ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ

ଠାକୁରମୁଣ୍ଡା : ଗୁଣିଗାରେଡ଼ି ସନ୍ଦେହରେ ଠାକୁରମୁଣ୍ଡା ଥାନା ଅଞ୍ଚଳରେ ବୁଧବାର ଦିନ ଘଟିଛି ଏକ ନୃଶଂସ ହତ୍ୟାକାଣ୍ଡ। ଗ୍ରାମର ଜଣେ ବୃଦ୍ଧଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ଠାକୁରମୁଣ୍ଡା ଥାନାରେ ଆତ୍ମସମର୍ପଣ କରିଛି।

ସୂଚନା ଅନୁସାରେ, ହତ୍ୟାକାରୀ ଯୁବକ କାଣ୍ଡେ ଜାମୁଦା (୨୩)ଙ୍କ ବାପାମା’ ଜ୍ୱରରେ ପୀଡ଼ିତ ଥିଲେ। ଜ୍ବର ଛାଡୁ ନଥିବାରୁ ଗ୍ରାମର ଶମ୍ଭୁ ଲୋହାର ସେମାନଙ୍କୁ ଗୁଣି କରିଥିବା ସେ ସନ୍ଦେହ କରିଥିଲା। ଶମ୍ଭୁ ଲୋହାର(୫୮) ଗାଁରେ ଏକ ଶାଳ ବସାଇ ଲୁହା ସରଞ୍ଜାମ ଧାର କରିଥାଏ। ଆଜି ସକାଳେ କାଣ୍ଡେ ଏକ କୁରାଢ଼ୀ ଧରି ଶମ୍ଭୁ ଲୋହାରଙ୍କ ଘରେ ପହଞ୍ଚିଥିଲା। ସେତେବେଳ ଶମ୍ଭୁ ଏକ ଦଉଡ଼ିଆ ଖଟରେ ବସି ମୁଢ଼ି ଖାଉଥିଲେ। ଶମ୍ଭୁ ଭାବିଲେ କାଣ୍ଡେ ବୋଧହୁଏ କୁରାଢ଼ୀ ଧାର କରିବାକୁ ଆସିଛି ତେଣୁ ସେ ତାକୁ ବସିବାକୁ କହିଥିଲେ। ହେଲେ କାଣ୍ଡେ ପୂର୍ବ ପ୍ରସ୍ତୁତି ପ୍ରକାରେ ଶମ୍ଭୁଙ୍କ ବେକକୁ କୁରାଢ଼ୀରେ ଚୋଟ ପକାଇଥିଲା। ସେହି ଖଟ ଉପରେ ହିଁ ଶମ୍ଭୁ ଟଳି ପଡ଼ିଥିଲେ। ହତ୍ୟାକାଣ୍ଡ ଘଟାଇ କାଣ୍ଡେ ସେଠାରୁ ସିଧା ଠାକୁରମୁଣ୍ଡା ଥାନାରେ ଆସି ଆତ୍ମସମର୍ପଣ କରିଥିଲା।

ସେପଟେ ଥାନାଧିକାରିଣୀ ପ୍ରେମଦା ନାୟକଙ୍କ ନେତୃତ୍ୱରେ ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ଡାକ୍ତରଖାନା ପଠାଇଛନ୍ତି। ପରେ ବାରିପଦାରୁ ସାଇଣ୍ଟିଫିକ ଟିମ୍‌ ପହଞ୍ଚି ତଦନ୍ତ ଚଳାଇଛି। ପୁଲିସ ୩୭/୨୨ରେ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ କାଣ୍ଡେକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର