ବୃଦ୍ଧ ଦମ୍ପତିଙ୍କୁ ହତ୍ୟା ଘଟଣା : ସାମ୍‌ନାକୁ ଆସିଲା ସୁଧ କାରବାର

କଟକ : ଏଫ୍‌ସିଆଇର ଅବସରପ୍ରାପ୍ତ ଗ୍ରେଡ-୧ ଅଧିକାରୀ ଶ୍ରୀନାଥ ସାମଲଙ୍କ ହସ୍ତାକ୍ଷର ଥିବା ଯେଉଁ ଡାଏରି ପୁଲିସ ଜବତ କରିଥିଲା, ସେଥିରୁ ୩୦ ପୃଷ୍ଠା ଗାଏବ ହୋଇଯାଇଛି। ଏଥିରେ ସୁଧ କାରବାର ହୋଇଥିବା ଲୋକଙ୍କ ସମ୍ପର୍କରେ ତଥ୍ୟ ରହିଥିଲା। ତେବେ ଶ୍ରୀନାଥ ମାତ୍ର ୫ ହଜାର ଟଙ୍କା ପର୍ଯ୍ୟନ୍ତ ସୁଧ ଦେଉଥିବା ବେଳେ ଏହାକୁ କେନ୍ଦ୍ର କରି ଯେ ହତ୍ୟାକାଣ୍ତ ଘଟିଛି, ଏକଥା ପୁଲିସ ଗ୍ରହଣ କରିପାରୁ ନାହିଁ। ତେବେ କେଉଁ ପରିସ୍ଥିତିରେ ପୃଷ୍ଠାଗୁଡ଼ିକ ଗାଏବ ହୋଇଛି, ସେ ଦିଗକୁ ବି ପୁଲିସ ତଦନ୍ତ ପରିସରକୁ ଆଣିଛି। ବେଲେଶ୍ବରର ଏହି ବୃଦ୍ଧ ଦମ୍ପତିଙ୍କ ହତ୍ୟା ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କ ନିକଟରେ ପୁଲିସ ପହଞ୍ଚିବା ପାଇଁ ଟାଵାର‌୍‌ ଡମ୍ପ୍‌କୁ ଭରସା କରାଯାଉଛି। ଡମ୍ପ୍‌ରୁ ହିଁ ଜଣାପଡ଼ିବ, ଗଲା ୧୨ ତାରିଖ ରାତି ପାଖାପାଖି ୭ଟା ବେଳେ ଶ୍ରୀନାଥଙ୍କ ଘରକୁ କେଉଁ ମୋବାଇଲ୍‌ ବ୍ୟବହାରକାରୀମାନେ ଆସିଥିଲେ। ବେଲେଶ୍ବର ଆଖପାଖରେ ଥିବା ସମସ୍ତ ମୋବାଇଲ୍‌ ସେବା ପ୍ରଦାନକାରୀ ସ˚ସ୍ଥାକୁ ପୁଲିସ ଟାଵାର‌୍‌ ଡମ୍ପ୍‌ ମାଗିଛି। ଡମ୍ପ୍‌ ଆସିବାକୁ ଆହୁରି ଦିନେ ଦୁଇ ଦିନ ଲାଗିଯିବ। ଡମ୍ପ୍‌ ମିଳିବା ପରେ ଏକ ସ୍ପଷ୍ଟ ଚିତ୍ର ପୁଲିସକୁ ମିଳିପାରିବ ବୋଲି କୁହାଯାଉଛି। କଟକରେ ଆଜି ରାଉରକେଲାର ଘରୋଇ ସହାୟିକା ସନ୍ଧ୍ୟାରେ ପହଞ୍ଚିଲା ପରେ ପୁଲିସ ତାକୁ ଶ୍ରୀନାଥଙ୍କ ଘରକୁ ଆଣି ଜେରା ଚଳାଇଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ବୃଦ୍ଧ ଦମ୍ପତିଙ୍କ ହତ୍ୟାକାଣ୍ତରେ ପ୍ରଥମେ ପୁଲିସ ସ୍କାନର‌୍‌ରେ ଭଡ଼ାଟିଆ ଥିଲାବେଳେ ଏବେ ଆହୁରି ଏକାଧିକ ବ୍ୟକ୍ତି ଯୋଡ଼ି ହୋଇଛନ୍ତି। ଶ୍ରୀନାଥଙ୍କ ଯାଜପୁର ମେଦୁଆକୁଳ ଗାଁରେ ସମ୍ପତ୍ତି ୩ ଭାଇଙ୍କ ମଧ୍ୟରେ ଭାଗ ହୋଇଯାଇଛି। ଶ୍ରୀନାଥଙ୍କ ଭାଗରେ ଯେଉଁ ଘର ପଡ଼ିଛି, ସେ ଉକ୍ତ ଘରେ ତାଲା ଦେଇ କଟକ ଘରେ ସ୍ତ୍ରୀଙ୍କ ସହିତ ରହୁଛନ୍ତି। ଶ୍ରୀନାଥ କଟକରେ ରହୁଥିବାରୁ ଗାଁରେ ଥିବା ଘର ଭାଇମାନଙ୍କୁ ଚଳାଚଳ ପାଇଁ ଦେବାକୁ ବିଭିନ୍ନ ସମୟରେ କୁହାଯାଉଥିଲା। କିନ୍ତୁ ଶ୍ରୀନାଥ ଚାବି ନ ଖୋଲିବାରୁ ୨୦୧୮ ମସିହାରେ ଗାଁରେ ପରିବାର ଭିତରେ ଗଣ୍ତଗୋଳ ହୋଇଥିଲା। ତେବେ ଶ୍ରୀନାଥଙ୍କ ଚାରି ଝିଅ ଓ ଗୋଟିଏ ପୁଅ ବାହାରେ ସ୍ତ୍ରୀ ପିଲାଙ୍କ ସହିତ ରହୁଥିବାରୁ ଭବିଷ୍ୟତରେ ଗାଁରେ ରହିବାର କୌଣସି ସମ୍ଭାବନା ନାହିଁ। ତେଣୁ ଶ୍ରୀନାଥ ଓ ବିଦ୍ୟୁଲତାଙ୍କୁ ହତ୍ୟା କରି ଗାଁରେ ଥିବା ଉକ୍ତ ଘର ଭବିଷ୍ୟତରେ ନିଜ ଦଖଲରେ ନେବାକୁ କେହି ଷଡ଼ଯନ୍ତ୍ର ରଚିଥାଇ ପାରନ୍ତି ବୋଲି ପୁଲିସ ଆଶଙ୍କା କରୁଛି। ଅନ୍ୟପଟେ ହତ୍ୟା ପଛରେ ଭଡ଼ାଟିଆ ପରିବାରର କିଛି ଅସାମାଜିକ କାରବାର ହୁଏତ ବୃଦ୍ଧ ଦମ୍ପତି ଦେଖିଥିବାରୁ ଘଟଣା ପ୍ରଘଟ ହେବା ଭୟରେ ସେମାନଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ଉଠିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା, ଗଲା ଦୁଇ ମାସ ହେବ ଶ୍ରୀନାଥଙ୍କ ଘରେ ରହିଥିବା ବ୍ରହ୍ମପୁରର ରାଜମିସ୍ତ୍ରିଙ୍କ ପରିଚୟ ଏବ˚ ଯୋଗାଯୋଗ ନମ୍ବର ତାଙ୍କ ପୁଅ ଓ ଝିଅଙ୍କ ନିକଟରେ ବି ନାହିଁ। ତେଣୁ ପୁଲିସ ଏବେ ପ୍ରଥମେ ଭଡ଼ାଟିଆଙ୍କୁ ଠାବ କରିବାକୁ ଯୋଜନା ଚଳାଇଛି। ଭଡ଼ାଟିଆ ଠାବ ହେଲା ପରେ ତାଙ୍କୁ ନେଇ ଉଠୁଥିବା ବିଭିନ୍ନ ପ୍ରକାର ସନ୍ଦେହ ଦୂର ହୋଇପାରିବ ବୋଲି କୁହାଯାଉଛି।

ଅନ୍ୟପଟେ ବଡ଼ ମେଡିକାଲ୍‌ରେ ଦମ୍ପତିଙ୍କ ବ୍ୟବଚ୍ଛେଦ ରିପୋର୍ଟରେ ଡାକ୍ତର ଏକ ଚାଞ୍ଚଲ୍ୟକର ତଥ୍ୟ ଉଲ୍ଲେଖ କରିଛନ୍ତି। ବିଦ୍ୟୁଲତାଙ୍କ ମୁହଁରେ ଥିବା ଗଭୀର କଟୁରି ଚୋଟରୁ ହତ୍ୟାକାରୀ ଅଧିକ ପ୍ରତିଶୋଧ ପରାୟଣ ହୋଇ ସବୁତକ ରାଗ ବିଦ୍ୟୁଲତାଙ୍କ ଉପରେ ଶୁଝାଇବା ପାଇଁ ମୁହଁ ଓ ମୁଣ୍ତକୁ ବାରମ୍ବାର ହାଣିଥିବା ଆଶଙ୍କା କରାଯାଉଛି। ଅନ୍ୟପଟେ ପୁଲିସ ଘଟଣାକୁ ନେଇ ଆଜି ଏକ କାଳ୍ପନିକ ଚିତ୍ର ଆଙ୍କିଛି। ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, କେହି ପରିଚିତ ଲୋକ ଶ୍ରୀନାଥ ସାମଲଙ୍କ ଘରକୁ ସେଦିନ ରାତିରେ ଆସିବା ପରେ ସେ ବାହାର ଗେଟ୍‌ ଖୋଲିଥିଲେ। ପ୍ରତ୍ୟେକ ଦିନ ୬ଟା ୩୦ରୁ ୭ଟା ଭିତରେ ଏହି ଦମ୍ପତି ମ୍ୟାଗି ଖାଉଥିବାରୁ ସେଦିନ ହତ୍ୟାକାରୀ ସେହି ସମୟ ଭିତରେ ପହଞ୍ଚିଛନ୍ତି। ରୋଷେଇ ଘରେ ମ୍ୟାଗି ପଡ଼ିଥିବାରୁ ଏଭଳି ଆଶଙ୍କା କରାଯାଉଛି। ହତ୍ୟାକାରୀଙ୍କ ସହିତ ବେଡ୍‌ରୁମ୍‌ ସୋଫାରେ ଶ୍ରୀନାଥ ବସିଥିବା ବେଳେ ଏହି ସମୟରେ ବିଦ୍ୟୁଲତା ରୋଷେଇ ଘରକୁ ସେମାନଙ୍କ ପାଇଁ ଚା କରିବାକୁ ଯାଇଥାଇ ପାରନ୍ତି। ଏପଟେ ବେଡରୁମ୍‌ ଭିତରେ ଦୁର୍ବୃତ୍ତମାନେ ଅତର୍କିତ ଭାବେ ଶ୍ରୀନାଥଙ୍କୁ ଆକ୍ରମଣ କରିଛନ୍ତି। ତାଙ୍କ ଚିତ୍କାର ଶୁଣି ରୋଷେଇ ଘରେ ଚା କରୁଥିବା ବିଦ୍ୟୁଲତା ପନିକି ଧରି ବେଡରୁମ୍‌କୁ ଦୌଡ଼ି ଆସିଥାଇ ପାରନ୍ତି। ସ୍ବାମୀଙ୍କୁ ବଞ୍ଚାଇକୁ ପନିକି ଧରି ଆକ୍ରମଣ ଉଦ୍ୟମ କଲା ବେଳେ ଦୁର୍ବୃତ୍ତଙ୍କ ଆକ୍ରମଣରେ ବିଦ୍ୟୁଲତା ତଳେ ପଡ଼ିଯାଇଛନ୍ତି। ତା’ ପରେ ତାଙ୍କ ମୁହଁକୁ କଟୁରୀରେ ହଣାଯାଇଥିବା ପୁଲିସ ଆଶଙ୍କା କରୁଛି। ଶ୍ରୀନାଥଙ୍କ ଘରେ କାମ କରୁଥିବା ରାଉରକେଲା ବନ୍ଧମୁଣ୍ତାର ଘରୋଇ ସହାୟିତା ସନ୍ଧ୍ୟା ନିକଟରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଥିବା ‘ସମ୍ବାଦ’ରେ ଆଜି ଏକ ରିପୋର୍ଟ ପ୍ରକାଶ ପାଇଥିଲା। ପୁଲିସ ଖବରକୁ ଗୁରୁତ୍ବର ସହିତ ନେଇ ସନ୍ଧ୍ୟାକୁ ନିଜ ହେପାଜତକୁ ଆଣିଛି। ଗଲା ୧ ତାରିଖରୁ ବନ୍ଧମୁଣ୍ତା ଯାଇଥିବା ସନ୍ଧ୍ୟା ଆଜି ଫେରିବା ପରେ ପୁଲିସ ତାକୁ ଶ୍ରୀନାଥଙ୍କ ଘର ବୁଲାଇବା ସହିତ ଘର ବାହାରେ ପଡ଼ିଥିବା ସନ୍ଦିଗ୍ଧ ମହିଳାଙ୍କ ଚପଲ ଦେଖାଇଥିଲା। ଚପଲ ଓ ଭଡ଼ାଟିଆଙ୍କ ସମ୍ପର୍କରେ ପୁଲିସ ସନ୍ଧ୍ୟାକୁ ପଚରାଉଚରା କରିଥିଲା।

ସମ୍ବନ୍ଧିତ ଖବର