ଭଞ୍ଜନଗର: ଦିନେ ପ୍ରତିଷ୍ଠିତ ବ୍ୟବସାୟୀ ଥିଲେ। କିନ୍ତୁ ଆଜି ନିଜେ ବଞ୍ଚିବାକୁ ସଂଘର୍ଷ କରୁଛନ୍ତି। ସାରାଜୀବନ ଶ୍ରମଦାନ କରି ଯାହାବି କିଛି ଅର୍ଜନ କରିଥିଲେ, ଏହାକୁ ଜନ୍ମିତ ୩ ପୁଅଙ୍କ ମଧ୍ୟରେ ବାଣ୍ଟିଦେଲେ। ଆଉ ସେହି ପୁଅମାନେ ବୟସର ସାୟାହ୍ନରେ ବୃଦ୍ଧ ବାପାମାଆଙ୍କ ସେବା କରିବା ବଦଳରେ ସେମାନଙ୍କୁ ହତାଦର କରୁଛନ୍ତି। ଫଳରେ ନ୍ୟାୟ ପାଇଁ ଦମ୍ପତି ବର୍ତ୍ତମାନ ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି। ଭଞ୍ଜନଗର ସହରର ବ୍ୟବସାୟୀ ପି.ରାମାରାଓ ଏବଂ ପତ୍ନୀ ବିଜୟା କୁମାରୀ ପାତ୍ର ଆଜି ଏଭଳି ଅଭିଯୋଗ ଆଣି ଆଜି ଅଭିଯୋଗ ଶୁଣାଣି ବେଳେ ଜିଲ୍ଲାପାଳ ଓ ଏସ୍.ପି.ଙ୍କ ଦ୍ବାରସ୍ଥ ହୋଇଛନ୍ତି।
ସହରର ମୁଖ୍ୟସଡ଼କରେ ଶ୍ରୀ ରାଓ ସାଇକେଲ୍ ଦୋକାନ କରି ବ୍ୟବସାୟ ଆରମ୍ଭ କରିଥିଲେ। ଭଲ ବ୍ୟବସାୟ ଯୋଗୁଁ ସହରରେ ସେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଭାବେ ପରିଚୟ ସୃଷ୍ଟି କରିପାରିଥିଲେ। ଏହାସହ ଭଲ ଧନସମ୍ପତ୍ତି ଅର୍ଜନ କରିଥିଲେ। କିନ୍ତୁ ସମୟଚକ୍ରରେ ସବୁ କିଛି ବଦଳିଯାଇଥିଲା। ୩ ପୁଅ ବଡ଼ ହେବା ପରେ ସମ୍ପତ୍ତି ଭାଗବଣ୍ଟା ପାଇଁ ଦାବି କରିଥିଲେ। ଏହାପରେ ସେ ତାଙ୍କର ସମସ୍ତ ସମ୍ପତ୍ତି ପୁଅମାନଙ୍କ ମଧ୍ୟରେ ବାଣ୍ଟି ଦେଇଥିଲେ।
ତେବେ ପିଲାମାନେ ବର୍ତ୍ତମାନ ବାପାମାଆଙ୍କଠୁ ଅଲଗା ହୋଇ ବିଳାସପୂର୍ଣ୍ଣ ଜୀବନ କାଟୁଥିବା ବେଳେ ସେମାନଙ୍କୁ ଭଲଭାବେ ଦିମୁଠା ଖାଇବାକୁ ଦେଉନାହାନ୍ତି। ଏପରିକି ମାଡ଼ ମାରୁଥିବା ଶ୍ରୀ ରାଓ ଅଭିଯୋଗ କରିଛନ୍ତି। ଶେଷରେ ହୋଟେଲ୍ରେ ଖାଇ ଦୁଃଖକଷ୍ଟରେ ଜୀବନ ଅତିବାହିତ କରୁଥିବା ଜିଲ୍ଲାପାଳ ଓ ଏସ୍.ପି.ଙ୍କୁ କହିଛନ୍ତି। ବଡ଼ପୁଅ ମୁଣ୍ଡ ଗୁଞ୍ଜିବାକୁ ସେମାନଙ୍କୁ ଆଶ୍ରା ଦେଇଛି। ଏହାପରେ ଏସ୍.ପି. ଏହି ଘଟଣାର ସତ୍ୟତା ନେଇ ତଦନ୍ତ କରିବା ପାଇଁ ଏସ୍ଡିପିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।