ଶ୍ରମିକଙ୍କ ଚୁଲି ବନ୍ଦ କଲା ନିର୍ବାଚନ: ଦୁଇମାସରେ ଗୋଟିଏ ବି ଶ୍ରମଦିବସ ସୃଷ୍ଟି ହୋଇନି

ସୁବ୍ରତ ସ୍ବାଇଁ

କେନ୍ଦୁଝର:  ଶ୍ରମିକଙ୍କୁ କାମ ଦେବାକୁ ଆରମ୍ଭ ହୋଇଥିବା ମନରେଗା ଯୋଜନାରେ ଏବେ କାମ ନାହିଁ। କେନ୍ଦୁଝର ଜିଲ୍ଲ‌ାରେ ଦୁଇମାସ ହେବ ମନରେଗା ଯୋଜନାରେ ଗୋଟିଏ ବି ଶ୍ରମଦିବସ ସୃଷ୍ଟି କରାଯାଇ ନାହିଁ। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଦର୍ଶ ଆଚରଣବିଧି ଲାଗୁ ଯୋଗୁଁ ଜିଲ୍ଲାର ଶ୍ରମିକମାନେ ହାତବାନ୍ଧି ବସିଛନ୍ତି। ପରିସ୍ଥିତି ଏମିତି ଯେ, ଆର୍ଥିକବର୍ଷ ଶେଷ ହେବାକୁ ଆଉ ମାତ୍ର ୨୦ ଦିନ ବାକିଥିବା ବେଳେ ଧାର୍ଯ୍ୟଲକ୍ଷ୍ୟଠାରୁ ୭୦ ଲକ୍ଷ ୨ ହଜାର ୯୭୫ଟି ଶ୍ରମଦିବସ ବାକି ରହିଛି। ଯାହା ଆଉ ପୂରଣ ହେବା ସମ୍ଭବ ନୁହେଁ।

ଗ୍ରାମାଞ୍ଚଳର ବେକାର ଯୁବକଯୁବତୀଙ୍କୁ ୧୦୦ ଦିନର ନିଶ୍ଚିତ ରୋଜଗାର ଦେବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ମନରେଗା ଯୋଜନାରେ ଜାନୁଆରି, ଫେବ୍ରୁଆରି ଏବଂ ମାର୍ଚ୍ଚ ମାସରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ହୋଇଥାଏ। ଏହି ଯୋଜନାରେ ସାଧାରଣତଃ ମାଟି କାମ କରାଯାଇଥାଏ। ରାସ୍ତା ଉନ୍ନତୀକରଣ, ଜମି ଉନ୍ନତୀକରଣ, ପୋଖରୀ, ମୋ ବଗିଚା ଆଦି କାମ ବର୍ଷା ଛାଡ଼ିବା ପ‌ରେ ହୋଇଥାଏ। ଚଳିତ ବର୍ଷ ବର୍ଷାଦିନ ପରେ କେନ୍ଦୁଝର ଜିଲ୍ଲାରେ ଧାନ ଅମଳ ଆରମ୍ଭ ହୋଇଥି‌ଲା। ଲୋକେ ସେଥିରେ ବ୍ୟସ୍ତ ଥିଲେ। ମନରେଗା କାମ ସାଧାରଣତଃ ଜାନୁଆରି ମାସଠାରୁ ଜୋରସୋରରେ ହେବା କଥା। ମାତ୍ର ଏଥିରେ ପଞ୍ଚାୟତ ନିର୍ବ‌ାଚନର ଆଦର୍ଶ ଆଚରଣବିଧି ବାଧକ ସାଜିଲା। କାର୍ଯ୍ୟର ମଞ୍ଜୁରି ପାଇଁ ସରପଞ୍ଚମାନଙ୍କ କ୍ଷମତା ନରହିବା ଏବଂ ନବନିର୍ବାଚିତ ସରପଞ୍ଚମାନେ ଦାୟିତ୍ବ ନେଇନଥିବାରୁ ପଞ୍ଚାୟତର ଶ୍ରମଭିତ୍ତିକ କାମରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି।

