ରାଉରକେଲା, (ରଶ୍ମିରଂଜନ ମୁଦୁଲି): ଆଦିବାସୀ ନେତା ମଙ୍ଗଳା କିସାନ ରାଜଗାଙ୍ଗପୁର ନିର୍ବାଚନମଣ୍ଡଳୀରୁ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଉଭୟ ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ସେ ବହୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ତୁଲାଇଛନ୍ତି। ୨୦୧୪ ନିର୍ବାଚନରେ ମଙ୍ଗଳାଙ୍କୁ ଟିକେଟ୍ ମିଳିବ ନା ଅନ୍ୟ କାହାକୁ ଟିକେଟ୍ ଦିଆଯିବ, ସେ ନେଇ ଏବେ ସମଗ୍ର ଜିଲ୍ଲାରେ ଚର୍ଚ୍ଚା। ବୟସାଧିକ ସତ୍ତ୍ବେ ମଙ୍ଗଳା ସମ୍ପୂର୍ଣ୍ଣ ଚଳଚଞ୍ଚଳ। ତଥାପି, ଏଥର ତାଙ୍କୁ ନୁହେଁ ତାଙ୍କର ଜଣେ ଉତ୍ତରାଧିକାରୀଙ୍କୁ ବିଜେଡି ଟିକେଟ୍ ମିଳିପାରେ ବୋଲି ଆଲୋଚନା ହେଉଛି। ଭୁବନେଶ୍ବରରେ ସରକାରୀ ଚାକିରି କରିଥିବା ତାଙ୍କର ପୁଅଙ୍କୁ ଏଥର ଟିକଟ୍ ମିଳିବ ବୋଲି କୁହାଯାଉଥିଲେ ବି ତୃଣମୂଳସ୍ତରରେ ସେଭଳି କିଛି ଦୃଶ୍ୟ ଦେଖିବାକୁ ମିଳିନାହିଁ। ଗତ ୨୦୧୪ ନିର୍ବାଚନରେ ରାଜ୍ୟରେ ବିଜେଡିର ବରିଷ୍ଠ ନେତାଙ୍କ ଉତ୍ତରାଧିକାରୀମାନଙ୍କୁ ଟିକେଟ୍ ଦେବା ପାଇଁ ଯେଉଁ ଯୋଜନା ହୋଇଥିଲା, ସେଥିରେ ମଙ୍ଗଳାଙ୍କ ସ୍ଥାନରେ ତାଙ୍କ ପୁଅ ନାମ ଥିଲା। କିନ୍ତୁ ଶେଷମୁହୂର୍ତ୍ତରେ ମଙ୍ଗଳା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିଜେ ଟିକେଟ୍ ନେଇଥିଲେ। ବାପ-ପୁଅଙ୍କ ମଧ୍ୟରେ ଟିକେଟ୍ ପାଇଁ କୌଣସି ରାଜନୈତିକ ଲଢେଇ ନଥିଲେ ବି ମଙ୍ଗଳା ସବୁ ବେଳେ ନିଜ ପରିବାରକୁ ରାଜନୀତିରୁ ଦୂରେଇ ରଖିଥିବାରୁ ସେ ବଞ୍ଚିଥିବା ପର୍ଯ୍ୟନ୍ତ ଟିକେଟ୍ ଆଶା ରଖିଥିବା ତାଙ୍କ ନିକଟତମ ମହଲରୁ କୁହାଯାଉଛି। ଯଦି ମଙ୍ଗଳା କିମ୍ବା ତାଙ୍କର ପୁଅକୁ ଟିକେଟ୍ ନ ମିଳେ, ତେବେ ରାଜଗାଙ୍ଗପୁର ଆସନ ପାଇଁ ଏଥର ଟିକେଟ୍ ଦୌଡ଼ରେ ଲାଠିକଟା ବ୍ଲକ୍ ଜିଲ୍ଲା ପରିଷଦ ସଭ୍ୟ ମହେଶ ନାଗ, ବିଜେଡି ଯୁବ ନେତା ତଥା ପୂର୍ବରୁ ନିର୍ବାଚନ ଲଢିଥିବା ବେନେଡିକ୍ଟ ତିର୍କୀ ଓ ସରକାରୀ ପଦାଧିକାରୀ ରୁନୁ ଲାକ୍ରା ରହିଛନ୍ତି। ତେବେ ମଙ୍ଗଳା ନିର୍ଦିଷ୍ଟ କେତେ ଲୋକଙ୍କ ଦ୍ବାରା ପରିଚାଳିତ ହେବା, ରାଜଗାଙ୍ଗପୁରରେ ପଥର ଗାଢା ଓ ଜର୍ଜ ତିର୍କୀଙ୍କ ପ୍ରଭାବକୁ ରୋକିବାରେ ବିଫଳ ହୋଇଥିବା ଦର୍ଶାଇ ତାଙ୍କ ଟିକେଟ୍ କାଟିବାକୁ ବିଜେଡିର ଏକ ନିର୍ଦିଷ୍ଟ ଗୋଷ୍ଠୀ ଉଦ୍ୟମ କରୁଥିବା କୁହାଯାଉଛି।
