କଟକରେ ଚାଞ୍ଚଲ୍ୟ : ବୃଦ୍ଧ ଦମ୍ପତିଙ୍କୁ ନିର୍ମମ ହତ୍ୟା

ଲୁଟ୍ ଉଦ୍ଦେଶ୍ୟରେ ହତ୍ୟା ସନ୍ଦେହ

କଟକ-ମହାନଦୀବିହାର : ଗୁରୁବାର ରାତିରେ କଟକ ମଧୁପାଟଣା ଥାନା ଅନ୍ତର୍ଗତ ବେଲେଶ୍ବରରେ ଘଟିଛି ଚାଞ୍ଚଲ୍ୟକର ଡବଲ ମର୍ଡର। ବିଳମ୍ବିତ ରାତିରେ ଏକ ଘର ଭିତରେ ବୃଦ୍ଧ ଦମ୍ପତିଙ୍କ ରକ୍ତ ଜୁଡ଼ୁବୁଡୁ ଶରୀର ଠାବ କରାଯାଇଛି। ଉଭୟଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ଚିହ୍ନ ରହିଛି। ପାଖରେ ପନିକି ଓ କଟୁରି ପଡ଼ିଥିବା ବେଳେ ଘର ଭିତରେ ଆଲମିରା ଖୋଲା ରହିଛି ଏବଂ ବିଭିନ୍ନ ସାମଗ୍ରୀ ବିକ୍ଷିପ୍ତ ଭାବେ ପଡ଼ି ରହିଛି। ଲୁଟପାଟ ଉଦ୍ଦେଶ୍ୟରେ ଏଭଳି ହତ୍ୟା ଘଟିଥିବା ପ୍ରାଥମିକ ତଦନ୍ତରୁ ସନ୍ଦେହ କରାଯାଉଛି। ଏଭଳି ଅଭାବନୀୟ ଘଟଣା ସାରା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସୂଚନା ଅନୁଯାୟୀ ମୃତ ବୃଦ୍ଧ ଦମ୍ପତି ହେଉଛନ୍ତି ଶ୍ରୀନାଥ ସାମଲ ଓ ତାଙ୍କ ପତ୍ନୀ ବିଦ୍ୟୁଲତା ସାମଲ। ଶ୍ରୀନାଥ ଏଫ୍‌ସିଆଇରେ ଗ୍ରେଡ-୧ ଅଧିକାରୀ ଥିବା ବେଳେ ୨୦୦୭, ଜାନୁଆରିରେ ଚାକିରିରୁ ଅବସର ନେଇଥିଲେ। ତାଙ୍କର ୫ ଝିଅ ଓ ଗୋଟିଏ ପୁଅ। କିନ୍ତୁ ସେମାନେ ସବୁ ନିଜନିଜ ପରିବାର ସହ ରାଜ୍ୟ ବାହାରେ ରହୁଛନ୍ତି। ବୃଦ୍ଧ ଦମ୍ପତିଙ୍କ ନିକଟରେ ତାଙ୍କର ପୁତୁରା ସୌମେନ୍ଦ୍ର ସାମଲ ରହୁଥିଲେ। ସେ କିନ୍ତୁ ଆଜି ଘରେ ନଥିଲେ। ଅନ୍ୟପଟେ ଶ୍ରୀନାଥଙ୍କ ଘରେ ବ୍ରହ୍ମପୁର ଅଞ୍ଚଳର ଜଣେ ବ୍ୟକ୍ତି ଭଡ଼ା ନେଇ ରହୁଥିବା ବେଳେ ସେ ଗତ ଦଶ ଦିନ ପୂର୍ବରୁ ଘର ଖାଲି କରି ଚାଲି ଯାଇଛନ୍ତି। ପଡ଼ୋଶୀ କହିବା ଅନୁଯାୟୀ ପ୍ରତିଦିନ ବୃଦ୍ଧ ଦମ୍ପତି ରାତି ୮ଟା ସୁଦ୍ଧା ରାତ୍ରିଭୋଜନ କରି ଶୋଇ ଯାଆନ୍ତି। ଆଜି ବି କେହି କିଛି ଅସ୍ବାଭାବିକ ଘଟଣା ଅଥବା ଚିତ୍କାର କେହି ଶୁଣି ନାହାନ୍ତି। କିନ୍ତୁ ଯେଉଁଭଳି ଜଘନ୍ୟ ଭାବେ ଦୁଇ ଜଣଙ୍କୁ ହତ୍ୟା କରାଯାଇଛି, ତାହା ଲୁଟ ଉଦ୍ଦେଶ୍ୟରେ ଯୋଜନାବଦ୍ଧ ହତ୍ୟାକାଣ୍ଡ ଏବଂ ଏଥିରେ ପରିଚିତ ଲୋକଙ୍କ ହାତଥିବା ସନ୍ଦେହ କରାଯାଉଛି।

ଆଜି ସଂଧ୍ୟାରେ ଦମ୍ପତିଙ୍କ ଝିଅ ତାଙ୍କ ସହିତ କଥା ହୋଇଥିଲେ। କିନ୍ତୁ ପୁଣି ରାତି ପାଖାପାଖି ୯ଟା ସମୟରେ ଫୋନ କରିବାରୁ ସେମାନେ ଆଉ ଫୋନ ଉଠାଇ ନଥିଲେ। ବାରମ୍ବାର ଫୋନ କରିବା ପରେ ବି ସେମାନେ ଫୋନ ନ ଉଠାଇବାରୁ ସେ ପଡ଼ୋଶୀ ଲୋକଙ୍କୁ ଫୋନ କରିଥିଲେ। ଜଣେ ପଡ଼ୋଶୀ ଆସି ଦେଖିବା ବେଳକୁ ଘରର କବାଟ ଖୋଲା ଥିଲା। ଘରର ଦ୍ବିତୀୟ ରୁମରେ ଦମ୍ପତିଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପଡ଼ି ରହିଥିଲା। ଭିତରକୁ ଯାଇ ଏଭଳି ସ୍ଥିତି ଦେଖି ସେ ‌ଫୋନ୍‌ରେ ତାଙ୍କ ଝିଅ ଓ ଅନ୍ୟ ପ‌ଡ଼ୋଶୀଙ୍କୁ ଖବର ଦେଇଥିଲେ। ବୃଦ୍ଧ ଦମ୍ପତି ପ୍ରାୟତଃ ଏକୁଟିଆ ରହୁଥିବାରୁ ସେମାନେ ବେଶ ସତର୍କ ରୁହନ୍ତି। ପରିଚିତ ଲୋକ ବୋଲି ନିଶ୍ଚିତ ନହେଲେ ଗେଟ୍ ଖୋଲନ୍ତି ନାହିଁ। ତେଣୁ ପରିଚିତ ଲୋକଙ୍କ ଡାକରେ ଗେଟ୍‌ ଖୋଲି ବୃଦ୍ଧ ଦମ୍ପତି ଏଭଳି ଦଶା ଭୋଗିଥିବା କୁହାଯାଉଛି। କଟକ ଡିସିପି ଅଖିଳେଶ୍ବର ସିଂହ ଓ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛନ୍ତି। ମୃତଦେହ ପଡ଼ି ରହିଥିବା ଘରକୁ ସିଲ୍ କରି ଦିଆଯାଇଛି। ମୃତ ଦମ୍ପତିଙ୍କ ପରିବାର ଲୋକ ଆସନ୍ତାକାଲି ପହଞ୍ଚିବା ପରେ ଘଟଣା ସଂପର୍କରେ ଅଧିକ ସ୍ପଷ୍ଟ ଚିତ୍ର ମିଳିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର