Image Courtesy of Times Now
ଘୁ.ଉଦୟଗିରି: ସାଧାରଣ ନିର୍ବାଚନ ନିମନ୍ତେ ଦୀର୍ଘ ଦିନ ପ୍ରଚାର ପ୍ରସାରର ଅନ୍ତଘଟିଛି। ଶନିବାର ପ୍ରଚାରର ଶେଷ ଦିନ। ସନ୍ଧ୍ୟା ୫ଟାରେ ପ୍ରଚାର ସରିଛି। ସୋର ଶବ୍ଦ ଆଉ ଶୁଭୁନି। ପୁରା ପରିବେଶ ଶାନ୍ତ ପଡିଯାଇଛି। ଭୋଟରଙ୍କ ମନ ଜିଣିବା ନିମନ୍ତେ ସମସ୍ତ ନେତା ଶେଷ ପ୍ରୟାସ ଜାରି ରଖିଛନ୍ତି। ସଞ୍ଜ ନଇଁବା ପରେ ଅନ୍ଧାରୀ ବିଜେ ଆରମ୍ଭ ହୋଇଛି ସାହି ଗଳିକନ୍ଦିରେ। ଆଜି ପ୍ରଚାରର ଶେଷ ଦିନରେ ଗାଁ ଗାଁରେ ଚଳିଛି ପ୍ରଚାର ସାଙ୍ଗକୁ ଭୋଜିଭାତ।କର୍ମୀ ଲାଗୀପଡିଛନ୍ତି ନିଜ ନେତାଙ୍କୁ ଜିତେଇବା ପାଇଁ। କେଉଁ ଦଳ କେଉଁ ଉପାୟ ଅବଲମ୍ବନ କରୁଛି। କିଏ ଭୋଜିଭାତ କରି ଭୋଟରଙ୍କୁ ଆପାୟିତ କରୁଛି ତ କିଏ ଗାଁରେ କମିଟି ଡାକି ବୈଠକ କରି କିଛି ଦେବାର ପ୍ରତିଶ୍ରୁତି ଦେଉଛି। ଆଉ କେଉଁଠି ରଙ୍ଗ ପାଣିର ଆସର ଜମୁଛି। ଯିଏ ଯେମିତି ପ୍ରକାର ନିଜ ସପକ୍ଷରେ ଭୋଟ ହଟେଇବାକୁ କଳ ବଳ କୌଶଳ ଅବଲମ୍ବନ କରିବାରେ କାଗିପଡିଛନ୍ତି। ଦଳେ ଘରଘର ବୁଲି ପ୍ରଚାର କରୁଥିବା ବେଳେ ଦଳେ ଅନ୍ଧାରୀ ବିଜେ କରି ଘରକୁ ଘର ବୁଲି ଭୋଟରଙ୍କ ମନ କିଣିବାକୁ ପ୍ରୟାସ ଜାରି ରହିଛି।
ଘୁ.ଉଦୟଗିରି ବ୍ଲକରେ ମୋଟ ୮ଗୋଟି ପଞ୍ଚାୟତ ରେ ୩୩ଗୋଟି ବୁଥରେ ମୋଟ୨୭ହଜାର୫୬୦ଜଣ ମତଦାତା ନିଜ ମତସାବ୍ୟସ୍ତ କରିବେ। ସେଇଭଳି ଘୁ.ଉଦୟଗିରି ଏନଏସିରେ ମୋଟ୧୩ୱାର୍ଡର ୭ଗୋଟି ବୁଥରେ ୮ହଜାର୨୬୬ଜଣ ମତଦାତା ନିଜ ମତ ସାବ୍ୟସ୍ତ କରିବେ ଚଳିତ ନିର୍ବାଚନ ରେ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ନିମନ୍ତେ ମୋଟ ୮ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବା ବେଳେ କଂଗ୍ରେସ, ବିଜେଡି ଏବଂ ବିଜେପି ମଧ୍ୟରେ କଡା ମୁକାବିଲା ହେବା ନିଶ୍ଚିତ ହୋଇଯାଇଛି।
