ମାଲକାନଗିରି: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକର ୧୮ଟି ପଞ୍ଚାୟତରେ ଚଳିତ ପଞ୍ଚାୟତ ନିର୍ବାଚନ ହେବ।ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରଶାସନ ଏବଂ ପୁଲିସ ପକ୍ଷରୁ ସରିଛି।ଗତ ୨୦୧୭ ମସିହାରେ ପଞ୍ଚାୟତ ନିର୍ବାଚନ ହୋଇପାରିନଥିଲା। ଏଥର କିନ୍ତୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୭ଟି ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରାଯାଇ ନକ୍ସଲଙ୍କୁ ବେକଫୁଟକୁ ଠେଲିଦିଆଯାଇଛି। ତେଣୁ ଏହି ବ୍ଲକରର ୧୮ଟି ଯାକ ପଞ୍ଚାୟତରେ ସରପଞ୍ଚ, ସମିତି ସଭ୍ୟ ଏବଂ ଵାର୍ଡ ମେମ୍ବରମନେ ନିଜର ନାମାଙ୍କନ ପତ୍ର ଦାଖଲ କରିପାରିଥିଲେ। ନକ୍ସଲ ଏଥିପାଇଁ କୌଣସି ଧମକ ଦେଇନଥିଲେ।ତେବେ ପ୍ରାର୍ଥୀମାନଙ୍କ ଦ୍ବାରା ବେଧଡକ ପ୍ରଚାର ଚାଲିଛି।
ତେବେ ସ୍ବାଭିମାନ ଅଂଚଳର ୯ଟି ପଞ୍ଚାୟତ ନକ୍ସଲ ପ୍ରବଣ ଏବଂ ଅପହଞ୍ଚ ହୋଇ ରହିଥିବା ବେଳେ ଏହି ଅଂଚଳରେ ଯାନବାହାନରେ ପ୍ରଚାର କରିବା ଅସମ୍ଭବ। ତେଣୁ ସ୍ବାଭିମାନ ଅଂଚଳର ସରପଞ୍ଚ ଏବଂ ସମିତି ସଭ୍ୟର ପ୍ରାର୍ଥୀମାନେ ଘୋଡାରେ ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା। ପ୍ରାର୍ଥୀମାନଙ୍କ ସହ ତାଂକର ସମର୍ଥକମାନେ ଚାଲି ଚାଲି ଯାଉଥିବା ବେଳେ ପ୍ରାର୍ଥୀମାନେ ଘୋଡାରେ ବସି ବେକରେ ଫୁଲମାଳ ପକାଇ ଲୋକଙ୍କୁ ଭୋଟ ଭିକ୍ଷା କରୁଥିବା ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା। ଲୋକମାନେ ମଧ୍ୟ ଦୀର୍ଘ ଦିନ ପରେ ସେମାନଙ୍କ ଅଂଚଳରେ ନିର୍ବାଚନ ହେଉଥିବାରୁ ଖୁସି ଜାହିର କରିବା ସହ ପ୍ରାର୍ଥୀମାନଙ୍କର ପ୍ରଚାରରେ ଭାଗ ନେଉଥିଲେ। ଗାଁ ଗାଁକୁ ରାସ୍ତା ନଥିବାରୁ ପ୍ରାର୍ଥୀମାନେ ବିଜୟୀ ହେବା ପରେ ରାସ୍ତାକୁ ପ୍ରାଥମିକତା ଦେବେ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଉଥିଲେ।
ସ୍ବାଭିମାନ ଅଂଚଳର ବିକାଶକୁ ଯେପରି ଆହୁରି ଦ୍ରୁତ କରାଯିବ ସନେଇ ସମସ୍ତ ବ୍ୟବସ୍ଥା କରିବେ ବୋଲି କହୁଥିବା ଦେଖିବାକୁ ମିଳିଥିଲା।ଏହି ଅଭିନବ ପ୍ରଚାର ଜିଲ୍ଲା ପାଇଁ ଏକ ଚ୍ୟାଲେଞ୍ଜ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।ପ୍ରଶାସନ ନିର୍ବାଚନ ପରେ ଗାଁ ଗାଁକୁ ଯୋଡିବା ପାଇଁ ରାସ୍ତା ନିର୍ମାଣ କରିବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଲେଣି। ଲୋକଙ୍କର ସମସ୍ୟାକୁ ପ୍ରାଥମିକତା ଦେବେ ବୋଲି ପ୍ରାର୍ଥୀମାନେ ଭୋଟରମାନଙ୍କୁ ବୁଝାଇଥିଲେ। ତେବେ ଚିତ୍ରକୋଣ୍ଡା ବ୍ଲକରେ ୨ଟି ଜିଲ୍ଲା ପରିଷଦ ଜୋନ ରହିଥିବା ବେଳେ ୪୧,୫୮୨ ଭୋଟର ରହିଛନ୍ତି। ଏହି ବ୍ଲକରେ ୨୨୨ଟି ବୁଥ ରହିଥିବା ବେଳେ ୩୮ଟି ଅତିସମ୍ବେଦନଶୀଳ ଏବଂ ୧୫୯ଟି ସମ୍ବେଦନଶୀଳ ବୁଥ ରହିଥିବା ଜଣାପଡିଛି। ଆସନ୍ତା ୨୪ ତାରିଖରେ ଚିତ୍ରକୋଣ୍ଡା ବ୍ଲକର ଦୁଇଟି ଜୋନରେ ନିର୍ବାଚନ ହେବ। ଶେଷ ଦିନ ଏଠାରେ ରଖାଯାଇଥିବାରୁ ସମସ୍ତ ପ୍ରଶାସନ ଏବଂ ପୁଲିସ କଡା ସୁରକ୍ଷାରେ ଏଠାରେ ନିର୍ବାଚନ କରାଇବେ। ଦୁର୍ଗମ ତଥା ଅପହଞ୍ଚ ଅଂଚଳର ଭୋଟରମାନଙ୍କୁ ବୁଥ ନିକଟକୁ ଆଣିବା ପାଇଁ ବୋଟ କିମ୍ବା ଲଞ୍ଚର ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ବିଶାଲ ସିଂ ପ୍ରକାଶ କରିଛନ୍ତି। ଚିତ୍ରକୋଣ୍ଡାରେ ସୁରୁଖରୁରେ ଯେପରି ନିର୍ବାଚନ ହେବ ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/cf779283-91ff-4121-bcc3-224841041c47.jpg)