ଗତ ବିଧାନସଭା ନିର୍ବାଚନ ଫଳାଫଳକୁ ସମୀକ୍ଷା କଲେ ଏଠାରେ ଦ୍ବିତୀୟ ସ୍ଥାନରେ କଂଗ୍ରେସ ରହିଥିଲା। ମଙ୍ଗଳା ୫୪,୫୯୬ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ଦଳର ଗ୍ରିଗୋରୀ ମିଞ୍ଜ ୪୪,୫୬୦ ଖଣ୍ଡ ଭୋଟ ପାଇଥିଲେ। ୨୦୦୯ ନିର୍ବାଚନରେ ଗ୍ରିଗୋରୀ ମିଞ୍ଜ ୩୫,୫୯୨ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେଡିରୁ ପ୍ରତିଦ୍ବନ୍ଦ୍ବିତା କରିଥିବା ବେନେଡିକ୍ଟ ତିର୍କୀ ମାତ୍ର ୩୧,୪୭୭ ଭୋଟ ପାଇଥିଲେ। ପ୍ୟାରୀଙ୍କ ସହ ଲଢେଇ ଯୋଗୁ ୨୦୦୯ ମସିହାରେ ମଙ୍ଗଳାଙ୍କୁ ଟିକେଟ୍ ମିଳିନଥିଲା। ସେତେବେଳେ ସେ ରାଜ୍ୟସଭା ସାଂସଦ ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ। ଏହାପୂର୍ବରୁ ଗ୍ରିଗୋରୀ ମଙ୍ଗଳାଙ୍କୁ ହରାଇ ବିଜୟୀ ହୋଇଥିଲେ। ଗ୍ରିଗୋରୀଙ୍କ ଆଗମନ ପରେ କଂଗ୍ରେସ ସ୍ଥିତି ସୁଦୃଢ ହୋଇଥିଲେ ବି ରାଜ୍ୟସଭା ନିର୍ବାଚନରେ ଦଳୀୟ ନିଷ୍ପତ୍ତି ପାଳନ କରି ନ ପାରିବା କାରଣରୁ ସେ ସମାଲୋଚନାର ଶିକାର ହୋଇଥିଲେ। ତଥାପି ତାଙ୍କୁ ଦଳୀୟ ଟିକେଟ୍ ମିଳିଥିଲା। କିନ୍ତୁ ସେ ପରାଜିତ ହୋଇଥିଲେ। ନିକଟରେ ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀ କଂଗ୍ରେସରେ ଯୋଗ ଦେଇଛନ୍ତି। ତିର୍କୀଙ୍କ ଯୋଗଦାନ ପରେ ରାଜଗାଙ୍ଗପୁରରେ କଂଗ୍ରେସ ସୁଦୃଢ ହୋଇଛି। ଗ୍ରିଗୋରୀଙ୍କ ଭଳି ଏଥର କଂଗ୍ରେସରୁ ପୂର୍ବତନ ବିଧାୟକ ଖ୍ରୀଷ୍ଟର୍ଫ ଏକ୍କାଙ୍କ ପୁଅ ତଥା ଏଲଏଣ୍ଡଟି ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର ରାଜନ ଏକ୍କା ଆଶାୟୀ ଅଛନ୍ତି। ତାଙ୍କୁ ଜର୍ଜଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଛି। ରାଜଗାଙ୍ଗପୁର ବିଧାନସଭା କ୍ଷେତ୍ରରେ ଏପର୍ଯ୍ୟନ୍ତ ବିଜେପି ସଫଳ ହୋଇନାହିଁ। ତଥାପି ଗତ ନିର୍ବାଚନରେ ବିଜେପିର ଉପେନ୍ଦ୍ର ପ୍ରଧାନ ୨୮,୬୯୪ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ। ୨୦୦୯ ନିର୍ବାଚନରେ ବିଜେପି ମାତ୍ର ୧୬,୬୫୪ ଖଣ୍ଡ ଭୋଟ ପାଇଥିଲା।
ଏଥର ବିଜେପି ଟିକେଟ୍ ଦୌଡ଼ରେ ଶ୍ରୀ ପ୍ରଧାନଙ୍କ ସମେତ ଲାଇଙ୍ଗ ସରପଞ୍ଚ ତଥା ଜିଲ୍ଲା ସରପଞ୍ଚ ସଂଘ ସଭାପତି ନରସିଂହ ମିଞ୍ଜ, ରାଜଗାଙ୍ଗପୁର ଜିଲ୍ଲା ପରିଷଦ ସଭ୍ୟ ସୁରେନ୍ଦ୍ର ଦେହୁରୀଙ୍କ ନାମ ଶୁଣାଯାଉଛି। ତେବେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ନିଷ୍ପତ୍ତି ଟିକେଟ୍ ବଣ୍ଟନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି କୁହାଯାଉଛି। ରାଜଗାଙ୍ଗପୁର ନିର୍ବାଚନମଣ୍ଡଳୀରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା (ଜେଏମ୍ଏମ୍)ର ପ୍ରଭାବ ରହିଛି। ୨୦୦୯ ମସିହା ନିର୍ବାଚନରେ ଜେଏମ୍ଏମ୍ ୧୭ ହଜାରରୁ ଅଧିକ ଭୋଟ ପାଇଥିଲା। ଯଦି କଂଗ୍ରେସ ସହିତ ମେର୍ଟ ହୁଏ , ଏହି ଆସନକୁ ନେବା ପାଇଁ ଦଳ ଦାବି କରିବ। ଜେଏମ୍ଏମ୍ ପକ୍ଷରୁ ଏଥର ସୁଶିଲ ଲାକ୍ରା ଓ ପୂର୍ବତନ ସରପଞ୍ଚ ଆର୍ଥର ସୋରେଙ୍ଗ ଦାବିଦାର ଅଛନ୍ତି। ଯଦି କଂଗ୍ରେସ, ଜେଏମ୍ଏ୍ ଓ ସିପିଏମ୍ ମେଣ୍ଟ ହୁଏ, ତେବେ ରାଜଗାଙ୍ଗପୁରରେ ବିଜେଡି ପାଇଁ ଅଡୁଆ ହେବ।