ପାଖେଇ ଆସୁଛି ନିର୍ବାଚନ : ଭୋଟ୍ ପାଇଁ ଚାଲିଛି କସରତ, ନିଜ ନିଜ ସମର୍ଥକଙ୍କ ସହ ଘର ଘର ବୁଲି ପ୍ରଚାର କରୁଛନ୍ତି ନେତା

ଭବନେଶ୍ୱର : ପାଖେଇ ଆସୁଛି ନିର୍ବାଚନ । ସରଗରମ ହେଲାଣି ନିର୍ବାଚନ ପ୍ରଚାର । ଉପକୂଳ କେନ୍ଦ୍ରାପଡା ଆଳିରୁ ଉପାନ୍ତ ମାଲକାନଗିରି ଜିଲ୍ଲା ସବୁଠି ଜମିଲାଣି ନିର୍ବାଚନୀ ପ୍ରଚାରର ମାହୋଲେ। ସେହିପରି କଟକରୁ କାମାକ୍ଷାନଗର ଗାଁ ଗାଁ ଓ ସାହି ସାହି ବୁଲି ପ୍ରଚାରରେ ଲାଗି ପଡିଛନ୍ତି ତିନି ପ୍ରମୁଖ ଦଳର ନେତା । ନିଜ ନିଜ ସମର୍ଥକଙ୍କ ସହ ଯାଇ ଭୋଟ ଭିକ୍ଷା କରୁଛନ୍ତି ସାଂସଦ ଓ ବିଧାୟକ ପ୍ରାର୍ଥୀ ।

ରାଜ୍ୟ ରାଜନୀତିରେ ବେଶ୍ ଗୁରୁ୍ତ୍ୱ ରଖୁଥିବା ଆଳି ନିର୍ବାଚନ ମଣ୍ଡଳୀରେ ପ୍ରଚାରକୁ ଜୋରଦାର କରିଛି ବିଜେଡି । ବିଜେଡି ବିଧାୟକ ପ୍ରାର୍ଥୀ ପ୍ରତାପ ଦେବ ଓ କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ଅନୁଭବ ମହାନ୍ତି ବିଶାଳ ରୋଡ ସୋ କରି ପ୍ରଚାର କରିଛନ୍ତି । ନିର୍ବାଚନରେ ବିକାଶକୁ ପ୍ରତାପ ମୁଦା କରିଥିିବାବେଳେ ବିଜୁ ଓ ନବୀନଙ୍କ ପ୍ରତିନିଧି ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ଅନୁଭବ।

ସେହିପରି ନବରଙ୍ଗପୁର ଲୋକସଭା ଆସନରେ ଜୋର ଧରିଛି ପ୍ରଚାର ଲଢେଇ । ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ତିନି ଦଳର ହେଭିୱେଟ ପ୍ରାର୍ଥୀ। ନବୀନଙ୍କ ବିକାଶ ନାରା ନେଇ ରମେଶ ମାଝି ପ୍ରଚାର କରୁଛନ୍ତି । ନବୀନଙ୍କ ବିକାଶ ଓ କେନ୍ଦ୍ର ଅବହେଳାକୁ ପ୍ରସଙ୍ଗ କରି ନିଜ ସମର୍ଥକଙ୍କ ସହ ପ୍ରଚାର କରୁଛନ୍ତି ରମେଶ । ସେପଟେ ନବରଙ୍ଗପୁର ଲୋକସଭା ଆସନ ପାଇଁ କଂଗ୍ରେସ ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝି ଦଳବଦଳ ସହ ପ୍ରଚାର କରୁଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ କରିଛନ୍ତି ପ୍ରଦୀପ ।

କଟକରେ ବି ଜମିଲାଣି ନିର୍ବାଚନ ପ୍ରଚାର । ବିଜେପି ଲୋକସଭା ପ୍ରାର୍ଥୀ ପ୍ରକାଶ ମିଶ୍ର ବିଭିନ୍ନ ସ୍ଥାନରେ ସମାବେଶ କରିବା ସହ ଦୋକାନ ବଜାର ବୁଲି ଭୋଟରଙ୍କୁ ମନେଇବାକୁ ଉଦ୍ୟମ କରୁଛନ୍ତି । ସେହିପରି କଟକ-ବାରବାଟୀ ବିଧାନସଭା କ୍ଷେତ୍ରରେ ଜୋରଦାର ପ୍ରଚାର ଚଲାଇଛନ୍ତି କଂଗ୍ରେସ ପ୍ରାର୍ଥୀ ମହମ୍ମଦ ମୋକିମ । ସେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ପ୍ରସଙ୍ଗ କରି ଲୋକଙ୍କ ପାଖକୁ ଯାଉଛନ୍ତି । ସେହିପରି ଢେଙ୍କାନାଳ ଲୋକସଭା କ୍ଷେତ୍ରରେ ଜୋର ଧରିଲାଣି ପ୍ରଚାର । ଢେଙ୍କାନାଳ ଲୋକସଭା ପ୍ରାର୍ଥୀ ମହେଶ ସାହୁ, କାମାକ୍ଷାନଗର ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ମଲ୍ଲିକଙ୍କ ସହ ମିଶି ଗାଁ ଗାଁ ବୁଲି କ୍ୟାମ୍ପେନିଂ କରିଛନ୍ତି । ସରକାରଙ୍କ ବିକାଶର ନାରାକୁ ନେଇ ଲୋକଙ୍କ ହୃଦୟ ଜିତିବାକୁ ଉଦ୍ୟମ କରୁଛନ୍ତି ବିଜେଡି ନେତା ।

ସମ୍ବନ୍ଧିତ ଖବର