କୋରାପୁଟ, (ପତିତପାବନ ସାହୁ): କଂଗ୍ରେସକୁ କୃଷ୍ଣ କଣ୍ଟା, ବିଜେଡିକୁ ଆଶାୟୀ ଅଡୁଆ। ବିଜେପିରେ ନେତା ଯେତିକି, ଗୋଷ୍ଠୀ ସେତିକି। କୋରାପୁଟ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏମିତି ଗୋଳିଆପୋଳିଆ ସ୍ଥିତିରେ ୩ ପ୍ରମୁଖ ଦଳ ରହିଛନ୍ତି। ଏହି ସମସ୍ୟାକୁ ଯେଉଁ ଦଳ ଠିକ୍ ଭାବେ ମୁକାବିଲା କରି ପାରିବ, ତାକୁ ହିଁ ସଫଳତା ମିଳିବ। କୋରାପୁଟ ବିଧାନସଭା ନିର୍ବାଚନମଣ୍ଡଳୀରେ ସବୁବେଳେ କଂଗ୍ରେସ ଓ ବିଜେଡି ଭିତରେ ଲଢେଇ ହୋଇଥାଏ। ଏ ଲଢେଇରେ ବିଜେଡି ମାତ୍ର ଥରେ ବାଜି ମାରିଥିଲାବେଳେ ବାକି ସବୁ ଲଢେଇରେ କଂଗ୍ରେସର ଜିତାପଟ ହୋଇଛି। ଏହି ବିଧାନସଭା କ୍ଷେତ୍ରରେ ୨୦୦୦ ପରଠାରୁ ଅନୁଷ୍ଠିତ ନିର୍ବାଚନରେ ବିଜେଡି ଆଶାତୀତ ସଫଳତା ପାଇ ନ ଥିଲେ ମଧ୍ୟ ଗତ ପଞ୍ଚାୟତ ନିର୍ବାଚନରେ ବିପୁଳ ସଫଳତା ମିଳିଥିବାରୁ ଦଳ ଉତ୍ସାହିତ ଅଛି। ପୁଣି ପରିବର୍ତ୍ତିତ ରାଜନୈତିକ ଦୃଶ୍ୟପଟରେ ବିଜେଡି ଶକ୍ତି ବୃଦ୍ଧି କରିଥିଲାବେଳେ କଂଗ୍ରେସରେ ଗୋଷ୍ଠୀ କନ୍ଦଳ ବଢିଛି। କୋରାପୁଟ ଆସନଟି ଅନୁସୂଚିତ ଜାତିଙ୍କ ପାଇଁ ୨୦୦୯ରେ ସଂରକ୍ଷିତ ହୋଇଥିଲା। ଆଉ ଦୀର୍ଘ ବର୍ଷ ପରେ କୋରାପୁଟ ବିଧାନସଭା ରାଜନୀତି କଡ଼ ଲେଉଟାଇଥିଲା। ସେହି ନିର୍ବାଚନରେ ବିଜେଡି ପ୍ରାର୍ଥୀ ରଘୁରାମ ପଡାଲ ବିଜୟୀ ହୋଇଥିଲା। ତେବେ ଏହି ସଫଳତାକୁ ୨୦୧୪ରେ ଦୋହରାଇବାରେ ବିଫଳ ହୋଇଥିଲା ଦଳ। ଏହି ନିର୍ବାଚନରେ କୃଷ୍ଣଚନ୍ଦ୍ର ସଗରିଆ ଜିତି ପୁଣି କଂଗ୍ରେସ ରାଜ ଆରମ୍ଭ କରିଥିଲେ। ୨୦୦୪ ଓ ୨୦୦୦ ମସିହାରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ତାରା ପ୍ରସାଦ ବାହିନୀପତି ଲଗାତାର ବିଜୟୀ ହୋଇଥିଲେ।
/sambad/media/post_attachments/wp-content/uploads/2019/03/BJP_BJD_INC-1.jpg)
ଗତ ୫ଟି ବିଧାନସଭା ନିର୍ବାଚନରେ ୪ ଥର କଂଗ୍ରେସ ଜିତିଥିଲାବେଳେ ଥରେ ମାତ୍ର ବିଜେଡି ଜିତିଛି। କିନ୍ତୁ ଗତ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ବୃହତ ସଫଳତା ମିଳିଥିଲା। କୋରାପୁଟ ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ୫ଟି ଯାକ ଜିଲ୍ଲା ପରିଷଦ ଆସନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିଲେ। ତେଣୁ ବିଜେଡି ଶିବିର ଉତ୍ସାହିତ ହୋଇ ପଡିଛି। ତେଣୁ ସ୍ବାଭାବିକ ଭାବେ ଦଳରେ ଆଶାୟୀ ବଢି ଯାଇଛନ୍ତି। ପୂର୍ବତନ ବିଧାୟକ ରଘୁରାମ ପଡାଲ, ଦଶମନ୍ତପୁର କଲେଜ ଅଧ୍ୟକ୍ଷ ତ୍ରିନାଥ ପାତିକା, ଯୁବ ନେତା ଲଲାଟ ରଂଜନ ସେଠୀ ଓ ଗତଥରର ପ୍ରାର୍ଥୀ ରଘୁରାମ ମାଛ ଆଗରେ ଥିବା ଚର୍ଚ୍ଚା ହେଉଛି। ସେହିପରି ଯୁବନେତା ଭରତ ମଲ୍ଲିକ, କିଟରେ ଆସିଷ୍ଟାଣ୍ଡ ପ୍ରଫେସର ଥିବା ଇଶ୍ବର ନାୟକ, ଭାଗିରଥୀ ପାଟନିଆ, ଶଙ୍କର ପ୍ରସାଦ ଦୁରିଆ, ବିନୋଦ ନାୟକ ମଧ୍ୟ ଟିକେଟ ଆଶାରେ ଲବି ଚଳାଇଛନ୍ତି। ଅଧିକ ଆଶାୟୀ ଥିବାରୁ ବିଜେଡି ପାଇଁ ଅଡୁଆ ହେବ ବୋଲି ଅନୁମାନ କରାଯାଉଥିଲାବେଳେ ଏହାକୁ ମ୍ୟାନେଜ କରିବା ଦଳ ପାଇଁ ବଡ ଆହ୍ବାନ ରହିବ।
/sambad/media/post_attachments/wp-content/uploads/2019/03/ED_OdishaAssembly_3-1.jpg)
ବିଧାୟକ ପଦରୁ କୃଷ୍ଣଚନ୍ଦ୍ର ସଗରିଆ ଇସ୍ତଫା ଦେବା ଓ କଂଗ୍ରେସ ତାଙ୍କୁ ବିଦା କରିବା ପରେ ଦଳ ବ୍ୟାକଫୁଟକୁ ଚାଲି ଯାଇଛି। ପୁଣି କଂଗ୍ରେସ ଆଭ୍ୟନ୍ତରୀଣ ବିବାଦ ଭିତରେ ଛନ୍ଦି ହୋଇ ପଡିଥିବାରୁ ଦଳକୁ ଏହି ନିର୍ବାଚନ ସହଜ ହେବନାହିଁ। କିନ୍ତୁ ଦଳର ପାରମ୍ପରିକ ଭୋଟ ଥିବାରୁ ଦଳ ବିଜୟୀ ହେବାକୁ ଅଣ୍ଟା ଭିଡିଛି। କିନ୍ତୁ ବିଜେଡି ପରି ଏଠାରେ ମଧ୍ୟ ଅନେକ ଆଶାୟୀ। କୃଷ୍ଣ ଗଲା ପରେ ବିଧାୟକ ହେବା ପାଇଁ ପୂର୍ବତନ ବିଧାୟକ ନିମାଇଁ ସରକାର, ଶ୍ରମିକ ନେତା କୃଷ୍ଣ କୁଲଦୀପ, ଟୋନେଜ କୁଲଦୀପ, ଯୁବନେତା ବାସୁଦେବ କୁଲଦୀପ, ଏସସି ସେଲ ସଭାପତି ରମେଶ ବାଖିଆ ପ୍ରମୁଖ ଟିକେଟ ଦୌଡରେ ରହିଛନ୍ତି। ଏପଟେ ବିଜେପି ବି କଡା ମୁକାବିଲା କରିବାକୁ କ୍ଷେତ୍ର ପ୍ରସ୍ତୁତିରେ ଲାଗି ପଡିଛି। ଭେଟେରାନ ନେତା ଜୟରାମ ପାଙ୍ଗୀ ବିଜେପିରେ ମିଶିବା ପରେ ଦଳର ଶକ୍ତି ବି ବଢିଛି। ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚିବାକୁ ଦଳ ଚେଷ୍ଟା ଚଳାଇଛି। ହେଲେ ଦଳର ନେତାମାନେ ବିଭିନ୍ନ ଗୋଷ୍ଠୀରେ ବିଭକ୍ତ ହୋଇ ରହିଥିବାରୁ ଏହା ଦଳ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରୁଛି। ଏହି ନିର୍ବାଚନମଣ୍ଡଳୀ ପାଇଁ ଗତଥରର ପ୍ରାର୍ଥୀ ଜୟରାମ ଗରଡାଙ୍କ ସମେତ ଏଥର ବହୁ ନୂଆ ନେତାଙ୍କ ନାମ ଆଶାୟୀ ତାଲିକାରେ ଯୋଡି ହୋଇଛି। ସେମାନଙ୍କ ଭିତରେ ଅଛନ୍ତି ନଗର ସଭାପତି ଜି.ସଂଜୀବ କୁମାର, ଜିଲ୍ଲା ଉପସଭାପତି ପୂର୍ଣ୍ଣିମା ନାୟକ, ଯୁବ ନେତା ହରି ଖେମୁଣ୍ଡୁ, ଆଇନଜୀବୀ ନୃପେନ୍ଦ୍ର ବାଘ ପ୍ରମୁଖ। ତେଣୁ ଏଥର ନିର୍ବାଚନ ୩ ଦଳ ପାଇଁ ଏସିଡ ଟେଷ୍ଟ ହେବ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇ ଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/Koraput_Thumbnail.jpg)