ମିଳିଥିବା ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲ‌ାରେ ଚଳିତ ଆର୍ଥିକ ବର୍ଷରେ ମୋଟ ୧ କୋଟି ୮୧ ଲକ୍ଷ ୪୭ ହଜାର ୪୦୦ ଶ୍ରମଦିବସ ସୃଷ୍ଟି ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ମାତ୍ର ଆଜି ସୁଦ୍ଧା ମାତ୍ର ୧ କୋଟି ୧୧ ଲକ୍ଷ ୪୪ ହଜାର ୪୨୫ଟି ଶ୍ରମଦିବସ ସୃଷ୍ଟି ହୋଇଛି। ଆହୁରି ୭୦ ଲକ୍ଷ ୨ ହଜାର ୯୭୫ଟି ଶ୍ରମଦିବସ ବାକି ଅଛି। ବାକିଥିବା ଏହି ଶ୍ରମଦିବସ ଆଉ ପୂରଣ ହୋଇପାରିବ ନାହିଁ କି ଶ୍ରମିକମାନେ କାମ କରିପାରିବେ ନାହିଁ। ୨୦୨୧-୨୨ରେ ଆନନ୍ଦପୁର ବ୍ଲକ୍‌ରେ ଆହୁରି ୪ ଲକ୍ଷ ୮୬ ହଜାର ୪୯୬ଟି ଶ୍ରମଦିବସ ବାକି ଥିବାବେଳେ ବାଂଶପାଳ ବ୍ଲକ‌୍‌ରେ ୩ ଲକ୍ଷ ୬୭ ହଜାର ୪୮୧, ଚମ୍ପୁଆ ବ୍ଲକ୍‌ରେ ୫ ଲକ୍ଷ ୩୬ ହଜାର ୫୨୦, ଘସିପୁରା ବ୍ଲକ୍‌ରେ ୫ ଲକ୍ଷ ୭ ହଜାର ୧୩୪, ଘଟଗାଁରେ ୬ ଲକ୍ଷ ୯ ହଜାର ୪୮୧, ହରିଚନ୍ଦନପୁର ବ୍ଲକ୍‌ରେ ୫ ଲକ୍ଷ ୭୯ ହଜାର ୨୦, ହାଟଡିହିରେ ୪ ଲକ୍ଷ ୭୫ ହଜାର ୭୧୮, ଝୁମ୍ପୁରାରେ ୬ ଲକ୍ଷ ୧୭ ହଜାର ୭୫, ଯୋଡ଼ାରେ ୬ ଲକ୍ଷ ୧୩ ହଜାର ୯୪୫, କେନ୍ଦୁଝର ସଦରରେ ୮ ଲକ୍ଷ ୨ ହଜାର ୮୭୦, ପାଟଣାରେ ୪ ଲକ୍ଷ ୫୪ ହଜାର ୧୧୭, ସାହାରପଡ଼ାରେ ୪ ଲକ୍ଷ ୭୭ ହଜାର ୧୦୬ ଏବଂ ତେଲକୋଇ ବ୍ଲକ୍‌ରେ ୪ ଲକ୍ଷ ୧୩ ହଜାର ୧୨ଟି ଶ୍ରମଦିବସ ସୃଷ୍ଟି ହୋଇପାରିନି। କେନ୍ଦୁଝର ସଦର ବ୍ଲକ୍‌ରେ ସର୍ବାଧିକ ୮ ଲକ୍ଷ ୨ ହଜାର ୮୭୦ଟି ଶ୍ରମଦିବସ ବାକିଥିବା ଜଣାଯାଇଛି।

ଅନ୍ୟପକ୍ଷରେ ପ୍ରକଳ୍ପ ଅନୁସାରେ ହିସାବ କରାଗଲେ, ଏହାର ସଫଳତା ହାର ମଧ୍ୟ ନଗଣ୍ୟ। କେନ୍ଦୁଝର ଜିଲ୍ଲାରେ ଚଳିତ ଆର୍ଥିକ ବର୍ଷରେ ମୋଟ ୧୧ ହଜାର ୮୩୯ଟି ପ୍ରକଳ୍ପ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିବା ବେଳେ ଏଯାଏ ମାତ୍ର ୧୩୯୧ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି। ୧୦୪୪୮ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଅର୍ଥାତ ମାତ୍ର ୧୧.୭୫ ପ୍ରତିଶତ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି। ହଜାର ହଜାର ପ୍ରକଳ୍ପ କେବଳ ନାମକୁ ମାତ୍ର ଆରମ୍ଭ କରିଦିଆଯାଇଛି। ତାହା ସମ୍ପୂର୍ଣ୍ଣ ହୋଇନାହିଁ କି କାମ ମଧ୍ୟ ଆଗେଇ ନାହିଁ। କହିବାକୁ ଗଲେ ନିର୍ବାଚନ ପାଇଁ ଶ୍ରମିକଙ୍କ ଘରେ ଠିକ୍‌ରେ ଚୁଲି ଜଳିପାରିଲା ନାହିଁ।

ସମ୍ବନ୍ଧିତ ଖବର