ଜୟପୁର : ଦିନ ଦ୍ୱିପ୍ରହର ହେବ। ଉଦୁଉଦୁଆ ଖରାରେ ବୟସର ଅପରାହ୍ନରେ ନଇଁ ପଡିଥିବା କାନ୍ଧରେ ବୋହିଥିଲେ ପତ୍ନୀଙ୍କୁ। ଆଖିରେ ଆଖିଏ ଲୁହ, ଛାତିରେ ବାର୍ଧକ୍ୟର କୋହ। ଯେଉଁ ବୟସରେ ଅବସର ନେଇ ନାତି ନାତୁଣୀଙ୍କୁ ଖେଳାଇବା କଥା ସେହି ବୟସରେ କଷ୍ଟ ସ୍ୱୀକାର କରି ପତ୍ନୀଙ୍କୁ ଧରି ଥାନାରେ ପହଞ୍ଚିଲେ ଗୁହାରି କରିବାକୁ। ତାହା ପୁଣି ନିଜ ଜନ୍ମ କଲା ପୁଅ ବିରୋଧରେ। କେତେ ଦୁଃଖ କଷ୍ଟ ସହି ପିଲାକୁ ମଣିଷ କରିଥିଲେ। କିନ୍ତୁ ସଂପର୍କ ଓ ସଂସ୍କାର ଭୁଲି ସେହି ପୁଅ ହାତ ଉଠାଇ ମାରିଲା। ବୃଦ୍ଧଙ୍କ କେବଳ ଏତିକି ଭୁଲ ଥିଲା ନିଜ ଘର ବାରିପଟେ ଥିବା ଗୋଟିଏ ବାଉଁଶ କାଟିଦେଲେ ବୋଲି। ପୁଅର ଟାଣ କଥା ଓ ତିରସ୍କାର ବୃଦ୍ଧ ବାପାକୁ ଏତେ କଷ୍ଟ ଦେଲା ଯେ ଥାନାର ଦ୍ୱାରସ୍ଥ ହେଲା। ବୟସର ଅପରାହ୍ନରେ ଆତ୍ମାକୁ ଏତେ ବାଧିଲା ଯେ ଆଜି ପତ୍ନୀ ଲଛମା ହଳ (୬୫)ଙ୍କୁ ଧରି ସୋନୁ ହଳ (୭୨) ଥାନାରେ ଅଭିଯୋଗ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଦିନେ ନୁହେଁ କି ଅଧେ ନୁହେଁ ଦୀର୍ଘ ବର୍ଷ ହେବ ପୁଅ ସୁକ୍ରୁ ଠାରୁ ଅଲଗା ରହୁଛନ୍ତି ସୋନୁ ହଳ। ପୁଅର ବଡ ପରିବାର ହୋଇଥିବାରୁ ବେଳେବେଳେ ଏହି ଦୁହିଁକୁ ଖାଇବାକୁ ମିଳେନି। ପୁଅକୁ ୫୦ସେଣ୍ଟ ଜାଗା ଦେଇ ବୃଦ୍ଧ ଦମ୍ପତି ୨୫ ସେଣ୍ଟ ଜାଗାରେ ରହୁଛନ୍ତି। ଦୁଃଖକଷ୍ଟରେ ପରସ୍ପରର ସାହାରା ପାଲଟିଛନ୍ତି। ତେବେ ଗତକାଲି ଏକ ବାଉଁଶ କଟାକୁ ନେଇ ପୁଅ ସୁକ୍ରୁ ବାପା ସୋନୁଙ୍କୁ ଗାଳି ଗୁଲଜ କରିଥିଲା। ଏପରିକି ହାତ ଉଠାଇ ପିଟିଥିବା ବି ଅଭିଯୋଗ ହୋଇଛି। ଗତକାଲି ସନ୍ଧ୍ୟାରେ ଥାନାରେ ପହଞ୍ଚିଥିବା ସୋନୁ ଥାନା ଅଧିକାରୀଙ୍କୁ ଭେଟିପାରି ନଥିଲେ। ତେଣୁ ପୁଅ ବିରୋଧରେ ଅଭିଯୋଗ କରିପାରି ନଥିଲେ। ଆଜି ମଧ୍ୟାହ୍ନରେ ପୁଣି ପତ୍ନୀ ଲଛମାଙ୍କୁ ଧରି ଥାନାରେ ପହଞ୍ଚିଥିଲେ। ପୁଅ ଦେଉଥିବା ନିର୍ଯାତନା ସଂପର୍କରେ ଗୋଟି ଗୋଟି କରି କହିଥିଲେ। ପୁଲିସ ସବୁ ଶୁଣିବା ପରେ ଆପୋଷ ବୁଝାମଣା ମାଧ୍ୟମରେ ଘଟଣାର ସମାଧାନ ପାଇଁ ପ୍ରୟାସ କରୁଥିଲା। ବୁଝାସୁଝା ପରେ ବୃଦ୍ଧ ଜଣକ ଘରକୁ ଯାଇଥିବା ସୂଚନା ମିଳିଛି।