ଭାଇ ପାଇଁ ଅଣ୍ଟା ଭିଡ଼ିଲେ ଭାଇ : ରକ୍ତ ସମ୍ପର୍କ ଆଗ, ଦଳ ପଛ

ଦଶରଥପୁର : କଥାରେ ଅଛି ଯୁଦ୍ଧ ଯଦି କରିବସିବୁ ସାଙ୍ଗରେ ଥିବ ଭାଇ। ଏକଥାର ପ୍ରମାଣ ମିଳିଛି ଯାଜପୁର ସଂସଦୀୟ କ୍ଷେତ୍ର ଏବଂ ବିଂଝାରପୁର ନିର୍ବାଚନ ମଣ୍ଡଳୀରେ। ନିର୍ବାଚନ ବୈତରଣୀ ପାର କରିବାକୁ ରକ୍ତ ସଂପର୍କ ଆଗରେ ଦଳ ତୁଚ୍ଛ ହୋଇଯାଇଛି। ନିର୍ବାଚନ ମଇଦାନରେ ରାଜ୍ୟର ବିଭିନ୍ନ ଆସନରେ ଭାଇ-ଭାଇ, ସ୍ବାମୀ-ସ୍ତ୍ରୀ, ବାପ-ପୁଅଙ୍କ ମଧ୍ୟରେ ଲଢେଇ ‌େହଉଛି। ଯାଜପୁରର ଚିତ୍ର ନିଆରା। ଦଳକୁ ପଛରେ ପକାଇ ନେତାମାନେ ସମ୍ପର୍କକୁ ଗୁରୁତ୍ବ ଦେଇଛନ୍ତି। ଯେମିତିକି ବିଜେଡି ନେତା ପରେଶ ମଲିକ ବିଜେପି ସାଂସଦ ପ୍ରାର୍ଥୀ ଭାଇ ଅମିୟ ମଲିକଙ୍କ ପ୍ରଚାର ମଙ୍ଗ ଧରିଛନ୍ତି। ସେହିପରି ଅଣକଂଗ୍ରେସ ନେତା ପୂର୍ବତନ ସାଂସଦ ଅଞ୍ଚଳ ଦାସ ସାନ ଭାଇ କଂଗ୍ରେସ ବିଧାୟକ(ବିଂଝାରପୁର) ପ୍ରାର୍ଥୀ ମନୋରଂଜନ ଦାସଙ୍କ ପାଇଁ ଅଣ୍ଟା ଭିଡ଼ିଛନ୍ତି।

ବିଜେପିର ସାଂସଦ ପ୍ରାର୍ଥୀ ଅମିୟ ମଲ୍ଲିକଙ୍କ ଭାଇ ପରେଶ ମଲିକ ବିଜେଡିର ରାଜ୍ୟ ଦଳିତ ସେଲ ସାଧାରଣ ସଂପାଦକ। ପରେଶଙ୍କର ଦଶରଥପୁର, ବିଂଝାରପୁର ସମେତ ଯାଜପୁରଟାଉନରେ ସ୍ୱତନ୍ତ୍ର ସଂଗଠନ ରହିଛି। ବିଭିନ୍ନ ଦିଗରେ ଲୋକଙ୍କୁ ନିଯୁକ୍ତି ଦେଇଥିବା, ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜନ କରୁଥିବାରୁ ପରେଶଙ୍କ ସହ ବହୁ ଲୋକ ‌ଯୋଡି ହୋଇ ରହିଛନ୍ତି। ଯଦିଓ ପରେଶ ଏବେ ବି ବିଜେଡିରେ ଅଛନ୍ତି ଭାଇ ଅମୀୟ ମଲିକ ପାଇଁ ଫୁଲ ଚିହ୍ନରେ ଭୋଟ ଦେବା ପାଇଁ ଖୋଲାଖୋଲି ପ୍ରଚାର କରିବା ସହିତ ବିଜେପିର ମଙ୍ଗ ଧରିଛନ୍ତି। ଆଉ ଏକ ଭାଇଭାଇର ନମୁନା ମଧ୍ୟ ବିଂଝାରପୁରରେ ଦେଖିବାକୁ ମିଳିଛି। ମନୋରଂଜନ ଦାସଙ୍କୁ କଂଗ୍ରେସ ବିଂଝାରପୁର ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ପ୍ରାର୍ଥୀ କରିଛି। ତାଙ୍କ ଭାଇ ପୂର୍ବତନ ସାଂସଦ ଅଂଚଳ ଦାସ ବିଜେପିରେ ଥିଲେ। ଅଂଚଳ ଦାସ ପୂର୍ବରୁ ୧୯୯୬-୯୮ ଯାଜପୁର ସାଂସଦ ରହିଥିବା ବେଳେ ୫ ଥର ଯାଜପୁର ଏବଂ ବିଂଝାରପୁରରୁ ବିଧାୟକ ଭାବେ ନିର୍ବାଚନ ଲଢିଛନ୍ତି। ଅଞ୍ଚଳଙ୍କର ନିଜସ୍ୱ କିଛି ସଂଗଠନ ରହିଛି। ଭାଇ ମନୋରଂଜନଙ୍କୁ ସହଯୋଗର ହାତ ବଢାଇବା ପାଇଁ ଶେଷରେ ଅଞ୍ଚଳ କଂଗ୍ରେସରେ ସାମିଲ ହୋଇଛନ୍ତି। ଭାଇ ମନୋରଂଜନ ଦାସଙ୍କୁ ଜିତାଇବା ପାଇଁ କଂଗ୍ରେସର ପ୍ରଚାର କରୁଛନ୍ତି। ଅମୀୟ-ପରେଶ ଓ ମନୋରଂଜନ-ଅଞ୍ଚଳଙ୍କ ଭାଇ-ଭାଇ ସମ୍ପର୍କକୁ ନେଇ ଚର୍ଚ୍ଚା ଏବେ ରୋଚକ ମୋଡ଼ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର