ଝାରସୁଗୁଡ଼ା: ବ୍ରଜରାଜନଗର ଉପନିର୍ବାଚନ ନିମନ୍ତେ ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା ସଂପୂର୍ଣ୍ଣ ହୋଇଛି। ଆଜି ସକାଳୁ ରିସିଭିଂ ସେଣ୍ଟର କରାଯାଇଥିବା ଝାରସୁଗୁଡ଼ା ଯାନ୍ତ୍ରିକ ବିଦ୍ୟାଳୟରୁ ପୁଲିଂ କର୍ମଚାରୀ ମାନେ ନିଜ ନିଜ ବୁଥ୍ ଅଭିମୁଖେ ଭୋଟ ଗ୍ରହଣ ସାମଗ୍ରୀ ନେଇ ପ୍ରସ୍ଥାନ କରିଛନ୍ତି। ନିର୍ବାଚନ ମଣ୍ଡଳୀର ସୁମୁଦାୟ ୨୭୯ ବୁଥ୍ରେ ଏହି ପୁଲିଂ କର୍ମଚାରୀ ମାନେ ପହଞ୍ଚି ସାରିଥିବା ଜିଲ୍ଲାପାଳ ସରୋଜ କୁମାର ସାମଲ ଭିଡିଓ ବାର୍ତ୍ତା ମାଧ୍ୟମରେ ଜଣାଇଛନ୍ତି। ପ୍ରତିବୁଥରେ ଜଣେ ପ୍ରିଜାଇଡିଂ ଅଫିସର, ୩ ଜଣ ପୁଲିଂ ଅଫିସର ନିଯୁକ୍ତ କରାଯାଇଛି। ଏଥିରେ ୩୧୪ ଜଣ ଲେଖାଁଏ ପ୍ରିଜାଇଡିଂ ଅଫିସର, ପ୍ରଥମ ପୁଲିଂ ଅଫିସର, ଦ୍ବିତୀୟ ପୁଲିଂ ଅଫିସର ଓ ତୃତୀୟ ପୁଲିଂ ଅଫିସର ଥିବା ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅଜୟ କୁମାର ଜେନା କହିଛନ୍ତି।

Advertisment

ସେହିଭଳି ଭୋଟ ଗ୍ରହଣ କେନ୍ଦ୍ର ପାଇଁ ଏକ ହଜାର ପୁଲିସ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି। ୨୭୯ ଭୋଟ ଗ୍ରହଣକେନ୍ଦ୍ର ମଧ୍ୟରୁ ୬୦ ଗୋଟି ବୁଥ୍କୁ ସମ୍ବେଦନଶୀଳ ବୁଥ୍ ଭାବରେ ଚିହ୍ନଟ କରାଯାଇଛି। ୩୦ ଗୋଟି ବୁଥ୍କୁ ମୋଡେଲ ବୁଥ୍ ଓ ୫ ଗୋଟି ବୁଥ୍କୁ ପିଙ୍କ ବୁଥ୍ କରାଯାଇଛି। ଜିଲ୍ଲାପାଳ ଶ୍ରୀ ସାମଲ କହିଛନ୍ତି ଯେ, ନିର୍ବାଚନ କମିସନଙ୍କ ଦ୍ବାରା ପ୍ରଦତ୍ତ ଆଚରଣବିଧିକୁ ପାଳନ କରିବା ପାଇଁ ସବୁ ପ୍ରାର୍ଥୀ ଓ ରାଜନୈତିକ ଦଳଙ୍କୁ ଅନୁରୋଧ କରାଯାଇଛି। ୧୪୫ ଗୋଟି ବୁଥରେ ୱେବ୍ କାଷ୍ଟିଂ ପାଇଁ ବ୍ୟବସ୍ଥା କରାଯାଇଛି। ୩୧ ତାରିଖ ଦିନ ସକାଳ ୭ ଟାରୁ ଭୋଟ ଗ୍ରହଣ ଆରମ୍ଭ ହେବା ପାଇଁ ସବୁ ବ୍ୟବସ୍ଥା କରାଯାଇଛି।

publive-image

ସମୁଦାୟ ନିର୍ବାଚନ ମଣ୍ଡଳୀକୁ ୩୧ ଗୋଟି ସେକ୍ଟରରେ ବିଭକ୍ତ କରାଯାଇଛି। ପ୍ରତି ସେକ୍ଟରରେ ସେକ୍ଟର ଅଫିସର ଓ ସେକ୍ଟର ମାଜିଷ୍ଟ୍ରେଟ ନିଯୁକ୍ତ କରାଯାଇଛି। ୨୫ ଗୋଟି ମୋବାଇଲ ଟିମ୍ ଗଠନ କରାଯାଇଛି। ୧୦ ଗୋଟି ଟିମ୍ ମଦ, ଅସ୍ତ୍ରଶସ୍ତ୍ର ଓ ଅନୈତିକ କାର୍ଯ୍ୟକଳାପ ଅନୁଧ୍ୟାନ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ୧୦ ଗୋଟି ସର୍ଭିଲେନ୍ସ ଟିମ୍ ଗଠନ କରାଯାଇଛି। ଆଜି ସନ୍ଧ୍ୟା ୬ ଟାରୁ ପ୍ରଚାର ଶେଷ ହୋଇ ଯାଇଥିବା ବେଳେ ନିର୍ବାଚନ ପାଇଁ ପ୍ରଶାସନ ସଂପୂର୍ଣ୍ଣ ପ୍ରସ୍ତୁତ ବୋଲି ଶ୍ରୀ ସାମଲ ସୂଚନା ଦେଇଛନ୍ତି।