କେନ୍ଦୁଝରର ୯ କାଉନସିଲରଙ୍କ ସଦସ୍ୟ ପଦ କାଏମ

ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ ହାଇକୋର୍ଟରେ ରଦ୍ଦ

ବିଜେଡିର ହ୍ଵିପ୍‌ ସତ୍ତ୍ୱେ ଅନାସ୍ଥା ସପକ୍ଷରେ ଦେଇଥିଲେ ଭୋଟ୍‌

କଟକ : କେନ୍ଦୁଝରଗଡ ପୌର ପାଳିକାର ୯ କାଉନସିଲର ସେମାନଙ୍କ ପଦ ଫେରି ପାଇଛନ୍ତି। ଦଳୀୟ ହ୍ଵିପ ସତ୍ତ୍ୱେ ପୌରାଧ୍ୟକ୍ଷା ମୀନା ମାଝୀଙ୍କ ବିରୋଧରେ ଆଗତ ଅନାସ୍ଥା ସପକ୍ଷରେ ଭୋଟ ଦେଇଥିବା ବିଜେଡିର ୯ଜଣ କାଉନସିଲରଙ୍କ ପଦ ରଦ୍ଦ ପାଇଁ ରାଜ୍ୟ ନିର୍ବାଚନ କମିସନ୍‌ ନିର୍ଦ୍ଦେଶ ଦେଇଥିଲେ। ଦଳବଦଳ ଆଇନ ବଳରେ ଏହି ନିର୍ବାଚିତ କାଉନସିଲରଙ୍କ ପଦ ରଦ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏହା ପରେ ପଦ ହରାଇଥିବା କାଉନସିଲର ନିର୍ବାଚନ କମିସନଙ୍କ ନିର୍ଦ୍ଦେଶକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜଷ୍ଟିସ ସଞ୍ଜୟ କୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ନିର୍ବାଚନ କମିସନଙ୍କ ନିର୍ଦ୍ଦେଶକୁ ରଦ୍ଦ କରିଛନ୍ତି। ଏଥି ସହିତ ପଦ ହରାଇଥିବା ୯ କାଉନସିଲରଙ୍କୁ ପୂର୍ବ ପଦରେ ଅବସ୍ଥାପିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅନାସ୍ଥା ପ୍ରସ୍ତାବ ଭୋଟରେ ଦଳୀୟ ହ୍ଵିପ୍‌ ସତ୍ତ୍ୱେ ଅନାସ୍ଥା ସପକ୍ଷରେ ଭୋଟ ଦେଇଥିବା କାଉନସିଲର କୌଣସି ଆଇନ ଉଲ୍ଲଘଂନ କରି ନାହାନ୍ତି ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅମିତ ପ୍ରସାଦ ବୋଷ, ରାଜୀବ କୁମାର ମହାନ୍ତ ଓ ନିରଂଜନ ହୋତା ମାମଲା ପରିଚାଳନା କରୁଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ ଦଳୀୟ ହ୍ଵିପ୍‌ ସତ୍ତେ୍ଵ ପୌରାଧକ୍ଷାଙ୍କ ବିରୋଧରେ ୨୦୧୫, ଡିସେମ୍ବର ୨୮ ତାରିଖରେ ଅନୁଷ୍ଠିତ ଅନାସ୍ଥା ପ୍ରସ୍ତାବରେ ବିଜେଡିର କାଉନସିଲର ସବିତା ସେଠୀ, ଶତୃଘ୍ନ ନାୟକ, କୁମୁଦିନୀ ନାୟକ, ସୁନିଲ ନାୟକ, ଦିଲ୍ଲୀପ କୁମାର ବେହେରା, ସୁଶ୍ରୀ ସଂଗୀତା ନନ୍ଦ, କୁନା ନାୟକ, ପ୍ରଭାତି ପଟ୍ଟନାୟକ, ସ୍ୱର୍ଣ୍ଣଲତା ସାହୁ ଭୋଟ୍‌ ଦେଇଥିଲେ। ଫଳରେ ପୌରାଧ୍ୟକ୍ଷା ଗାଦିଚ୍ୟୁତ ହୋଇଥିଲେ। ଦଳବଦଳ ଆଇନ ବଳରେ ଏହି ନିର୍ବାଚିତ କାଉନସିଲରଙ୍କ ପଦ ରଦ୍ଦ ପାଇଁ ନିର୍ବାଚନ କମିସନଙ୍କ ନିକଟରେ ଆବେଦନ କରାଯାଇଥିଲା। ୨୦୧୬, ଫେବ୍ରୁଆରି ୧୯ ତାରିଖ ଦିନ ରାଜ୍ୟ ନିର୍ବାଚନ କମିସନ ଏହି ୯ ଜଣ କାଉନସିଲରଙ୍କ ପଦ ରଦ୍ଦ ଘୋଷଣା କରିଥିଲେ। ଏଥିସହ ନିର୍ବାଚନ କମିଶନ ଖାଲି ହୋଇଥିବା ୯ କାଉନସିଲର ପଦ ପୂରଣ ପାଇଁ ପଦକ୍ଷେପ ନେବାକୁ ଗୃହ ଓ ନଗର ଉନ୍ନୟନ ବିଭାଗୁ ଚିଠି ଲେଖିଥିଲେ। ସବିତା ସେଠୀ ଓ ଅନ୍ୟମାନଙ୍କ ପକ୍ଷରୁ ରୁଜୁ ମାମଲାର ଶୁଣାଣି କରି ହାଇକୋର୍ଟ ବିଜେଡି, ରାଜ୍ୟ ନିର୍ବାଚନ କମିସନ୍‌ ଓ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍‌ ଜାରି କରିବା ସହିତ ୯ଟି କାଉନସିଲର ପଦ ପୂରଣ ପାଇଁ ଅନୁଷ୍ଠିତ ହେବାକୁ ଥିବା ଉପନିର୍ବାଚନ ପ୍ରକ୍ରିୟା ଉପରେ ୨୦୧୬, ମାର୍ଚ୍ଚ ୧ରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ।

ସମ୍ବନ୍ଧିତ ଖବର