ନିର୍ବାଚନ କମିସନ ଦନ୍ତହୀନ: ବିଜେପି

ଅବାଧ ନିର୍ବାଚନ ନେଇ ସନ୍ଦେହ, ମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ କମିସନଙ୍କୁ ଫେରାଦ

ଭୁବନେଶ୍ବର : ରାଜ୍ୟ ନିର୍ବାଚନ କମିସନ ଦନ୍ତହୀନ ହୋଇପଡ଼ିଛନ୍ତି। ଗୃହ ବିଭାଗ ବିଜେଡିର ହାତବାରସୀ ସାଜିଛି। ଏହାଦ୍ବାରା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅବାଧ, ମୁକ୍ତ ଓ ନିରପେକ୍ଷ ହେବା ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସଂପାଦକ ଗୋଲକ ମହାପାତ୍ର।

ଶ୍ରୀ ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସରକାରୀ କଳ, ବଳ ଓ ଅର୍ଥର ଅପବ୍ୟବହାର କରି ବିଜେଡି ଭୋଟ ହାତେଇବାର ପ୍ରୟାସ ଆରମ୍ଭ କରିଦେଇଛି। ବିରୋଧୀଙ୍କୁ ପୁଲିସ ଓ ପ୍ରଶାସନର ଭୟ ଦେଖାଇ ସରକାରୀ କର୍ମଚାରୀଙ୍କୁ ଦଳୀୟ କାର୍ଯ୍ୟରେ ବ୍ୟବହାର କରାଯାଉଛି। ଷଡ଼ଯନ୍ତ୍ର ରଚି ବିରୋଧୀଙ୍କୁ ବଦନାମ କରାଯାଉଛି। ଏହାର ବିରୋଧରେ ପୁଲିସ ମହାନିର୍ଦେଶକଙ୍କଠାରୁ ଆରମ୍ଭ କରି ନିର୍ବାଚନ କମିସନଙ୍କ ନିକଟରେ ବିଜେପି ପକ୍ଷରୁ ବାରମ୍ବାର ଅଭିଯୋଗ କରାଯାଉଛି। ‌ମାତ୍ର କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ବରଂ ଜନମତକୁ ପ୍ରଭାବିତ କରାଯାଉଥିବା ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି।

ଅପରପକ୍ଷରେ ମନ୍ତ୍ରୀ ଅରୁଣ ସାହୁ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିବା ପ୍ରସଙ୍ଗରେ ରାଜ୍ୟ ନିର୍ବାସନ କମିସନଙ୍କ ଆଗରେ ଫେରାଦ ଦେଇଛି ରାଜ୍ୟ ବିଜେପି। ଦଳ ପକ୍ଷରୁ କୁହାଯାଇଛି ଯେ ପଞ୍ଚାୟତ ନିର୍ବାଚନ ଆଇନ ଅନୁଯାୟୀ ୱାର୍ଡ ମେମ୍ବର, ସମିତି ସଭ୍ୟ ଓ ସରପଞ୍ଚ ପ୍ରାର୍ଥୀତ୍ବ ଅଣରାଜନୈତିକ ହେବା ଉଚିତ୍। କୌଣସି ନିର୍ଦ୍ଦିଷ୍ଟ ରାଜ‌େନୈତିକ ଦଳର ପ୍ରତିନିଧିତ୍ବ ହୋଇପାରିବ ନାହିଁ। ମାତ୍ର ପଞ୍ଚାୟତ ନିର୍ବାଚନରେ ଏସବୁ ପଦ ପାଇଁ ଶାସକ ବିଜେଡିର ମନ୍ତ୍ରୀ ଓ ନେତାମାନେ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରୁଛନ୍ତି। ରାଜ୍ୟ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ ଗତ ୯ ତାରିଖରେ ନିର୍ବାଚନ କମିସନଙ୍କ ଆଚରଣ ବିଧିଙ୍କୁ ଉଲ୍ଲଂଘନ କରି ନିଜ ଦଳୀୟ ଆଧାରରେ ଦୁଇ ଜଣଙ୍କ ପାଇଁ ପ୍ରଚାର କରିଛନ୍ତି। ମନ୍ତ୍ରୀ ପଦରେ ରହି ଶ୍ରୀ ସାହୁ ନିଜ ନିର୍ବାଚନ ମଣ୍ଡଳୀରେ ଭୋଟ ପ୍ରଚାର କରିବା ସଂପୂର୍ଣ୍ଣ ଅସାମ୍ବିଧାନିକ ବୋଲି ଦଳ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର