ପୁଣିଥରେ କ୍ଷମତାକୁ ଫେରି ରେକର୍ଡ କରିପାରନ୍ତି ନବୀନ, ପଞ୍ଚମ ଥର ପାଇଁ ସରକାର ଗଢିପାରେ ବିଜେଡି!

ଭୁବନେଶ୍ୱର : ଆସନ୍ତା ୨୩ରେ ଆସିବ ସାଧାରଣ ନିର୍ବାଚନ ଫଳାଫଳ । କିଏ ସରକାର ଗଢିବ ତାହା ଉପରେ ସମସ୍ତଙ୍କର ନଜର ରହିଛି । ମେ ୨୩ ଫଳାଫଳ ପୂର୍ବରୁ ସମ୍ଭାବ୍ୟ ଫଳାଫଳ ସାମ୍ନାକୁ ଆଣିଛି ସମ୍ବାଦ-କନକ ନ୍ୟୁଜ୍ ଏକଜିଟ୍ ପୋଲ । ଏହି ରିପୋର୍ଟ ଅନୁଯାୟୀ ୫ମ ଥର ପାଇଁ ସରକାର ଗଢିପାରେ ବିଜେଡି । ପୁଣିଥରେ କ୍ଷମତାକୁ ଫେରି ରେକର୍ଡ କରିପାରନ୍ତି ନବୀନ ।

ଯଦି ଟିଭି ଚ୍ୟାନେଲ ଓ ସର୍ଭେକ୍ଷଣ ସଂସ୍ଥା ମାନଙ୍କର ଏକଜିଟ୍ ପୋଲ ସତ ହୁଏ, ତେବେ ଧରିନେବାକୁ ହେବ ଯେ, ଲୋକେ ନବୀନଙ୍କ ଉପରେ ଖୁସି ଅଛନ୍ତି । ଲଗାତର ୪ଥର ନିର୍ବାଚନ ଜିତି ଓଡିଶାର ରାଜନୈତିକ ଇତିହାସରେ ରେକର୍ଡ କରିଥିବା ଏହି ଲୋକପ୍ରିୟ ମୁଖ୍ୟମନ୍ତ୍ରୀ, ପୁଣି ଆଉ ଏକ ଇତିହାସ ରଚିବାକୁ ଯାଉଛନ୍ତି । ସମ୍ବାଦ ଓ କନକ ନ୍ୟୁଜ୍ ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲ ସର୍ଭେ କହୁଛି, ପୁଣିଥରେ ଓଡିଶାରେ ସରକାର ଗଢିବାକୁ ଯାଉଛନ୍ତି ଏହି ୭୨ ବର୍ଷୀୟ ରାଜନେତା ନବୀନ ପଟ୍ଟନାୟକ ।

ପ୍ରଥମଥର ପାଇଁ ଓଡିଶାରେ, ସମ୍ବାଦ ଓ କନକ ନ୍ୟୁଜ୍ ପକ୍ଷରୁ ଏକଜିଟ୍ ପୋଲ ସର୍ଭେ କରାଯାଇଥିଲା । ପ୍ରାୟ ୧ଲକ୍ଷରୁ ଅଧିକ ଭୋଟରଙ୍କ ମତାମତ ନେଇ ପ୍ରସ୍ତୁତ କରାଯାଇଥିବା ଏହି ରିପୋର୍ଟ କହୁଛି, ଏଥର ଇତିହାସ ରଚିବାକୁ ଯାଉଛନ୍ତି ନବୀନ । ୧୪୬ ବିଧାନସଭା ଆସନରୁ ବିଜେଡି ୮୫ରୁ ୯୫ ଆସନରେ ବିଜୟୀ ହେବା ସହ ଏକାକୀ ସରକାର ଗଢିପାରେ ବୋଲି ଏକଜିଟ୍ ପୋଲରୁ ସଂକେତ ମିଳିଛି ।

୨୦୦୦ ମସିହାରୁ ଲଗାତର ଶାସନ କ୍ଷମତାରେ ରହି ଆସିଥିବା ବିଜେଡି ବିରୋଧରେ ଏଥର ସରକାର ବିରୋଧୀ ହାୱା ଶକ୍ତିଶାଳୀ ହେଉଥିବା ନେଇ ଚର୍ଚା ଭିତରେ ଲଢେଇ ପାଇଁ ପ୍ରସ୍ତୁତ ହୋଇଥିଲା ବିଜେଡି । କାରଣ, ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ଅଧ୍ୟକ୍ଷ ଅମିତ ଶାହା ଓଡିଶା ପାଇଁ ବେଶ୍ ପ୍ରଭାବୀ ରଣକୌଶଳ ପ୍ରସ୍ତୁତ କରିଥିଲେ । ଆଉ ସେହି ଅନୁସାରେ ମୋଦି ଓ ଶାହା ଓଡିଶାରେ ଘନ ଘନ ପ୍ରଚାର କରିଥିଲେ । ଆଉ ଏପଟେ ଯୁଦ୍ଧର ମଙ୍ଗ ଧରିଥିଲେ ନବୀନ । ପ୍ରାୟ ଦେଢ ହଜାର କିଲୋମିଟର ବସ୍ ଯାତ୍ରା, ୧୫୦ରୁ ଅଧିକ ସଭା କରି ଲଢେଇ କରୁଥିଲେ ନବୀନ । ଯଦି ସମ୍ବାଦ ଓ କନକ ନ୍ୟୁଜର ଏଗଜିଟ୍ ପୋଲ ସତ ହୁଏ ତେବେ ଓଡିଶା ଇତିହାସରେ ଏକ ନୂଆ ରାଜନୈତିକ ଅଧ୍ୟାୟ ଯୋଡିବେ ନବୀନ ।

ସମ୍ବନ୍ଧିତ ଖବର