ଭୁବନେଶ୍ବର/ବାଲିଅନ୍ତା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ପରିସ୍ଥିତି ସେତିକି ମାତ୍ରାରେ ସରଗରମ ହୋଇପଡ଼ୁଛି। ଗତକାଲି ନାମାଙ୍କନପତ୍ର ଦାଖଲ ସରିବା ପରେ ପ୍ରାର୍ଥୀମାନଙ୍କ ପ୍ରଚାର ପୂର୍ବ ଅପେକ୍ଷା ଜୋର ଧରିଛି। ବିଭିନ୍ନ ଗ୍ରାମ ଓ ୱାର୍ଡ଼ରେ ସରପଞ୍ଚ, ସମିତି ସଭ୍ୟ ପ୍ରାର୍ଥୀ/ପ୍ରାର୍ଥୀନୀ ଏଗାଁରୁ ସେ ଗାଁ ଘରକୁ ଘର ବୁଲି ପ୍ରଚାର ଆରମ୍ଭ କରିଦେଲେଣି। ସେହିପରି ଦଳୀୟ ଟିକେଟ ପାଇଥିବା ୩ ପ୍ରମୁଖ ରାଜନୈତିକ ଦଳ ବିଜେଡ଼ି, ବିଜେପି ଏବଂ କଂଗ୍ରେସ ସମର୍ଥିତ ପ୍ରାର୍ଥୀମାନେ ମଧ୍ୟ ଭୋଟରଙ୍କୁ ନିଜ ସପକ୍ଷରେ ଭୋଟ ଦେବା ପାଇଁ ଦଳୀୟ ସମର୍ଥକଙ୍କ ଗହଣରେ ଗୋଟିଏ ପଞ୍ଚାୟତରୁ ଆଉ ଗୋଟିଏ ପଞ୍ଚାୟତକୁ ଘୂରି ବୁଲିଲେଣି। ଭୋଟରମାନଙ୍କୁ ପ୍ରଭାବିତ କରିବା ଲାଗି ଦଳୀୟ ସମର୍ଥିତ ସରପଞ୍ଚ, ସମିତି ସଭ୍ୟ ଏବଂ ଜିଲ୍ଲା ପରିଷଦ ପ୍ରାର୍ଥୀ ଚେଷ୍ଟା ଚଳାଇଛନ୍ତି। ତେଣୁ ଏନେଇ ଗାଁ ଗାଁରେ ଭୋଜିଭାତର ଆସର ଜମିଲାଣି। ଏମିତିକି ଅନେକ ପ୍ରାର୍ଥୀ କରୋନା କଟକଣା ନିୟମକୁ ଉଲ୍ଳଂଘନ କରି ଭୋଜିଭାତ ଆୟୋଜନ କରୁଥିବା ଦେଖିବାକୁ ମିଳୁଛି। ଦେବାଦେବୀଙ୍କ ପୀଠ, ମଠ, ମନ୍ଦିର ଗାଁ କ୍ଲବ ଘର, କୋଠଘର ଆଦି ସ୍ଥାନରେ ଭୋଜିଭାତ ଆୟୋଜନ ହେଉଛି। ସପ୍ତାହର ବାରିଦିନ ଅନୁସାରେ ଭୋଟରଙ୍କୁ ଭୋଜିଭାତ ପରିବେଷଣ କରାଯାଉଛି। ଆମିଷ ବାରିଦିନରେ ମାଛ, ଖାସି ମାଂସ, ଚିକେନ ଏବଂ ବଡ଼ ଚିଙ୍ଗୁଡ଼ି ମାଛର ବାସ୍ନାରେ ଗାଁ ଦାଣ୍ଡ ଓ ପଡ଼ା ମହକୁଛି। ସେହିପରି ସପ୍ତାହର ଅନ୍ୟ ନିରାମିଷ ବାରିଦିନରେ ମଠ ମନ୍ଦିରରେ ଅରୁଆ ଭାତ, କାନକା, ସାଙ୍ଗକୁ ଡାଲମା ଓ ଖିରି ଓ ଖଟା ପରିବେଶଷ ହେଉଛି।
