ସୁନ୍ଦରଗଡ଼ ଲୋକସଭା ଓ ୬ ବିଧାନସଭା ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା : ବରିଷ୍ଠଙ୍କୁ ଭରସା

୩ କଂଗ୍ରେସ ନେତାଙ୍କୁ ଟିକେଟ୍‌, ହେମାନନ୍ଦଙ୍କ ଝିଅ ସୁନିତା ଲୋକସଭାରୁ ଲଢ଼ିବେ, ବୀରମିତ୍ରପୁର ନିଷ୍ପତ୍ତି ଝୁଲିଲା, ସୁନୀତ‌ା ଟେଟେଙ୍କ ଭବିଷ୍ୟତକୁ ନେଇ କୌତୂହଳ

ରାଉରକେଲା : ସୁନ୍ଦରଗଡ଼ ଲୋକସଭା ଓ ୬ ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି। ଜିଲ୍ଲାର ୭ ବିଧାନସଭା ଆସନ ମଧ୍ୟରୁ କେବଳ ବୀରମିତ୍ରପୁର ପାଇଁ ପ୍ରାର୍ଥୀ ମନୋନୟନ ଚୂଡାନ୍ତ ହୋଇନାହିଁ। ତେବେ ଏଥର ନିର୍ବାଚନରେ ବିଜେଡି ସୁପ୍ରିମୋ ଜିଲ୍ଲାର ବରିଷ୍ଠ ନେତାମାନଙ୍କୁ ଭରସା କରିଛନ୍ତି। ଶାସକ ବିଜୁ ଦଳର ଏହି ଟିକେଟ୍ ଘୋଷଣା ପରେ ସବୁ ଆସନ‌ରେ ଏକାଧିକ ଆଶାୟୀ ଅସନ୍ତୁଷ୍ଟ ଥିଲେ ବି ଏପର୍ଯ୍ୟନ୍ତ କୌଣସି ଆଖିଦୃଶିଆ ବିରୋଧାଭାସ ଦେଖିବାକୁ ମିଳିନାହିଁ।

ବିଜେଡି ପ୍ରାର୍ଥୀ ତାଲିକା ଅନୁସାରେ ସୁନ୍ଦରଗଡ଼ ଲୋକସଭା ଆସନରୁ ସୁନୀତା ବିଶ୍ବାଳ ଲଢିବେ। ଗତ ନିର୍ବାଚନରେ ଏହି ଆସନରୁ ହକି ତାରକା ପଦ୍ମଶ୍ରୀ ଦିଲୀପ ତିର୍କୀ ପ୍ରତିଦ୍ବନ୍ଦ୍ବିତା କରି ମାତ୍ର ୧୯ ହଜାର ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ। ଏଥର ସେ ଆଶାୟୀ ଥିବା ବେଳେ ମହିଳା ପ୍ରାର୍ଥୀ ଦେବା ଲକ୍ଷ୍ୟରେ ତାଙ୍କୁ ଟିକେଟ୍‌ରୁ ବଞ୍ଚିତ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲାରେ ସୁନୀତାଙ୍କ ଭୂୟାଁ ସମାଜର ଅଧିକ ଭୋଟ ଥିବାରୁ ସେମାନଙ୍କ ହୃଦୟ ଜିତିବା ପାଇଁ ବିଜେଡି ସୁପ୍ରିମୋ ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି। ତେବେ ଶୁଣା ଯାଉଛି ଯେ ଦିଲୀପଙ୍କୁ ଖୁସି କରିବା ପାଇଁ ବୀରମିତ୍ରପୁର ବିଧାନସଭା ଆସନରୁ ଲଢିବାକୁ ପ୍ରସ୍ତାବ ଦିଆଯାଇଥିଲା। ବୀରମିତ୍ରପୁରରୁ ନ ଲଢିବା ପାଇଁ ଦିଲୀପ ସ୍ପଷ୍ଟ ମନା କରିବା ସତ୍ତ୍ବେ ତାଙ୍କ ନାମକୁ ତାଲିକାର ଶୀର୍ଷରେ ରଖାଯାଇଥିଲା। ଦିଲୀପ ତଳସରା ନିର୍ବାଚନ ମଣ୍ଡଳୀ ବାସିନ୍ଦା ହୋଇଥିବାରୁ ବୀରମିତ୍ରପୁରର ସ୍ଥାନୀୟ ବିଜେଡି ନେତାମାନେ ମଧ୍ୟ ତାଙ୍କ ପ୍ରାର୍ଥୀତ୍ବକୁ ବିରୋଧ କରିଥିଲେ। ଏପରିକି ଏହି ନିର୍ବାଚନମଣ୍ଡଳୀର ୫ ଜଣ ଟିକେଟ୍‌ ଆଶାୟୀ ନେତା ଆଜି ନବୀନ ନିବାସରେ ଏକଜୁଟ୍‌ ହୋଇ ସ୍ଥାନୀୟ ନେତାଙ୍କୁ ଟିକେଟ୍ ଦେବାକୁ ଜିଦ୍‌ ଧରିଥିଲେ। ତେଣୁ ଆଜି ୬ଟି ଆସନରେ ଟିକେଟ୍ ଘୋଷଣା ହୋଇଥିବା ବେଳେ ବୀରମିତ୍ରପୁର ନିଷ୍ପତ୍ତି ଝୁଲି ରହିଛି। ଏଥିପାଇଁ ଆଉ ଦିନେ କିମ୍ବା ଦୁଇ ଦିନ ସମୟ ଲାଗିବ ବୋଲି ଜଣେ ବିଜେଡି ପର୍ଯ୍ୟବେକ୍ଷକ କହିଛନ୍ତି।

