ଅନୁଗୁଳ,(ରତ୍ନାକର ଭୋଇ): ଲୋକସଭା କ୍ଷେତ୍ର ପୁନର୍ଗଠନ ହେବା ପରଠାରୁ ସମ୍ବଲପୁର ଆସନ ଅନୁଗୁଳ ଜିଲ୍ଲାର ନେତାଙ୍କ ହାତରେ ରହିଛି। ସମ୍ବଲପୁର ଜିଲ୍ଲାର ୪ଟି ବିଧାନସଭା ଆସନ କୁଚିଣ୍ଡା, ସମ୍ବଲପୁର, ରେଂଗାଲି ଓ ରେଢ଼ାଖୋଲ ଏବଂ ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ଓ ଆଠମଲ୍ଲିକ ଏବଂ ଦେବଗଡ଼ ବିଧାନସଭା କ୍ଷେତ୍ରକୁ ନେଇ ଗଠିତ ହୋଇଛି ସମ୍ବଲପୁର ଲୋକସଭା ଆସନ। ପୁନର୍ଗଠନ ପରେ ହୋଇଥିବା ପ୍ରଥମ ସାଧାରଣ ନିର୍ବାଚନ ୨୦୦୯ରେ ଅନୁଗୁଳ ଜିଲ୍ଲାର ନେତା କଂଗ୍ରେସ ପ୍ରାର୍ଥୀ ଅମରନାଥ ପ୍ରଧାନ ଅପ୍ରତ୍ୟାଶିତ ଭାବେ ସମ୍ବଲପୁର ଲୋକସଭା ଆସନରୁ ସାଂସଦ ନିର୍ବାଚିତ ହୋଇଥିଲେ। ୨୦୧୪ ନିର୍ବାଚନରେ ବରିଷ୍ଠ ବିଜେଡି ନେତା ନଗେନ୍ଦ୍ର ପ୍ରଧାନ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ସୁରେଶ ପୂଜାରୀଙ୍କୁ ୩୦,୫୭୬ ଭୋଟରେ ପରାଜିତ କରିଥିଲେ। ନଗେନ୍ଦ୍ରଙ୍କୁ ୩,୫୮,୬୧୮ ଭୋଟ ମିଳିଥିବାବେଳେ ସୁରେଶଙ୍କୁ ୩,୨୮,୦୪୨ ଭୋଟ ମିଳିଥିଲା। କଂଗ୍ରେସ ପ୍ରାର୍ଥୀ ଅମରନାଥ ୨,୪୨,୧୩୧ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। ନଗେନ୍ଦ୍ରଙ୍କ ଜନ୍ମସ୍ଥାନ ଢେଙ୍କାନାଳ ଜିଲ୍ଲାରେ ହୋଇଥିଲେହେଁ ଶିକ୍ଷାଦୀକ୍ଷା ସହ କର୍ମକ୍ଷେତ୍ର ବି ଅନୁଗୁଳରେ। ଅନୁଗୁଳ ସହର ଅମଲାପଡ଼ାର ସେ ଏବେ ସ୍ଥାୟୀ ବାସିନ୍ଦା। ନିର୍ବାଚନ ଜିତିବା ପରେ ଅନୁଗୁଳକୁ ସେ ତାଙ୍କ ‘ନୋଡ଼ାଲ ଜିଲ୍ଲା’ ବାଛି ଥିଲେ। ଅନୁଗୁଳ ଜିଲ୍ଲାର ଭୋଟରଙ୍କ ପାଇଁ ବଡ଼ ବ୍ୟବଧାନରେ ଜିତିବାକୁ ସକ୍ଷମ ହୋଇଥିବାରୁ ସେ ଏଭଳି କରିଥିବା ତାଙ୍କ ନିକଟତମ ଲୋକେ କହିଥିଲେ। ଆଗରୁ କେବେ ସମ୍ବଲପୁରରୁ ‘ନୋଡ଼ାଲ ଜିଲ୍ଲା’ ସ୍ଥାନାନ୍ତର ହୋଇନଥିବାରୁ ଏହାକୁ ନେଇ ସେତେବେଳେ ସମ୍ବଲପୁରରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା।
ଆସନ୍ତା ୨୦୧୯ ନିର୍ବାଚନରେ ପୁଣି ଥରେ ବିଜେଡି ଟିକେଟ ପାଇବା ନେଇ ନଗେନ୍ଦ୍ର ଦୃଢ଼ ଆଶାବାଦୀ। ଚାକିରି ସରିବା ପରେ ପୁଣି ସଂପ୍ରସାରଣ ହୋଇଥିବା ବର୍ଷିକିଆ ଅବଧି ସରିବାକୁ ଆଉ ମାସେ ବାକି ଥିବା ବେଳେ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ ଅବ୍ୟାହତି ନେଇଛନ୍ତି। ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଅଂଗପଡ଼ା ପଞ୍ଚାୟତ ନିବାସୀ ନଳିନୀ ବିଜେଡିରୁ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଜୋର୍ ଧରିଛି। ନଳିନୀଙ୍କୁ ପ୍ରାର୍ଥୀ କରାଗଲେ ଚଷା ବହୁଳ ଆଠମଲ୍ଲିକ, ଛେଣ୍ଡିପଦା, ରେଢ଼ାଖୋଲ, ଦେବଗଡ଼ ଆଦି ବିଧାନସଭା କ୍ଷେତ୍ରର ‘ଚଷା ଭୋଟ ବ୍ୟାଙ୍କ’ ପୂର୍ବଭଳି ଅତୁଟ ରହିବ ବୋଲି ବିଜେଡି ଆଶା କରୁଛି। ଛାତ୍ରାବସ୍ଥା ଓ ଚାକିରି ଜୀବନର ବହୁ ବର୍ଷ ପର୍ଯ୍ୟନ୍ତ ସମ୍ବଲପୁର ଅଂଚଳରେ ରହିଥିବା ନଳିନୀ ସ୍ପଷ୍ଟ ଭାବେ ସମ୍ବଲପୁରୀ ଭାଷାରେ କଥାବାର୍ତ୍ତା କରିପାରନ୍ତି। ସେ ପୁଣି ସମ୍ବଲପୁର ଜିଲ୍ଲାର ଜ୍ବାଇଁ ହୋଇଥିବାରୁ ତାଙ୍କୁ ପ୍ରାର୍ଥୀ କରାଗଲେ ଏହି ଅଂଚଳରୁ ବି ଭୋଟ ହାତେଇବା ସହଜ ହେବ ବୋଲି ବିଜେଡି ଆକଳନ କରୁଥିବା ବିଶେଷସୂତ୍ରରୁ ଜଣାପଡ଼ିଛି। ଅପରପକ୍ଷରେ କଂଗ୍ରେସ ପୁଣି ଏଥର ପୂର୍ବତନ ସାଂସଦ ଅମରନାଥ ପ୍ରଧାନଙ୍କୁ ଏଠାରୁ ପ୍ରାର୍ଥୀ କରାଇବ ବୋଲି କୁହାଯାଉଛି। ଅମରନାଥଙ୍କୁ ପ୍ରାର୍ଥୀ କରାଗଲେ କଂଗ୍ରେସର ପକେଟ୍ ଭୋଟ୍ ହାତେଇବା ସହ ଚଷାଭୋଟ ବିଭାଜନରେ ସେ ସଫଳ ହେବେ। ଅବଶ୍ୟ ଅମରନାଥ ବ୍ୟତୀତ ସମ୍ବଲପୁରର ପୂର୍ବତନ ବିଧାୟକ ଅଶ୍ବିନୀ ଗୁରୁ, ବରିଷ୍ଠ ନେତା ଡାକ୍ତର ଶରତ ଗୌନ୍ତିଆ, ପ୍ରେଦ୍ୟାତ ମହାନ୍ତି (ପିଣ୍ଟୁ), ରାଜକିଶୋର ପ୍ରଧାନ, ସତ୍ୟେନ୍ଦ୍ର ବହିଦାର, ଦୁର୍ଗା ପାଢ଼ୀ, ପ୍ରଣତି ପଟ୍ଟନାୟକ ପ୍ରମୁଖ ନେତା ମଧ୍ୟ ଟିକେଟ ପାଇଁ କଂଗ୍ରେସ ସ୍କ୍ରିନିଂ କମିଟି ଆଗରେ ଆବେଦନ କରିଛନ୍ତି। ନିକଟରେ ସରିଥିବା ୩ ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳକୁ ନେଇ କଂଗ୍ରେସ ନିଜର ପୂର୍ବ ଗଡ଼ ସମ୍ବଲପୁର ପୁଣିଥରେ ଅକ୍ତିଆର କରିବା ପାଇଁ ଆଶା ରଖିଛି। ଅପରପକ୍ଷରେ ବିଜେପି ପୁଣି ଥରେ ସୁରେଶ ପୂଜାରୀଙ୍କୁ ଏଠାରୁ ପ୍ରାର୍ଥୀ କରାଇପାରେ। ଆରଏସ୍ଏସ୍ର ପଶ୍ଚିମ ପ୍ରାନ୍ତ ପ୍ରଚାର ପ୍ରମୁଖ ଦାୟିତ୍ବରେ ଥିବା ଅଧ୍ୟାପକ ବିଶ୍ବରଂଜନ ପୂଜାରୀ ଅନ୍ୟତମ ପ୍ରମୁଖ ଦାବିଦାର ବୋଲି କୁହାଯାଉଛି। ଦେବଗଡ଼ ବିଧାୟକ ନିତେଶ ଗଂଗଦେବ, ଆରଏସ୍ଏସ୍ ସହ ସଂପୃକ୍ତ ଦେବଗଡ଼ର ଆଇନଜୀବୀ ପ୍ରଭାତ ମିଶ୍ରଙ୍କ ନାମ ମଧ୍ୟ ଆଶାୟୀ ତାଳିକାରେ ଥିବା ଚର୍ଚ୍ଚା ହେଉଛି। ‘ମୋଦୀ ହାୱା’ରେ ବିଜେପି ଏଥର ନିର୍ବାଚନ ଜିତିବାକୁ ଆଶା ବାନ୍ଧିଛି।