକ ସମୟରେ ଘରକୁ ଫେରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ଗାଁ ମୁଖିଆଙ୍କ ନାଲିଆଖି ଯୋଗୁଁ ଏହା ସମ୍ଭବ ହୋଇପାରୁନି। ନିଜର ଘରବାଡ଼ି ସବୁଥାଇ ସେମାନେ ଆଜି ଅନାଥ ହୋଇଯାଇଛନ୍ତି।
ଗତ ମାସ ଜାନୁଆରି ୬ ତାରିଖରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନଶୁଣାଣି ଶିବିରରେ ଆଇନଗତ ସୁରକ୍ଷା ଯୋଗାଇ ଦେବାକୁ ସୁର୍ଦଶନ ନିବେଦନ କରିଥିଲେ। ଏହାକୁ ୧୫ଦିନ ଭିତରେ ସମାଧାନ କରାଯିବ ବୋଲି ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ କୌଣସି ପ୍ରତିଶ୍ରୁତି ପୂର୍ଣ୍ଣ ହୋଇନଥିଲା। ଏହାପରେ ଫେବ୍ରୁଆରି ମାସ ୩ ତାରିଖରେ ବୌଦ୍ଧ ଓ ୧୭ ତାରିଖରେ ହରଭଙ୍ଗା ବ୍ଲକ୍ରେ ଆୟୋଜିତ ଜନଶୁଣାଣି ଶିବିରରେ ଅଭିଯୋଗ କରିଥିଲେ ହେଁ ସୁଫଳ ମିଳିନାହିଁ। କେବଳ ସୁର୍ଦଶନଙ୍କ ପରିବାର ନୁହେଁ; ଏହିଭଳି ୬ଟି ପରିବାର ସମାନ ଅବସ୍ଥା ଭୋଗୁଥିବା ଅଭିଯୋଗ ଆସିଛି।