ଏଥର ନିର୍ବାଚନରେ ରଘୁନାଥପାଲି ବିଧାୟକ ସୁବ୍ରତ ତରାଇଙ୍କୁ ଟିକେଟ୍ ନ ଦେବା ପାଇଁ ବିଜେଡିର ଗୋଟିଏ ଗୋଷ୍ଠୀ ଦାବି କରି ଆସୁଥିଲେ। ସେମାନେ ସୁବ୍ରତଙ୍କ ବିରୋଧରେ ଖୋଲାଖୋଲି ପ୍ରଚାର କରୁଥିଲେ। ତେବେ ସୁବ୍ରତଙ୍କ ଉପରେ ପୁଣି ଦଳ ଭରସା କରିଛି।

ଗତ ନିର୍ବାଚନରେ ଦିଲୀପ ରାୟଙ୍କ ବିରୋଧରେ ଲଢି ପରାଜିତ ହୋଇଥିବା ସାରଦା ନାୟକଙ୍କୁ ଏଥର ବିଜେଡି ଟିକେଟ୍ ମିଳିଛି।ପୂର୍ବରୁ ବିଜେଡି ଟିକେଟ୍‌ରେ ସେ ଦୁଇ ଥର ନିର୍ବାଚନ ଲଢି ମନ୍ତ୍ରୀ ହୋଇଥିଲେ। ଏମିତି ଦେଖିଲେ ବର୍ତ୍ତମାନ ପରିସ୍ଥିତିରେ ରାଉରକେଲା ପାଇଁ ସେ ଅସଲ ଦାବିବାର । ସମସ୍ତେ ଭୁବନେଶ୍ବର ଯାଇ ଟିକେଟ୍‌ ପାଇଁ ଲବି କରୁଥିବା ବେଳେ ସାରଦା ରାଉରକେଲାରେ ରହି ସାଂଗଠନିକ କାର୍ଯ୍ୟ କରୁଥିଲେ। ତାଙ୍କୁ ଟିକେଟ୍‌ ନ ଦେବାକୁ ରାଉରକେଲା ଓ ଭୁବନେଶ୍ବରରେ ତାଙ୍କ ବିରୋଧୀ ମେଳି କରି ବିଫଳ ହୋଇଥିଲେ। ସାରଦାଙ୍କୁ ଟିକେଟ୍ ମିଳିବା ପରେ ତାଙ୍କ ସମର୍ଥକମାନେ ବାଣ ଫୁଟାଇ ସ୍ବାଗତ କରିବା ସହ ବିଜୟ ଉତ୍ସବ ପାଳନ କରିଛନ୍ତି।

ସୁନ୍ଦରଗଡ଼ ଜିଲ୍ଲାର ସବୁଠୁ ବରିଷ୍ଠ ବିଜେଡି ନେତା ତଥା ଉଭୟ ବିଜୁ ପଟ୍ଟନାୟକ ଓ ନବୀନ ସରକାରରେ ଅନେକ ଥର ମନ୍ତ୍ରୀ ରହିଥିବା ମଙ୍ଗଳା କିସାନଙ୍କୁ ପୁଣି ରାଜଗାଙ୍ଗପୁରରୁ ଟିକେଟ୍‌ ମିଳିଛି। ବୟସାଧିକ କାରଣରୁ ମଙ୍ଗଳାଙ୍କ ପରିବର୍ତ୍ତେ ତାଙ୍କ ପୁଅ କିମ୍ବା ଅନ୍ୟ କାହାକୁ ଟିକେଟ୍ ଦିଆଯିବ ବୋଲି ପ୍ରଚାର ହୋଇଥିଲା। କିନ୍ତୁ ମଙ୍ଗଳାଙ୍କ ଉପରେ ପୁଣି ବିଶ୍ବାସ ରଖିଛନ୍ତି ନବୀନ। ଗତ ନିର୍ବାଚନକୁ ମିଶାଇ ଏହି ଆସନରେ ମଙ୍ଗଳା ୫ ଥର ବିଜୟୀ ହୋଇଛନ୍ତି।

