ମାଳମାଳ ଜାଲ୍‌ ଆଇଡିରେ ନିର୍ବାଚନ ପ୍ରଚାର: ପୂର୍ବରୁ ସତର୍କ କରାଇଥିଲା ମାଇକ୍ରୋସଫ୍ଟ

ଅଙ୍କୁଶ ଲାଗୁନି, ଆକ୍ଷେପ ଓ ପ୍ରତି ଆକ୍ଷେପ ସୀମା ଟପୁଛି

ମଳୟ ପରିଡ଼ା

ସମ୍ବଲପୁର: ନିର୍ବାଚନ ମାହୋଲ ଯେତିକି ସରଗରମ ହେଉଛି, ସାମାଜିକ ଗଣମାଧ୍ୟମରେ ଏହାର ଭିଡ଼ ମଧ୍ୟ ଦେଖିବାକୁ ମିଳୁଛି। ତେବେ, ଚିନ୍ତାଜନକ ବିଷୟ ହେଉଛି, ମାଳମାଳ ଜାଲ୍‌ ଆଇଡିରେ ପ୍ରଚାର କରାଯିବା ସହିତ ପରସ୍ପର ପ୍ରତି ଆକ୍ଷେପ ଓ ପ୍ରତିଅ‌ାକ୍ଷେପ କରାଯାଉଛି। କିଏ ରାଜନୈତିକ କ୍ୟାରିୟର୍‌ ଉପରେ ପ୍ରଶ୍ନ କଲାଣି ତ ଆଉ କିଏ ବିଗତ ବର୍ଷରେ କେତେ କାମ କରିଛ ବୋଲି ଉତ୍ତର ମାଗିଲାଣି। ଏଥିପ୍ରତି ଦୃଷ୍ଟି ଦିଆନଗଲେ ଆଗକୁ ଭୟଙ୍କର ପରିସ୍ଥିତି ସୃଷ୍ଟିହେବାର ସମ୍ଭାବନା ରହିଛି।

ସୂଚନା ଅନୁସାରେ, ଫେସ୍‌ବୁକ୍‌, ଇନଷ୍ଟାଗ୍ରାମ୍‌ ଓ ଏକ୍ସ(ପୂର୍ବର ଟ୍ବିଟର୍‌)କୁ ସବୁଠାରୁ ଅଧିକ ବ୍ୟବହାର କରାଯାଉଛି। ଲୋକଙ୍କ ପାଖରେ ପୋଷ୍ଟ ପହଞ୍ଚାଇବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ବି କରାଯାଉଛି। ପୋଷ୍ଟ୍‌ ଦ୍ବାରା ବିରୋଧରେ ଛିଡ଼ା ହୋଇଥିବା ପ୍ରାର୍ଥୀଙ୍କୁ ଆକ୍ଷେପ କରାଯିବା ସହ ନିଜର ଗୁଣଗାନ କରି ଲୋକଙ୍କୁ ପ୍ରଭାବିତ କରିବାକୁ ଯଥାସମ୍ଭବ ଚେଷ୍ଟା ଚାଲିଥିବା ଜଣେ ଫେସ୍‌ବୁକ୍‌ ବ୍ୟବହାରକାରୀ କହିଛନ୍ତି। ଏପରିକି, ଏହି ପୋଷ୍ଟ ପାଇଁ ଏବେ ସାମାଜିକ ଗଣମାଧ୍ୟମରେ ମାଳମାଳ ଆକାଉଣ୍ଟ ରହିଥିବା ସେ ଦାବି କରିଛନ୍ତି। ଏସବୁମଧ୍ୟରେ ମାଇକ୍ରୋସଫ୍‌ଟ ପକ୍ଷରୁ ଦିଆଯାଇଥିବା ସତର୍କବାଣୀକୁ ମଧ୍ୟ ସମସ୍ତେ ଏକପ୍ରକାର ଭୁଲି ଯାଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ମାଇକ୍ରୋସଫ୍ଟ ପକ୍ଷରୁରୁ ଚେତାବନୀ ଦିଆଯାଇଥିଲା କି, ଚୀନ କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ(ଏଆଇ) ସହାୟତାରେ ଭାରତରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ ପ୍ରଭାବିତ କରିବାକୁ ଚାହୁଛି। କେବଳ ଭାରତ ନୁହେଁ, ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ଓ ଦକ୍ଷିଣ କୋରିଆର ସାଧାରଣ ନିର୍ବାଚନକୁ ମଧ୍ୟ ପ୍ରଭାବିତ କରିବାକୁ ଚୀନ ଚେଷ୍ଟା ଚଳାଇଛି।

ତାଇୱାନର ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଉପରେ ଚୀନ ଏଆଇ ସହାୟତାରେ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିବା ବେଳେ ଏହି ଚେତାବନୀ ଆସିଥିଲା। ମାଇକ୍ରୋସଫ୍ଟର ସହ ସଂସ୍ଥାପକ ବିଲ୍ ଗଟେସ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ସମୟରେ ଏହି ସତର୍କବାଣୀ ଦିଆଯାଇଥିଲା। ଏଆଇ ଦ୍ବାରା ବିଭିନ୍ନ ବିଷୟବସ୍ତୁ ତିଆରି କରି ନିର୍ବାଚନକୁ ପ୍ରଭାବିତ କରିବାକୁ ବେଜିଂରେ ଏକାଧିକ ହ୍ୟାକର୍‌ ଦିନ-ରାତି କାମ କରୁଛନ୍ତି। ଏଆଇ ଦ୍ୱାରା ନକଲି ରାଜନୀତିକ ବିଜ୍ଞାପନ ପ୍ରସ୍ତୁତ କରୁଛନ୍ତି ଚାଇନା ସମର୍ଥିତ ସାଇବର ଗ୍ରୁପ୍। ମିଥ୍ୟା ବିଷୟବସ୍ତୁ ଓ ଡିପ୍‌ଫେକ୍ ଦ୍ୱାରା ସାମାଜିକ ଗଣମାଧ୍ୟମରେ ବିଭିନ୍ନ ଭିଡିଓକୁ ପ୍ରଚାର କରିବାକୁ ଷଡ୍‌ଯନ୍ତ୍ର ପ୍ରସ୍ତୁତ ହୋଇଛି। ଏପରିସ୍ଥଳେ, ମାଳମାଳ ଫେକ୍‌ ଆଇଡି ଏବେ ଚିନ୍ତାର କାରଣ ପାଲଟିଛି। ଏଥିପ୍ରତି ଦୃଷ୍ଟିନଦେଲେ ଆଗକୁ ପରିସ୍ଥିତି ଉଦ୍‌ବେଗଜନକ ‌ହୋଇପଡ଼ିବ ବୋଲି ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର