ପୁରୀ: ‘ପୁଅରେ ତୁ କୋଉଠି ଅଛୁ’? ତୋ ବିନା ଜମା ଭଲ ଲାଗୁନି। ତୋ ବୁଢ଼ୀ ମା’ ଆଖିରୁ ତିନି ଦିନ ହେଲା ଲୁହ ଶୁଖୁନି। ତୋ ବିନା ଆମ ଚୁଲି ଜଳୁନି। ଯେଉଁଠି ଅଛୁ ଫେରିଆ…। ଆସନ୍ନ ବାତ୍ୟା ଯୋଗୁ ସତର୍କତା ଜାରି ହୋଇଥିବା ବେଳେ ପୁଅକୁ ଖୋଜିଖୋଜି ଜଗତପୁରରୁ ଆସି ପୁରୀରେ ପହଞ୍ଚି ଏଭଳି କରୁଣ ନିବେଦନ ବାଢ଼ିଛନ୍ତି ବୁଢ଼ା ବାପା ପ୍ରଫୁଲ୍ଲ କୁମାର ତ୍ରିପାଠୀ। 

Advertisment

ପ୍ରଫୁଲ୍ଲଙ୍କ କହିବା ମୁତାବକ, ତାଙ୍କ ପୁଅ ଲୋକନାଥ ତ୍ରିପାଠୀ (୧୮), ଜଗତପୁରରେ ଏକ ସୋ’ ରୁମରେ କାମ କରୁଥିଲେ। କିଛିଦିନ ତଳେ ସେ ନିଜେ ଏକ ମୋମୋ ଦୋକାନ କରିବାକୁ ଜିଦ୍‌ କରିଥିଲେ। ବାପା ପ୍ରଫୁଲ୍ଲ ଏଥିରେ ସମ୍ମତି ପ୍ରକାଶ ନ କରିବାରୁ ଲୋକନାଥ ବିଗିଡ଼ି ଯାଇଥିଲେ। କିଛି ସମୟ ଯୁକ୍ତିତର୍କ ପରେ ରାଗ ତମତମ ହୋଇ ବ୍ୟାଗରେ ପୋଷାକ ଧରି ଘରୁ ବାହାରି ଯାଇଥିଲେ। ଗତ ରବିବାରଠାରୁ ସେ ଘର ଛାଡ଼ି ଚାଲି ଆସିଥିଲେ। ସେଦିନ ରାତିରେ ଘରକୁ ନ ଫେରିବାରୁ ବାପା ମା’ ଚିନ୍ତିତ ହୋଇପଡ଼ିଥିଲେ। ପୁଣି ଗତକାଲି ଲୋକନାଥ ପୁରୀ ସ୍ବର୍ଗଦ୍ବାରରେ ଏକ ଭିଡିଓ ଉଠାଇ ଇନ୍‌ଷ୍ଟାଗ୍ରାମ ସୋସିଆଲ ସାଇଟ୍‌ରେ ଅପଲୋଡ୍‌ କରିଥିଲେ। 

ଏ ସମ୍ପର୍କରେ ଲୋକନାଥଙ୍କ ପିତାମାତା ଜାଣିବା ପରେ ସ୍କୁଟି ଧରି ଜଗତପୁରରୁ ପୁରୀକୁ ଛୁଟି ଆସିଛନ୍ତି। ବୟସର ଭାର ସେମାନଙ୍କୁ ଆସିବାକୁ ଅନୁମତି ଦେଉନଥିଲେ ମଧ୍ୟ ପୁଅକୁ ପାଇବା ଆଶାରେ ସେ ପୁରୀ ଆସି ଖୋଜାଖୋଜି ପରେ ସମୁଦ୍ର କୂଳରେ ବସି ଲୁହ ଝରାଉଥିଲେ। ତାଙ୍କ ପୁଅ ପୁରୀରେ ଥିବା ନେଇ ସେ ସନ୍ଦେହ କରୁଛନ୍ତି। ତେଣୁ ପୁଅ ତାଙ୍କ ନିକଟକୁ ଫେରିଆସନ୍ତୁ ବୋଲି  ବାପାମା’ ଦୁହେଁ ହାତଯୋଡ଼ି ଅନୁରୋଧ କରିଛନ୍ତି।