ଭୁବନେଶ୍ବର : ଚଳିତ ତ୍ରିସ୍ତରୀୟ ପଚାଂୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ସମୟରେ ରାଜ୍ୟବ୍ୟାପୀ ବ୍ୟାପକ ହିଂସା ହୋଇଛି। ବିଜୁ ଜନତା ଦଳର ଗୁଣ୍ଡାରାଜ ପାଇଁ ନାଗରିକମାନେ ଭୋଟ ଦେବାକୁ ବୁଥକୁ ଯିବାକୁ ଭୟ କରୁଛନ୍ତି। ଶାସକ ଦଳ କର୍ମୀମାନଙ୍କ ପ୍ରାଦୁର୍ଭାବ ଏତେ ଯେ ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ବାଡେଇବାରେ ପଛଘୁଞ୍ଚା ଦେଉନାହାନ୍ତି। ଯେଉଁଠି ଗଣମାଧ୍ୟମ ପ୍ରତିନିଧି ସୁରକ୍ଷିତ ନୁହେଁ, ସେଠି ଲୋକମାନେ କିଭଳି ସୁରକ୍ଷା ପାଇପାରିବେ ପ୍ରଶ୍ନ କରିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି।
ଗୁରୁବାର ଦିନ ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ବିଜୁ ଜନତା ଦଳର ପ୍ରତାପ ଜେନା, ସୁଶାନ୍ତ ସିଂହ, ଦିବ୍ୟଶଙ୍କର ମିଶ୍ର, ସଞ୍ଜୟ ଦାସବର୍ମାଙ୍କ ଭଳି ଦାଗୀ ନେତାଙ୍କୁ ନବୀନ ବାବୁ ନିଜର ଛତ୍ର ଛାୟା ତଳେ ରଖିଛନ୍ତି। ସେମାନେ ବିଭିନ୍ନ ହିଂସାରେ ସମ୍ପୃକ୍ତ ଥିଲେ ମଧ୍ୟ ତାଙ୍କ ଉପରେ କାହିଁକି କିଛି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ଗତ ୨୦୧୭ ପଂଚାୟତ ନିର୍ବାଚନ ସମୟରେ ବିଜେଡିର ରାଜନୈତିକ ହିଂସାରେ ବିଜେପିର ୧୩ଜଣ କାର୍ଯ୍ୟକର୍ତାଙ୍କ ମୁଣ୍ଡ ଗଡ଼ିଥିଲା। ପରବର୍ତୀ ସମୟରେ ମାହାଙ୍ଗା ଡବଲ ମର୍ଡର, ଭଦ୍ରକରେ ଜଣଙ୍କର ମୃତ୍ୟୁ ପ୍ରସଙ୍ଗରେ ଏ ପର୍ଯ୍ୟନ୍ତ ବି ମୁଖ୍ୟମନ୍ତ୍ରୀ ମୁହଁ ଖୋଲି ନାହାଁନ୍ତି। ୨୦୧୯ ନିର୍ବାଚନରେ ଖୋର୍ଧା ଜିଲ୍ଲାରେ ମଙ୍ଗୁଳି ଜେନାକୁ କିଏ ହତ୍ୟା କରିଥିଲା? ରାଜ୍ୟରେ ନିର୍ବାଚନୀ ହିଂସା କିଏ କରାଉଛି? ତେଣୁ ରାଜ୍ୟରେ ରାଜନୈତିକ ହିଂସା ପ୍ରସଙ୍ଗରେ ବିଜେଡିର ଜବାବ୍ ଅତ୍ୟନ୍ତ ହାସ୍ୟାସ୍ପଦ।
ସେ ଆହୁରମଧ୍ୟ କହିଛନ୍ତି ଯେ ଗତକାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟର ବହୁ ସ୍ଥାନରେ ହୋଇଥିବା ହିଂସାକାଣ୍ଡରେ ଶାସକ ଦଳର କର୍ମୀମାନେ ସିଧାସଳଖ ସମ୍ପୃକ୍ତ ଅଛନ୍ତି। ବିଭିନ୍ନ ନିର୍ବାଚନମଣ୍ଡଳୀରେ ଶାସକ ଦଳ ଦିବାଲୋକରେ ଟଙ୍କା ବାଂଟୁଥିବାର ଭିଡିଓ ଭାଇରାଲ ହେଉଛି। ଏ ନେଇ ବିଜୁ ଜନତା ଦଳର ମୁଖିଆ ଗଣମାଧ୍ୟମ ଆଗରେ ନିଜର ଉତ୍ତର ରଖନ୍ତୁ। ତେଣୁ ଓଡ଼ିଶା ପ୍ରଶାସନ, ଡିଜିପି ଶାସକ ଦଳର ଇଙ୍ଗିତରେ କାମ ନ କରି ଠିକ ଭାବରେ ନିଜର କାର୍ଯ୍ୟ କରିନ୍ତୁ। ରାଜ୍ୟ ନିର୍ବାଚନ କମିସନ ଆଗାମୀ ପର୍ଯ୍ୟାୟର ମତଦାନ କିଭଳି ଶାନ୍ତିପୂର୍ଣ୍ଣ ହେବ ସେ ଦିଗରେ ଧ୍ୟାନ ଦେବାକୁ ଶ୍ରୀ ମହାନ୍ତି କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦକ ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା ଓ ଦିଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/samir-mohanty.jpg)