କଂଗ୍ରେସର ଗଡ଼ ଥିବା ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀରେ ବିଜେଡି ଏହି ଗଡ଼କୁ ୨୦୧୯ନିର୍ବାଚନ ରେ ଭେଦ କରି ନିଜ ଆକ୍ଟିଆରକୁ ଆଣିବାରେ ସକ୍ଷମ ହୋଇଥିଲା।ତଥାପି ବିଜେଡି ଚଳିତ ନିର୍ବାଚନରେ ପୁନର୍ବାର ବିଜୟ ପାଇଁ ସଙ୍ଘର୍ଷ ଜାରି ରଖିଛି। ବିଜେଡି ପାଇଁ ବିଜୟ ସହଜ ନୁହଁ କାରଣ ଚଳିତ ନିର୍ବାଚନ ରେ ଦଳୀୟ ଟିକେଟ ଆଶାୟୀ ମାନେ ଅସନ୍ତୁଷ୍ଟ ରହିଥିବା ବେଳେ ଦଳରେ ରହି ନିଜ ଦଳର କ୍ଷତି କରିବାରେ ଲାଗିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ଦଳରେ ରହି ଅନ୍ୟ ଦଳକୁ ଭୋଟ ଦେବା ନିମନ୍ତେ ନିଜ ପାଖଲୋକ ଏବଂ ନିଜର ଅତ୍ୟନ୍ତ ବିଶ୍ୱସ୍ତ ମାନଙ୍କୁ କହି ଦଳୀୟ ପ୍ରାର୍ଥୀଙ୍କୁ ହରେଇବା ଲକ୍ଷ ରଖିଛନ୍ତି। ସ୍ୱାମୀ ମରୁ ପଛେ ସଉତୁଣୀ ବିଧବା ହେଉ ନୀତିରେ ଚାଲିଛି ଦଳୀୟ ରାଜନୀତି।
ଅନ୍ୟପକ୍ଷରେ କଂଗ୍ରେସରେ ଦଳୀୟ ପ୍ରାର୍ଥୀ ଚୟନକୁ ନେଇ ମୂଳରୁ ଦଳ ଭିତରେ ଅସନ୍ତୋଷ ଲାଗିରହିଥିବା ବେଳେ ଦଳର ବହୁ ନେତା କର୍ମୀ ଦଳ ତ୍ୟାଗ କରି ଅନ୍ୟ ଦଳରେ ଯୋଗ ଦେଇଥିବା ସତ୍ତ୍ୱେ କଂଗ୍ରେସ ନିଜ ପାରମ୍ପରିକ ପକେଟ ଭୋଟକୁ ନେଇ ନିଜ ଦମ ଦେଖେଇବା ପାଇଁ ଚେଷ୍ଟା ଜାରି ରଖିଛି। ବିଜେପି ଦଳରେ ମଧ୍ୟ ପ୍ରାର୍ଥୀ ଚୟନକୁ ନେଇ ପ୍ରବଳ ଅସନ୍ତୋଷ ଲାଗିରହିଥିବା ବେଳେ ଦଳୀୟ ନେତାମାନେ ଏହି ଅସନ୍ତୋଷରେ ପେଚ ପକେଇବା ସତ୍ତ୍ୱେ ଅସନ୍ତୁଷ୍ଟମାନେ ଦଳର କିଛି କ୍ଷତି ନ କଲେ ମଧ୍ୟ ଦଳର କିଛି ଲାଭ ହେଲାଭଳି କାର୍ଯ୍ୟ କରୁନଥିବା ଦେଖିବାକୁ ମିଳୁଛି।
ଅସନ୍ତୁଷ୍ଟ ନେତାକର୍ମୀ ଦଳୀୟ ପ୍ରଚାରରୁ ଦୁରେଇ ରହିଛନ୍ତି। ମୋଦୀ ହାୱାରେ ବିଜେପି ଭୋଟରେ ପାର ହେବା ନେଇ ଆଶା ରଖିଛି। ଏହାସହ ଅନ୍ୟ ଦଳୀୟ ଏବଂ ସ୍ୱାଧୀନ ୫ଜଣ ପ୍ରାର୍ଥୀମାନଙ୍କ ଭୂମିକା ମଧ୍ୟ କିଛି କମ ନୁହଁ। କାରଣ ଏହି ୫ଜଣ କିଛି ଦଳୀୟ ପ୍ରାର୍ଥୀଙ୍କ ଭୋଟରେ ପ୍ରଭାବ ପକେଇବେ। ଚଳିତ ନିର୍ବାଚନ ରେ ବିଜେଡି ନିଜ ଭୋଟ ବ୍ୟବଧାନ ବୃଦ୍ଧି କରିବା ଚକରରେ ଥିବା ବେଳେ କଂଗ୍ରେସ ନିଜ ପାରମ୍ପରିକ ଭୋଟ ଏବଂ ବିଜେପି ନିଜ ଦଳ ପାଇଁ ମୋଦିଙ୍କ ହାୱା ଭୋଟ ଉପରେ ବିଜୟ ପାଇଁ ଆଶା ରଖିଥିବା ବେଳେ ସମସ୍ତ ଦଳ ଆଜି ନିର୍ବାଚନ ପ୍ରଚାର ସରିବା ପରେ ଗୁପ୍ତ ସ୍ଥାନରେ ଗୁପ୍ତ ବୈଠକ ଆୟୋଜନ କରି ଗୁପ୍ତ ଭାବେ ଅନ୍ଧାରୀ ବିଜେ ପାଇଁ ଯୋଜନା ପ୍ରସ୍ତୁତ ଚାଲିଛି।ଘରେ ଘରେ ପହଞ୍ଚିବେ ଅନ୍ଧାରୀ ବିଜେର ସାରଥୀ ମାନେ।
Follow Us