ବାଂଶପାଳ: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ଭୂୟାଁ ଜୁଆଙ୍ଗ ପିଢ଼(ବିଜେପି) ରେଞ୍ଜ କୁଶକଳା ଗ୍ରାମରେ ବିଳମ୍ବିତ ରାତିରେ ଚାଷଜମିରେ ଧାନ ଫସଲ ଜଗିଥିବା ବେଳେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କୁଶକଳା ଗ୍ରାମର ମହେଶ୍ୱର ମହାନ୍ତ (୬୮)। ହାତୀପଲକୁ ଅନ୍ୟତ୍ର ଘଉଡ଼ାଇବା ଓ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଆଜି ଗ୍ରାମବାସୀ ଟାୟାର ଜାଳି ଶୁଆକାଟି-ଦବୁନା ରାସ୍ତା ଅବରୋଧ କରିଛନ୍ତି।
ବିଜେପି ରେଞ୍ଜରେ ୩୨ ଟିକିଆ ହାତୀପଲ ବୁଲୁଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। କୁଶକଳା, ଅଡାଳ, କଲଣ୍ଡା ଅଞ୍ଚଳରେ ହାତୀପଲ ବ୍ୟାପକ କ୍ଷୟକ୍ଷତି କରୁଛନ୍ତି। ହାତୀ କବଳରୁ ଧାନ ଫସଲକୁ ରକ୍ଷା କରିବାପାଇଁ ଲୋକେ ରାତିରେ ଚାଷଜମି ନିକଟରେ ମଞ୍ଚା କରି ଜଗୁଛନ୍ତି। ଗତକାଲି ବିଳମ୍ବିତ ରାତିରେ କୁଶକଳା ଗ୍ରାମର ମହେଶ୍ୱର ମହାନ୍ତ ମଞ୍ଚାରେ ଥିବାବେଳେ ହାତୀପଲରୁ ଏକ ମାଈହାତୀ ବାହାରି ତାଙ୍କ ଧାନ ବିଲରେ ପଶି ଯାଇଥିଲା। ହାତୀଟି ଫସଲ ନଷ୍ଟ କରୁଥିବା ଦେଖି ସେ ମଞ୍ଚାରୁ ତଳକୁ ଓହ୍ଲାଇ ଘଉଡ଼ାଇଥିଲେ। ଏହି ସମୟରେ ହାତୀଟି ମହେଶ୍ବରଙ୍କୁ ପାଦରେ ଦଳି ଦେଇଥିଲା।
ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ବନ ବିଭାଗ କର୍ମଚାରୀ ମୃତକଙ୍କ ପରିବାର ଓ ଗ୍ରାମବାସୀଙ୍କୁ କିଛି ନଜଣାଇ ମୃତଦେହ ନେଇ ପଳାଇଥିବା ଅଭିଯୋଗ ହୋଇଥିଲା। ସକାଳେ କୁଶକଳା ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ଶୁଆକାଟି-ଦବୁନା ମୁଖ୍ୟରାସ୍ତାକୁ ଟାୟାର ଜାଳି ଅବରୋଧ କରିଥିଲେ। ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟାରେ ଗାଡ଼ିମୋଟର ଅଟକି ରହିଥିଲା। ନୟାକୋଟ ଥାନା ଆଇଆଇସି ରବିଶଙ୍କର ବୈଶା, ପୁଲିସ ଟିମ୍ ଓ ବନ ବିଭାଗ କର୍ମଚାରୀ ପହଞ୍ଚି ବୁଝାସୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା।
ଏସ୍ଡିପିଓ ମହେନ୍ଦ୍ରନାଥ ମୁର୍ମୁ, ତହସିଲଦାର କୌସିକ ପଟ୍ଟନାୟକ, ରେଞ୍ଜର ନୟନକାନ୍ତ ସାହୁ, ଜିଲ୍ଲାପରିଷଦ ସଭ୍ୟ ଶାନ୍ତିଲତା ରଣା ପ୍ରମୁଖ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ଡିଏଫ୍ଓ ଏଚ୍ଡି ଧନରାଜଙ୍କ ସହ ଅଧିକାରୀମାନେ ଆଲୋଚନା କରିଥିଲେ। ପ୍ରଶାସନ ପକ୍ଷରୁ ମୃତକଙ୍କ ପରିବାରକୁ ୬ ଲକ୍ଷ ଟଙ୍କା କ୍ଷତି ପୂରଣ ପ୍ରଦାନ, ରେଡକ୍ରସ୍ରୁ ୩୦ ହଜାର ଟଙ୍କା ପ୍ରଦାନ କରାଯିବା ସହ ପରିବାରର ଜଣକୁ ହାତୀ ସ୍କ୍ୱାଡ୍ରେ ନିୟୋଜିତ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ରାସ୍ତା ଅବରୋଧ ହଟିଥିଲା।