ଜୟପୁର: ଆବେଦନ କରି ବାରମ୍ବାର ପୌରପାଳିକାକୁ ଦୌଡି ନୟାନ୍ତ ହେବା ପରେ ବି ବହୁ ଯୋଗ୍ୟ ହିତାଧିକାରୀ ଭତ୍ତା ପାଉନାହାନ୍ତି। ଏହାରି ମଧ୍ୟରେ ବହୁ ହିତାଧିକାରୀ ଭତ୍ତା ପାଇଁ ଅପେକ୍ଷା କରି କରି ଆରପାରିକୁ ବି ଚାଳି ଯାଇଛନ୍ତି। ବୟସର ସାୟାହ୍ନରେ ଭତ୍ତା ପାଇଁ ଅପେକ୍ଷା କରି ରହିଛନ୍ତି ବୃଦ୍ଧ ଜିସଦାସ୍ ନାଗ, ରଘୁନାଥ ବାଘ ଓ ବିଧବା ଜେମା ବାଘ।
Sambad is now on WhatsApp
Join and get latest news updates delivered to you via WhatsApp
ହାନାଗୁଡାର ଜିସଦାସ୍ ନାଗ (୬୨)ଦିନ ଥିଲା ଗାଡି ଚାଳକ ଭାବେ ନିଜ ପରିବାର ପ୍ରତିପୋଷଣ କରି ଆସୁଥିଲେ। ତେବେ ବୟସର ଅପରାହ୍ନରେ ତଥା ତାଙ୍କ ପତ୍ନୀଙ୍କ ମୃତ୍ୟୁ ପରେ ସେ ଏକା ହୋଇଯାଇଛନ୍ତି। ବଂଚିବା ପାଇଁ ସଂଘର୍ଷ କରିବା ସହ ମାଛ ଖୁଚୁରା ବେପାରୀଙ୍କ ନିକଟରେ କାମ କରୁଛନ୍ତି। ସେମାନେ ଯାହା କିଛି ମୂଲ ଦେଉଛନ୍ତି ସେଥିକିରେ ସେ ବଂଚୁଛନ୍ତି। କାଠ ଡକୁର ଖଣ୍ଡ ଗୁଡିକୁ ଆଣି ଘରର କାନ୍ଥ କରି ରହୁଛନ୍ତି। ହାନାଗୁଡାର ରଘୁନାଥ ବାଘ (୬୭) ଦୈନିକ ବଜାରରେ ଦିନ ମଜୁରିଆ ଭାବେ ଏବେ ବି କାମ କରି ଚଳୁଛନ୍ତି। ଘରେ ପକ୍ଷଘାତରେ ଆକ୍ରାନ୍ତ ସ୍ତ୍ରୀର ସେବାଶ୍ରୁଶୁଶା ଏବଂ ଔଷଧରେ ସେ କାମ କରି ପାଉଥିବା ମଜୁରୀ ଟଙ୍କା ଚାଳିଯାଉଛି। ବୟସ ଦିନକୁ ଦିନ ଗଢ଼ି ଯାଇଥିବାରୁ ଏବେ ସେ ପୂର୍ବ ପରି ସବୁ ଦିନ କାମ କରି ପାରୁନାହାନ୍ତି। ସ୍ତ୍ରୀଙ୍କ ଚିକିତ୍ସା ଏବଂ ଔଷଧ ପାଇଁ ଟଙ୍କା ସବୁ ସରିଯିବା ପରେ ଭୋକ ଉପବାସରେ ଦିନ ଚଳୁଛି। ଜିସଦାସ୍ ଓରଘୁନାଥ ୩ବର୍ଷ ହେବ ପୌରପାଳିକାରେ ଆବେଦନପତ୍ର ଦାଖଲ କରି ବାରମ୍ବାର ଦୌଡିବା ପରେ ଏହା ନ ମିଳିବା ପରେ ପ୍ରଶାସନ ଉପରେ ଆଶା ଓ ବିଶ୍ବାସ ତୁଟାଇ ଦେଇଛନ୍ତି।
ବିଜୁ ରାଜନଗରରେ ରହୁଥିବା ଜେମା ବାଘଙ୍କ ସ୍ବାମୀ ଦେବ ବାଘ ଗତ ୩ବର୍ଷ ତଳେ ଆରପାରିକୁ ଚାଳି ଯାଇଥିଲେ। ତା ପର ଠାରୁ ତାଙ୍କର ଦୁଃଖର ପାହାଡ଼ ଆରମ୍ଭ ହୋଇଥିଲା। ସ୍ବାମୀଙ୍କ ମୃତ୍ୟ ପରେ ସେ ଜାତୀୟ ପରିବାର ମଙ୍ଗଳ ଯୋଜନାରୁ ୨୦ହଜାର ଟଙ୍କା ଦେବା ପାଇଁ ଆବେଦନ କରିଥିଲେ। ତିନି ବର୍ଷ ପରେ ବି ଏହା ମିଳିନାହିଁ। ଏହା ସହ ସେ ବିଧବାଭତ୍ତା ପାଇଁ ଆବେଦନ କରିଥିଲେ ତାହା ବି ମିଳିନି। କିଛି ଘରେ ବାସନକୁସନ୍ ମାଝି ନିଜେ ବହୁ କଷ୍ଟରେ ଚଳି ଆସୁଛନ୍ତି ଜେମା।
ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶରେ ସାମାଜିକ ସୁରକ୍ଷା ଓ କଲ୍ୟାଣ ଯୋଜନାରେ ଏଭଳି ଯୋଗ୍ୟ ହିତାଧିକାରୀ ମାନେ ଆବେଦନ କରିବା ମାତ୍ରକେ ଭତ୍ତା ୨ହଜାରରୁ ଉର୍ଦ୍ଧ୍ବ ଟଙ୍କା ଦେଉଛନ୍ତି। ଆବେଦନ କରିବାର ବହୁ ବର୍ଷ ପରେ ବି ମାତ୍ର ୫୦୦ ଟଙ୍କା ଓଡିଶାରେ ନ ମିଳିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା ବୋଲି କହିଛନ୍ତି ସମାଜସେବୀ କାହ୍ନୁ ହରିଜନ, ମାନବାଧିକାର କର୍ମୀ ଅନୁପ ପାତ୍ର, ସତୀଶ ନନ୍ଦ, କାଳୀଚରଣ ଦେବଶର୍ମା।