ଭୁବନେଶ୍ବର : କୋଭିଡ ମହାମାରୀକୁ ନେଇ ସମଗ୍ର ଦେଶରେ ସଂଗ୍ରାମ ଜାରି ରହିଥିବା ବେଳେ ଚଳିତ ବର୍ଷ ଓଡ଼ିଶା ସମେତ ଅନେକ ରାଜ୍ୟରେ ବିଧାନସଭା ନିର୍ବାଚନ ଓ ଉପନିର୍ବାଚନ ଅନୁଷ୍ଠିତ ହେବ। କରୋନା ସଂକ୍ରମଣ ସମୟରେ କିପରି ଦଳୀୟ ପ୍ରଚାର ଓ ସଭା ସମିତି ହେବ ସେ ନେଇ ଭାରତ ନିର୍ବାଚନ ଆୟୋଗ ସବୁ ରାଜନୈତିକ ଦଳମାନଙ୍କର ମତାମତ ଲୋଡ଼ିଛନ୍ତି। ଏହି ପ୍ରସଙ୍ଗରେ ଦଳ ସଭାପତି ନିଷ୍ପତ୍ତି ନେବେ ବୋଲି ବିଜେଡି କହିଥିବାବେଳେ ଘର ଘର ବୁଲି ପ୍ରଚାର କରିହେବ ବୋଲି କଂଗ୍ରେସ ମତ ରଖିଛି। ତେବେ ବିଜେପି କହିଛି ଯେ ଏଭଳି ସ୍ଥିତିରେ ନିର୍ବାଚନ ନ କରି ସବୁ ଦଳର ସହମତି ଆଧାରରେ ନିର୍ବାଚନକୁ ଘୁଞ୍ଚାଇ ଦେବା ଉଚିତ।

Advertisment

ଶନିବାର ଏହି ପ୍ରସଙ୍ଗରେ ମତ ରଖି ବିଜେଡି ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି, ଗଣତନ୍ତ୍ରରେ ନିର୍ବାଚନ ସମ୍ବିଧାନର ଅବିଚ୍ଛେଦ୍ୟ ଅଙ୍ଗ। କିନ୍ତୁ କୋଭିଡ ମହାମାରୀ ଏବେ ସମଗ୍ର ବିଶ୍ବରେ ଏକ ଅକଥନୀୟ ପରିସ୍ଥିତି ସୃଷ୍ଟି କରିଛି। ଏଭଳି ସ୍ଥିତିରେ ନିର୍ବାଚନ ପ୍ରଚାର କିପରି କରାଯିବ ସେଥିପାଇଁ ନିର୍ବାଚନ ଆୟୋଗ ରାଜନୈତିକ ଦଳମାନଙ୍କର ମତାମତ ମାଗି ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି। ଏ ନେଇ ଦଳ ସଭାପତିଙ୍କ ପକ୍ଷରୁ ଗଠନମୂଳକ ପ୍ରସ୍ତାବ ଦିଆଯିବ। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ନିଜର ମତ ରଖି କହିଛନ୍ତି, କରୋନା ପାଇଁ ସତର୍କତା ନିୟମାବଳୀ ଭିତରେ ନିର୍ବାଚନ ଅନୁଷ୍ଠିତ ହୋଇପାରିବ। ସଭାସମିତି ନ କରି ଭୋଟରଙ୍କ ଦୁଆର ଦୁଆର ବୁଲି ପ୍ରଚାର କରାଯାଇପାରିବ। ଏଥିରେ କଂଗ୍ରେସ ଦଳର କିଛି ଖର୍ଚ୍ଚ ହେବ ନାହିଁ। ଅଥଚ ବିଜେଡି ଓ ବିଜେପିର ଅଧିକ ଖର୍ଚ୍ଚ ହେବ ବୋଲି ସେ କଟାକ୍ଷ କରିଛନ୍ତି।

ଏହି ପ୍ରସଙ୍ଗରେ କିନ୍ତୁ ଭାରତୀୟ ଜନତା ପାର୍ଟି ଭିନ୍ନ ମତ ରଖିଛି। ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, କୋଭିଡ ମହାମାରୀ ପରି ଦୁର୍ବିପାକ ନିକଟ ଅତୀତରେ କେବେ ବି ହୋଇନଥିଲା। ଆଗରୁ ଏପରି ମହାମାରୀ ସମୟରେ ନିର୍ବାଚନ ହୋଇଛି କି ନାହିଁ ସେ ନେଇ ତଥ୍ୟ ନାହିଁ। ଏ ନେଇ ରାଜନୈତିକ ବିଶେଷଜ୍ଞମାନଙ୍କର ମତାମତ ନିଆଯିବା ଦରକାର। ତେବେ କରୋନା ସଂକ୍ରମଣ ଯେପରି ମାଡ଼ି ଚାଲିଛି ଏଭଳି ସ୍ଥିତିରେ କୌଣସି ନିର୍ବାଚନ ଘାତକ ହୋଇପାରେ। ଆସନ୍ତାଦିନରେ ସଂକ୍ରମଣ ହାର କମିବା ପରେ କଟକଣାରେ ନିର୍ବାଚନ କରାଯାଇପାରିବ।