ନିର୍ବାଚନ ଆଚରଣ ଆଦର୍ଶ ବିଧି ଲାଗୁ ସତ୍ତ୍ୱେ ଏସବୁ ନିର୍ମାଣ କାର୍ଯ୍ୟକୁ ଅନୁମତି ଦେଲେ ନିର୍ବାଚନ ଆୟୋଗ

ଭୁବନେଶ୍ୱର: ବର୍ତ୍ତମାନ ନିର୍ବାଚନ ଆଚରଣ ଆଦର୍ଶ ବିଧି ଲାଗୁ ହୋଇଥିବା ବେଳେ ଭାରତୀୟ ନିର୍ବାଚନ ଆୟୋଗ ଅନୁଗୋଳ –ସମ୍ବଲପୁର ସେକ୍ସନ ଏନଏଚ-୫୫ର କିଛି କାର୍ଯ୍ୟ, ସମ୍ବଲପୁରର ଅଇଁଠାପାଲି ଠାରେ ୩.୫ କିଲୋମିଟର ଦୀର୍ଘ ୬ ଲେନ୍ ବିଶିଷ୍ଟ ଫ୍ଲାଏ ଓଭର ଏବଂ ସମ୍ବଲପୁର ଜିଲ୍ଲାର ଜାତୀୟ ରାଜପଥ-୫୩ରେ ୨ ଲେନ୍ ବିଶିଷ୍ଟ ରୋଡ୍ ଓଭର ବ୍ରୀଜ କାମ ପାଇଁ ଅନୁମତି ଦେଇଛନ୍ତି । ଖୁବ ଶୀଘ୍ର ରାସ୍ତାର ସମ୍ପ୍ରସାରଣ କାମ ଆରମ୍ଭ ହେବ । ଅନୁଗୋଳ –ସମ୍ବଲପୁର ସେକ୍ସନର କିଛି କାର୍ଯ୍ୟ ପାଇଁ ୨୦୨ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ସମ୍ବଲପୁରର ଅଇଁଠାପାଲି ଠାରେ ୬ ଲେନ୍ ବିଶିଷ୍ଟ ଫ୍ଲାଏ ଓଭର ଓ ସମ୍ବଲପୁର ଜିଲ୍ଲାର ଜାତୀୟ ରାଜପଥ-୫୩ରେ ୨ ଲେନ୍ ବିଶିଷ୍ଟ ରୋଡ୍ ଓଭର ବ୍ରୀଜ କାମ ପାଇଁ ୩୭୪.୧୭ କୋଟି ଟଙ୍କା ମଞ୍ଜୁର ହୋଇସାରିଛି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତବର୍ଷ ନଭେମ୍ବର ୨୮ ତାରିଖରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀଙ୍କୁ ଏ ନେଇ ଚିଠି ଲେଖିଥିଲେ । ସେ ପତ୍ରରେ ଉଲ୍ଲେଖ କରଥିଲେ ଜାତୀୟ ରାଜପଥ-୫୩ ବରାଇପାଲି ଛକ ଓ ଅଇଁଠାପାଲି ଦେଇ ଝାରସୁଗୁଡା, ଦେବଗଡ ଓ ସମ୍ବଲପୁର ସହରକୁ ଯୋଗାଯୋଗ କରୁଥିବା ବେଳେ ଫ୍ଲାଏ ଓଭରର ବ୍ୟବସ୍ଥା ନ ଥିବାରୁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଶ୍ରୀ ପ୍ରଧାନ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଥିଲେ।

ଚିଠି ପ୍ରାପ୍ତ ପରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଚଳିତବର୍ଷ ମାର୍ଚ୍ଚ ୧୨ ତାରିଖରେ ସମ୍ବଲପୁରର ଅଇଁଠାପାଲି ଠାରେ ୩.୫ କିଲୋମିଟର ଦୀର୍ଘ ୬ ଲେନ୍ ବିଶିଷ୍ଟ ଫ୍ଲାଏ ଓଭର ଏବଂ ସମ୍ବଲପୁର ଜିଲ୍ଲାର ଜାତୀୟ ରାଜପଥ-୫୩ (ପୂର୍ବରୁ ଜାତୀୟ ରାଜପଥ-୬)ରେ ୨ ଲେନ୍ ବିଶିଷ୍ଟ ରୋଡ୍ ଓଭର ବ୍ରିଜ (ଏଲ୍ଏଚ୍ଏସ୍) ନିର୍ମାଣ ପାଇଁ ୩୭୪.୧୭ କୋଟି ଟଙ୍କା ମଞ୍ଜୁର କରାଯାଇଥିଲା । ଦେଶର ସଡ଼କପଥ ସମେତ ସମସ୍ତ ଭିତ୍ତିଭୂମିକୁ ମଜଭୂତ୍ କରିବା ‘ମୋଦୀ ଗ୍ୟାରେଣ୍ଟି’ ହୋଇଛି । ଅନୁଗୋଳ –ସମ୍ବଲପୁର ସେକ୍ସନର କାର୍ଯ୍ୟ ତ୍ୱରାନ୍ୱିତ ହେବା ସହ ପ୍ରସ୍ତାବିତ ୬ ଲେନ୍ ବିଶିଷ୍ଟ ଫ୍ଲାଏ ଓଭର ଅଇଁଠାପାଲି ଛକରେ ଟ୍ରାଫିକ୍ ସମସ୍ୟାକୁ ଦୂର କରିବା ସହ ଏନଏଚ୍-୫୩ରେ ଓଭର ବ୍ରିଜ୍ ନାଗରିକଙ୍କ ଯାତାୟତକୁ ଆହୁରି ଅଧିକ ସୁଗମ କରିବ । ଲୋକଙ୍କ ଯିବା ଆସିବା ସୁରକ୍ଷିତ ହେବ । ସ୍ଥାନୀୟ ଅଞ୍ଚଳରେ ଶିଳ୍ପ କ୍ଷେତ୍ରର ବିକାଶ ହେବା ସଙ୍ଗେସଙ୍ଗେ ଓଡ଼ିଶାର ସାମାଜିକ ଓ ଆର୍ଥିକ ବିକାଶରେ ଦ୍ରୁତ ଅଭିବୃଦ୍ଧି ହେବ ।

ସମ୍ବନ୍ଧିତ ଖବର