ବଣାଇଁରୁ ପୂର୍ବତନ ଜିଲ୍ଲା ପରିଷଦ ସଭାପତି ରଣଜିତ କିସାନଙ୍କୁ ବିଜେଡି ଟିକେଟ୍ ମିଳିଛି। ରଣଜିତ ଦୁଇ ବର୍ଷ ପୂର୍ବେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ଟିକେଟ୍‌ ଦୌଡ଼ରେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ଭାବେ ପୂର୍ବତନ ବିଧାୟକ ଭୀମ ଚୌଧୁରୀ ଥିଲେ। ରଣଜିତ ପ୍ରଥମେ ଜନତା ଦଳରେ ଥିଲେ। କଂଗ୍ରେସରେ ଯୋଗ ଦେଇ ସେ ଲହୁଣିପଡ଼ାରୁ ୨ ଥର ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ସେ ସିପିଏମ୍‌ ପ୍ରାର୍ଥୀ ତଥା ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କୁ କଡ଼ା ଟକ୍କର ଦେବେ ବୋଲି କୁହାଯାଉଛି।

ସୁନ୍ଦରଗଡ଼ ବିଧାନସଭା ଆସନରେ ଯୋଗେଶ ସିଂହଙ୍କୁ ଟିକେଟ୍ ମିଳିଛି। ସୁନ୍ଦରଗଡ଼ରୁ ଦୁଇ ଥର ବିଧାୟକ ହୋଇଥିବା ଶ୍ରୀ ସିଂହ କିଛି ଦିନ ପୂର୍ବେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ତାଙ୍କୁ ନାରୀନେତ୍ରୀ କୁସୁମ ଟେଟେ ତୀବ୍ର ବିରୋଧ କରିବା ସହ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ପଦରୁ ଇସ୍ତଫା ଦେଇଥିଲେ। କିନ୍ତୁ ଯୋଗେଶଙ୍କ ଉପରେ ଦଳ ଭରସା କରିଛି। କୁସୁମ ଖୋଲାଖୋଲି ଅସନ୍ତୋଷ ଜାହିର କରୁଥିବାରୁ ସେ ଅନ୍ୟ ଦଳରୁ ନିର୍ବାଚନ ଲଢିବେ ‌ବୋଲି ତାଙ୍କ ସମର୍ଥକମାନେ କହୁଛନ୍ତି। ହେଲେ କୁସୁମଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ସେଭଳି କୌଣସି ନିଷ୍ପତ୍ତି ନିଆଯାଇନାହିଁ।

ତଳସରା ଆସନରେ ବିଜେଡି ଏଥର ଜଣେ ନୂଆ ମୁହଁକୁ ପ୍ରାର୍ଥୀ କରିଛି। ମେକାନିକାଲ ଇଂଜିନିଅର୍‌ ଷ୍ଟିଫେନ୍ ସୋରେଙ୍ଗ ଟିକେଟ୍‌ ପାଇଥିବାରୁ ଅନେକ ବରିଷ୍ଠ ଅସନ୍ତୋ‌ଷ ପ୍ରକାଶ କରୁଥିଲେ ବି ଦଳୀୟ ନିଷ୍ପତ୍ତି ବିରୋଧରେ ମୁହଁ ଖୋଲିନାହାନ୍ତି। ଷ୍ଟିଫେନ୍‌ଙ୍କ ଜରିଆରେ ବିଜେହି ଖ୍ରୀଷ୍ଟିଆନ‌ ଭୋଟ୍‌ ହାତେଇବା ଲକ୍ଷ୍ୟ ରଖିଛି। ବିଜେଡି ପକ୍ଷରୁ ଟିକେଟ୍‌ ବଣ୍ଟନ ପରେ ବିରୋଧୀ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି (ବିଜେପି) ବିଜେଡି ବିଦ୍ରୋହୀଙ୍କୁ ନିଜ ଆଡକୁ ନେବା ପାଇଁ ଉଦ୍ୟମ କରୁଛନ୍ତି।

ସମ୍ବନ୍ଧିତ ଖବର