ସମ୍ବାଦ-କନକ ନ୍ୟୁଜ୍ ଏକଜିଟ୍ ପୋଲ ରିପୋର୍ଟ : ଉପକୂଳ ଓଡିଶାରେ ପୁଣିଥରେ କାମ କରିପାରେ ନବୀନଙ୍କ ଲୋକପ୍ରିୟତା!
ଆସନ୍ତୁ ଜାଣିବା କାହାକୁ ମିଳିପାରେ କେତେ ଆସନ?
ଭୁବନେଶ୍ୱର : ଉପକୂଳ ଓଡିଶାରେ ଚମକିପାରେ ବିଜେଡି । ସମ୍ବାଦ-କନକ ନ୍ୟୁଜ୍ ଏକଜିଟ୍ ପୋଲ ରିପୋର୍ଟ ଅନୁଯାୟୀ ଉପକୂଳ ଓଡିଶାରେ ପୁଣିଥରେ କାମ କରିପାରେ ନବୀନଙ୍କ ଲୋକପ୍ରିୟତା। ମୋଟ ୬ ଲୋକସଭା ଆସନରୁ ୨ଟିରେ ବିଜେଡିର ବିଜୟ ସମ୍ଭାବନା ରହିଥିବା ବେଳେ ୩ଟିରେ କଡା ଟକ୍କର ଦେଖିବାକୁ ମିଳିବ । ରାଜଧାନୀ ଭୁବନେଶ୍ୱର ଆସନରେ ବିଜେପି ଜିତିବା ନେଇ ଏକଜିଟ୍ ରିପୋର୍ଟରେ ସଂକେତ ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
କେନ୍ଦ୍ରାପଡା, ଜଗତସିଂହପୁରରେ ବିଜେଡି ୨୦୧୪ର ଫଳାଫଳକୁ ଦୋହାରାଇପାରେ ବୋଲି ସଂକେତ ମିଳିଛି । ସେହିଭଳି ପୁରୀ, ଯାଜପୁର ଓ କଟକରେ କ୍ଲୋଜ ଫାଇଟ ଦେଖିବାକୁ ମିଳିପାରେ। ଫୋକସରେ ରହିଥିବା କେନ୍ଦ୍ରାପଡା ଆସନରେ ଅନୁଭବ ବିଜେଡି ଗଡକୁ ସୁରକ୍ଷିତ ରଖିପାରନ୍ତି । ହେଭିୱେଟ ବୈଜୟନ୍ତଙ୍କୁ ମାତ୍ ଦେଇ କେନ୍ଦ୍ରାପଡାର ଇତିହାସର ପୁନରାବୃତ୍ତି କରିପାରନ୍ତି ଅନୁଭବ। ସେହିଭଳି ଜଗତସିଂହପୁରରେ ଭଲ ପ୍ରଦର୍ଶନ କରିବ ବିଜେଡି । ଉଭୟ ଲୋକସଭା ଓ ବିଧାନସଭାରେ ଦମ ଦେଖାଇବ ବିଜେଡି ।
ଅନ୍ୟପଟେ ବିଜେଡିର ସେଫ୍ ଜୋନ କୁହାଯାଉଥିବା ଯାଜପୁର,କଟକ ଓ ପୁରୀରେ ଚଳିତଥର ଭିନ୍ନ ଚିତ୍ର ଦେଖିବାକୁ ମିଳିପାରେ । ଏହି ୩ ଲୋକସଭା ଆସନରେ କ୍ଲୋଜ୍ ଫାଇଟ୍ ଦେଖିବାକୁ ମିଳିପାରେ । କଟକ ଓ ପୁରୀରେ ବିଜେଡିର ହେଭିୱେଟ ତଥା ଅଭିଜ୍ଞ ନେତାଙ୍କୁ କଡା ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିପାରେ । ପୁରୀରେ ବିଜେପି ଓ କଂଗ୍ରେସର ନବାଗତ ବିଜେଡି ପ୍ରାର୍ଥୀଙ୍କୁ କଡା ଟକ୍କର ଦେଉଥିବା ବେଳେ କଟକରେ ଭର୍ତ୍ତୃହରିଙ୍କୁ କଡା ଟକ୍କର ଦେଉଛନ୍ତି ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର ।
ଏସବୁ ଭିତରେ ଦୀର୍ଘ ୨୧ ବର୍ଷ ଧରି ଶଙ୍ଖଧ୍ୱନି ଶୁଭୁଥିବା ରାଜଧାନୀ ଭୁବନେଶ୍ୱରରେ ଚଳିତ ଥର ପଦ୍ମ ଫୁଟିପାରେ । ଏହି ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିବା ବିଜେଡି ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । କିନ୍ତୁ ଏହି ଆସନ ପାଇଁ ବିଜେପି ପାଇଁ ଖୁସି ଖବର ଆଣିପାରେ । ବିଜେପିର ଅପରାଜିତା ଷଡଙ୍ଗୀ ଏହି ଆସନରେ ବାଜି ମାରିପାରନ୍ତି ।
ସେହିଭଳି ଉପକୂଳ ଓଡିଶାରେ ଥିବା ୪୧ ବିଧାନସଭା ଆସନରେ ବିଜେଡି ଫାଇଦାରେ ରହିପାରେ । କିଛି ହାଇଭୋଲଟେଜ ଆସନକୁ ଛାଡିଦେଲେ ବାକି ଆସନରେ ବିଜେଡିର ପଲା ଭାରି ରହିପାରେ । ଉପକୂଳ ଓଡିଶାର ମୋଟ ୪୧ ଆସନ ମଧ୍ୟରୁ ୨୭ଟିରେ ବିଜେଡି ବାଜିମାତ୍ କରିପାରେ । ସେହିଭଳି କଂଗ୍ରେସ ଓ ବିଜେପି ୫ଟି ଲେଖାଏଁ ଆସନରେ ବିଜୟ ଧ୍ୱଜା ଉଡାଇପାରନ୍ତି । ତେବେ ୪ଟି ଆସନରେ କ୍ଲୋଜ ଫାଇଟ ହୋଇପାରେ । ଭୁବନେଶ୍ୱର ଲୋକସଭା ଅଧୀନରେ ଆସୁଥିବା ବେଗୁନିଆ ଓ ଖୋର୍ଦ୍ଧା ଆସନ, କଟକ ଲୋକସଭା ଅଧୀନରେ ଆସୁଥିବା ବାଙ୍କୀ ଆସନ ଓ ଜଗତସିଂହପୁର ଲୋକସଭା ଅଧିନରେ ଆସୁଥିବା ନିମାପଡାରେ କ୍ଲୋଜ ଫାଇଟ ଦେଖିବାକୁ ମିଳିପାରେ ।