ଭୋଜିଭାତ ଦେବା ନେଇ ପ୍ରାର୍ଥୀମାନେ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ କରିଦେଇଛନ୍ତି। ଦିନବେଳା ମଠ ମନ୍ଦିର ବେଢ଼ାରେ ଭୋଜିଭାତ ପରିବେଷଣ ହେଉଥିବା ବେଳେ ରାତିରେ ଗାଁ ପଡ଼ା ଭିତରେ ମଦ ଓ ଆମିଷର ଆସର ଜମୁଛି। କିଛି ସଚେତନ ସ୍ଥାନୀୟ ବୁଦ୍ଧିଜୀବୀ ଏସଂପର୍କରେ ବାଲିଅନ୍ତା ଥାନା ପୁଲିସ ଏବଂ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ଫୋନକରି ଜଣାଉଥିଲେ ମଧ୍ୟ ପୁଲିସ ପକ୍ଷରୁ ଭୋଟରଙ୍କୁ ପ୍ରଭାବିତ କରୁଥିବା ପ୍ରାର୍ଥୀମାନଙ୍କ ବିରୋଧରେ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ବର୍ଇଚୁଆ ପଞ୍ଚାୟତରେ କାଶି ବିଶ୍ବନାଥ ମନ୍ଦିରରେ ଭୋଜିଭାତ ସଂପର୍କରେ ସ୍ଥାନୀୟ ଲୋକ ବାଲିଅନ୍ତା ଥାନାକୁ କିଛି ବିରୋଧୀ ପ୍ରାର୍ଥୀ ଫୋନକରି ଜଣାଇଥିଲେ ମଧ୍ୟ ପୁଲିସ କିଛି ଶୁଣିନଥିବା ଅଭିଯୋଗ ହେଉଛି। କିନ୍ତୁ ଗତକାଲି ଉକ୍ତ ପଞ୍ଚାୟତ ସିଦ୍ଧେଶ୍ବର ପୀଠରେ ଭୋଜିଭାତ ଚାଲିଥିବା ବେଳେ ପୁଲିସ ଚଢ଼ଉ କରିଥିଲେ ମଧ୍ୟ ଭୋଜି-ଭାତ ସାମଗ୍ରୀ ଜବତ ନକରିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଗୋଷ୍ଠୀର ମୁଖ୍ୟଙ୍କ ଚାପରେ ପୁଲିସ ପ୍ରଭାବିତ ହୋଇ ତାଙ୍କ ସମର୍ଥିତ ଦଳୀୟ ପ୍ରାର୍ଥୀଙ୍କୁ ପୁଲିସ ସହାୟତା କରୁଥିବା ଅଭିଯୋଗ ହେଉଛି।
ସତ୍ୟଭାମାପୁର, ପ୍ରତାପଶାସନ, ଉମାଦେଇ ବ୍ରହ୍ମପୁର, ଭିଙ୍ଗାରପୁର, ବେଣ୍ଟପୁର, ବାଲିଅନ୍ତା, ଝିଣ୍ଟିଶାସନ, ପୂରଣପଧାନ, ସରକଣା, ବେଣୁପୁର, ଜୟଦେବ, ପ୍ରତାପରୁଦ୍ରପୁର, ପୁରୋହିତପୁର, ଆଦି ଗ୍ରାମ ଓ ପଞ୍ଚାୟତରେ ଭୋଜିଭାତର ଆସର ଜମୁଛି। ଭୋଜିଭାତକୁ ନେଇ ଗାଁରେ ଅପ୍ରୀତିକର ପରିସ୍ଥିତି ଉପୁଜିବାର ଆଶଙ୍କା ଥିବାରୁ ପୁଲିସ ପାଟ୍ରୋଲିଂ ଆବଶ୍ୟକ ଥିବା ବେଳେ ପୁଲିସ ପକ୍ଷରୁ ପାଟ୍ରୋଲିଂ ହେଉନଥିବା ସୂଚନା ମିଳିଛି। ଯାହାଫଳରେ ନିର୍ବାଚନ ସମୟରେ ରାଜନୈତିକ ହିଂସା ଦେଖାଦେବାର ଆଶଙ୍କା ରହିଛି। ଏଦିଗରେ ସ୍ଥାନୀୟ ପୁଲିସ ଏବଂ ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି।