ସୀମା ଟପିଲା ନିର୍ବାଚନୀ ହିଂସା: ବାଲିକୁଦା-ଏରସମାରେ କଂଗ୍ରେସ ସମର୍ଥକଙ୍କୁ ହତ୍ୟା

ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ଧାରଣା, ପୁଲିସ ମୁତୟନ

ଭୁବ‌ନେଶ୍ବର: ଜଗତସିଂହପୁର ଜିଲ୍ଲାରେ ଆଜି ଭୋଟ ପାଇଁ ମୁଣ୍ଡ ଗଡିଛି। ବାଲିକୁଦା-ଏରସମାରେ ନିର୍ବାଚନୀ ହିଂସାରେ ଜଣେ କଂଗ୍ରେସ ସମର୍ଥକଙ୍କୁ ଭଙ୍ଗା େବାତଲରେ ଭୁସି ହତ୍ୟା କରାଯାଇଛି। ଦଳ ବଦଳ ଓ ପକ୍ଷ ପରିବର୍ତ୍ତନକୁ ନେଇ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିେଯାଗ େହାଇଛି। ଯାଜପୁର ଜିଲ୍ଲାର ବରୀରେ ବୋମାମାଡ଼ ଘଟିଛି। ଧର୍ମଶାଳାରେ ବିଜେପି କର୍ମୀଙ୍କୁ ଆକ୍ରମଣ କରାଯାଇଥିବା ବେଳେ ସୁକିନ୍ଦାରେ ବୁଥ୍‌ ରିଗିଂ ଘଟଣା ଓ ବିଂଝାରପୁର ଓ ବଡ଼ଚଣାରେ ଉତ୍ତେଜନା ଖବର ମିଳିଛି। ପୁରୀ ଜିଲ୍ଲାର ନିମାପଡାର େଗାପରେ ପୁଲିଂ ଅଧିକାରୀଙ୍କୁ େଲାକେ ନିର୍ଧୁମ ଛେଚିଥିବା ବେଳେ ୩୫ ନଂବର ବୁଥ୍ ବାଇଆବରରେ ଆଜି ଅପରାହ୍ନ‌ରେ ମତଦାନ ଚାଲିଥିବା ବେଳେ ବିଜେଡି-ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ।ଏହାସହିତ ବିଭିନ୍ନ ସ୍ଥାନରେ ଭୋଟିଂ ମେସିନ ଅବ୍ୟବସ୍ଥାର ମଧ୍ୟ ଖବର ମିଳିଛି।

ଯାଜପୁରରେ ବ୍ୟାପକ ହିଂସା, ବରୀରେ ବୋମାମାଡ଼
ଧର୍ମଶାଳାରେ ବିଜେପି କର୍ମୀଙ୍କୁ ଆକ୍ରମଣ, ସୁକିନ୍ଦାରେ ରିଗିଂ
ବିଂଝାରପୁର ଓ ବଡ଼ଚଣାରେ ବି ନିର୍ବାଚନୀ ଉତ୍ତେଜନା

ଆଜି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଏଭଳି ହିଂସା ସମଗ୍ର ରାଜ୍ୟରେ ଆେଲାଡନ ସୃଷ୍ଟି କରିଛି। ବିଭ୍ରାଟ ଆଉ ବିବାଦ ଭିତରେ ସରିଛି ଏହି ପର୍ଯ୍ୟାୟ ମତଦାନ ପ୍ରକ୍ରିୟା। କଟକ ଜିଲ୍ଲାରେ ବି ନିର୍ବାଚନୀ ହିଂସା ଘଟିଛି। ନିଆଳିରେ ବିଜେପି ବୁଥ୍‌ ଏଜେଣ୍ଟଙ୍କୁ ମାଡ଼ ମରାଯାଇଥିବା ଅଭିେଯାଗ େହାଇଥିବା ବେଳେ ମାହାଙ୍ଗାରେ ରାଜନୈତିକ ବିବାଦରୁ ୫ଆହତ େହାଇଛନ୍ତି। ସୁକରପଡା ଓ ଜିଗ୍ନିପୁରରେ ୨ଆହତ େହାଇଛନ୍ତି। ସେହିଭଳି ମାହାଙ୍ଗାର ଦୁଇଟି ବୁଥ୍‌ରେ ୩ଘଣ୍ଟା ଧରି ପ୍ରିଜାଇଡ଼ିଂ ଅଫିସର ଓ ସିଆରପିଏଫ ଯବାନଙ୍କୁ ଅଟକ ରଖିଲେ ଗ୍ରାମବାସୀ। ଏପଟେ ସାଲେପୁରର ଗୁଜରପୁର‌ରେ ଲାଠିଚାଳନା େହାଇଥିଲା। କେନ୍ଦ୍ରାପଡାର ବିଭିନ୍ନ ବୁଥରେ ଗଣ୍ଡଗୋଳ, ଇଭିଏମ ଅଚଳ ଅଭିେଯାଗ େହାଇଛି। ବୁଥ୍‌ ଜବରଦଖଲ, ପ୍ରିଜାଇଡିଂ ଅଫିସର ଓ ଏଜେଣ୍ଟଙ୍କୁ ମାଡ଼ ଅଭିଯୋଗ ମଧ୍ୟ ରାଜ୍ୟ ରାଜନୀତିରେ ଆେଲା଼ଡନ ସୃଷ୍ଟି କରିଥିଲା। ଆମ ଏରସମା,କୁଜଙ୍ଗ, ଜଗତସିଂହପୁର ପ୍ରତିନିଧିଙ୍କ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏରସମା ବ୍ଲକ ଗଡକୁଞ୍ଜଙ୍ଗ ପଂଚାୟତର ବୁଥ ନମ୍ବର ୨୦୭ ନୋଳିଆସାହିରେ ଭୋଟ ଚାଲିଥିବା ବେଳେ ସେହି ନିକଟବର୍ତ୍ତୀ ସ୍ଥାନରେ ହତ୍ୟାକାଣ୍ଡ ଘଟିଥିଲା। କଂଗ୍ରେସର ସମର୍ଥକ ବୋଲି କୁହାଯାଉଥିବା ଲଛମନ ବେହେରା (୪୫) ନାମକ ଜଣେ ଯୁବକଙ୍କୁ ସେହି ଗ୍ରାମର ପୂର୍ଣ୍ଣଚନ୍ଦ୍ର ବେହେରା (କୁନା) (୨୭) ଭଙ୍ଗା କାଚ ବୋତଲରେ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ଲଛମନଙ୍କୁ ମେଡିକାଲ ନିଆଯିବା ବ‌େଳେ ତାଙ୍କର ମୃତ୍ୟୁ େହାଇଥିଲା। ଆଜି ଅପରାହ୍ଣ ପ୍ରାୟ ୨ଟା ବେଳେ ଏହି ଅପରାଧ ଘଟିଥିଲା। ଏହି ଖବର ପ୍ରଚାରିତ ହେବା ପରେ ଶତାଧିକ ଗ୍ରାମବାସୀ ଅଭିଯୁକ୍ତ କୁନାକୁ ଗିରଫ କରିବା ଦାବିରେ ରାସ୍ତାରେ ଧାରଣା ଦେଇଛନ୍ତି। ପୁଲିସ ଅଭିଯୁକ୍ତକୁ ଗିରଫ କରିବା ଚଢଉ ଜାରି ରଖିଛି। କିନ୍ତୁ ସେ ଫେରାର ହୋଇଯାଇଛି। ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ସହିତ ମୃତ ପରିବାରକୁ କ୍ଷତିପୂରଣ ଦେବାପାଇଁ ଗ୍ରାମବାସୀ ଅଡି ବସିଛନ୍ତି। ଉତ୍ତେଜନା ଲାଗି ରହିଥିବାରୁ ଗାଁରେ ଦୁଇ ପ୍ଲାଟୁନ୍ ପୁଲିସ ମୁତୟନ କରାଯାଇଛି। ଲଛମନ ଓ କୁନା ହେଉଛନ୍ତି ଦୁଇ ଜଣ ବନ୍ଧୁ। ଦୁଇ ଜଣ ଯାକ ବିଜେଡିର ସମର୍ଥକ ଥିଲେ। ମାତ୍ର ଗତକାଲି ଲଛମନ ହଠାତ୍ ବିଜେଡି ଛାଡ଼ି କଂଗ୍ରେସରେ ସାମିଲ ହୋଇ ଯାଇଥିଲେ। ଆଜି ସେ ଭୋଟ୍ ଦେଇ ଆସିବା ପରେ ଗାଁରେ କୁନା ତାଙ୍କ ସହ ପାଟିତୁଣ୍ତ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା। କୁନା ଅଳିଆଗଦାରେ ପଡ଼ିଥିବା ଏକ ବିୟର ବୋତଲକୁ ଭାଙ୍ଗି ଲଛମନଙ୍କ ପେଟରେ ଭୁସି ଦେଇଥିଲେ। ରକ୍ତାକ୍ତ ଅବସ୍ଥାରେ ନିଜ ଘରେ ପଶି ଯାଇଥିଲେ। ପରେ ଖବର ପାଇ ବୁଥ୍ ନିକଟରେ ଥିବା ପୁଲିସ ଲଛମନଙ୍କ ଘରେ ପହଞ୍ଚି ତାଙ୍କୁ ଚିକିତ୍ସା କରିବା ପାଇଁ ହସ୍‌ପିଟାଲ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। କଂଗ୍ରେସ ପ୍ରାର୍ଥୀ ଲଲାଟେନ୍ଦୁ ମହାପାତ୍ର ଓ ଶତାଧିକ କଂଗ୍ରେସ ସମର୍ଥକ ଗ୍ରାମବାସୀଙ୍କ ସହ ଧାରଣାରେ ସାମିଲ ହୋଇଛନ୍ତି। ଲଲ‌ାଟେନ୍ଦୁ କହିଛନ୍ତି, ଲଛମନ କଂଗ୍ରେସକୁ ଆଦରି ନେବା ପରେ ଗାଁର କିଛି ଅସମାଜିକ ଯୁବକ ଏହାକୁ ସହ୍ୟ କରି ପାରିନଥିଲେ। ସେମାନେ ଆଜି ସକାଳୁ ଲଛମନକୁ ଧମକ ଦେବା ସହ ବିଜେଡିକୁ ଭୋଟ୍ ଦେବା ପାଇଁ ବାଧ୍ୟ କରିଥିଲେ। ମାତ୍ର ଏଥିରେ ଭୟଭୀତ ନ ହୋଇ ଲଛମନ କଂଗ୍ରେସକୁ ଭୋଟ୍ ଦେଇ ଆସୁଥିବା ବେଳେ ତାଙ୍କୁ ଏଭଳି ଆକ୍ରମଣ କରାଯାଇଥିଲା। ଏମିତିକି ପୁଲିସ ହତ୍ୟାକାରୀ କୁନାକୁ ଗିରଫ କରି ନେଉଥିବା ବେଳେ ତାଙ୍କୁ ଗାଡ଼ି ଭିତରୁ ଛଡ଼ାଇ ନିଆଯାଇଥିବା ଲଲାଟେନ୍ଦୁ ଅଭିଯୋଗ କରିଛନ୍ତି। ଅନ୍ୟପଟେ ବିଜେଡି ପ୍ରାର୍ଥୀ ରଘୁନନ୍ଦନ ଦାସ ଏଭଳି ଅଭିଯୋଗକୁ ଅସ୍ବୀକାର କରିଛନ୍ତି। ବିଜେଡି ଆଦୌ ହିଂସାରେ ବିଶ୍ବାସ କରେ ନାହିଁ। ଦୁଇ ଜଣ ଯାକ ଭଲ ବନ୍ଧୁ ଥିଲେ। ଦୁଇ ଜଣଙ୍କ ମଧ୍ୟରେ ଗଣ୍ଡଗୋଳରୁ ଏଭଳି ଘଟଣା ଘଟିଛି। ଏହାକୁ ଅଯଥାରେ ରାଜନୈତିକ ରୂପ ଦିଆଯାଉଛି। ହତ୍ୟାକାରୀକୁ ତୁରନ୍ତ ଗିରଫ କରିବାକୁ ବିଜେଡି ପକ୍ଷରୁ ମଧ୍ୟ ଦାବି କରାଯାଉଛି ବୋଲି ରଘୁ ନନ୍ଦନ କହିଛନ୍ତି।

େଗାପରେ ଛେଚା ଖାଇଲେ ପୋଲିଂ ଅଧିକାରୀ, ଅଟକ
ନିମାପଡ଼ାରେ ଦୁଇ ପ୍ରାର୍ଥୀଙ୍କ ଉପସ୍ଥିତିରେ ମାଡ଼ପିଟ୍‌, ୫ ଆହତ
କଟକ ଓ େକନ୍ଦ୍ରାପଡ଼ାରେ ବି ନିର୍ବାଚନୀ ହିଂସା, ଗଣ୍ଡଗୋଳ

ଆଜି ଯାଜପୁର େରା଼ଡ ପ୍ରତିନିଧିଙ୍କ ସୂଚନା ଅନୁସାରେ, ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗମୁ ବୁଥ ନିକଟରେ ବୋମାମାଡ଼ ହେବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ସେହିପରି ସାମନ୍ତରାପୁର ପଞ୍ଚାୟତ ୧୪ ନମ୍ବର ବୁଥ ଭିତରେ ଦୁର୍ବୃତ୍ତମାନେ ମାରଣାସ୍ତ୍ର ଲୁଚାଇ ରଖିଥିଲେ। ତାହାକୁ ପୁଲିସ ଜବତ କରିବା ସହିତ ଘଟଣାରେ ଜଡ଼ିତ ୩ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରାବଣା ଓ କେନ୍ଦୁଢିପ ବୁଥରେ ରିଗିଂ ଅଭିଯୋଗ ହୋଇଛି। ବିଜେଡି କର୍ମୀମାନେ ବିଜେପି ଓ କଂଗ୍ରେସ ଏଜେଣ୍ଟଙ୍କୁ ବୁଥରୁ ବାହାର କରି ଦେଇ ବିଜେଡିକୁ ଭୋଟ ଦେବାକୁ ବାଧ୍ୟ କରିଥିଲେ। ସାନି ମତଦାନ ଦାବି କରି ପରେ ବିଜେପି ଓ କଂଗ୍ରେସ କର୍ମୀ ଓ ଏଜେଣ୍ଟ ଥାନାରେ ଧାରଣା ଦେଇଛନ୍ତି। ଧର୍ମଶାଳା ବ୍ଲକ ଚହଟା ବୁଥ ନଂ ୧୭୩ରେ ଇଭିଏମ ଭଙ୍ଗାରୁଜା କରାଯାଇଥିବା ଅଭିଯୋଗ ହୋଇଛି। ବିଜେପି କର୍ମୀ ଜଗୁ ସେଠୀଙ୍କୁ ଆକ୍ରମଣ କରିବାରୁ ତାଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି। ‌ସେହିପରି ଧର୍ମଶାଳାର ୨୬ ଓ ୨୭ ନମ୍ବର ବୁଥରେ ଗଣ୍ଡଗୋଳ ଘଟିବାରୁ ପୁଲିସ ମୃଦୁ ଲାଠି ଚାଳନା କରିଛି। ଯାଜପୁର ସଦର ଥାନା ଅଧୀନ ଜାଫରପୁରରେ ବିଜେଡି କର୍ମୀଙ୍କ ମାଡ଼ରେ ଜଣେ ଆହତ ହୋଇଛନ୍ତି। ମହେଶ୍ବରପୁର, ଗୋପୀନାଥପୁର ୩୫ ନମ୍ବର ବୁଥରେ ବ‌ିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଛି। ଗଣ୍ଡଗୋଳରେ ବିଜେପି ଏଜେଣ୍ଡଙ୍କ ସହିତ ୩ ବିଜେଡି କର୍ମୀ ଆହତ ହୋଇଛନ୍ତି। ବଡ଼ଚଣାର ୧୦୦ ନମ୍ବର ବୁଥ୍‌ରେ ଉତ୍ତେଜନା ପ୍ରକାଶ ପାଇଥିଲା। ଭୋଟ ପୂର୍ବରୁ ରାଧାଦେଈପୁର ପଞ୍ଚାୟତ ଉଦୟନଗର ଗ୍ରାମରେ ରାଜନୈତିକ ହିଂସାକାଣ୍ଡ ଘଟି ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା ବେଳେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏହାଛଡ଼ା ବଡଚଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଡଚଣାର ୫୦ ନମ୍ବର ବୁଥରେ ଇଭିଏମ ଭଙ୍ଗାରୁଜା କରାଯାଇଥିବା ନେଇ ଅଭିଯୋଗ ହୋଇଛି।ସେହିପରି ବିଂଝାରପୁରର କେତେକ ସ୍ଥାନରେ ମତଦାନକୁ କେନ୍ଦ୍ର କରି ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ବୁଥ୍‌ଗୁଡିକ ମଧ୍ୟରେ ଶାସନ୍ଦା, କଲ୍ୟାଣପୁର, ମାଁସଡା, ବାଙ୍ଗରା,ବିତନା, ଓଳେଇ , ଚମ୍ପାପାଳ ଆଦି ରହିଛି। କେତେକ ସ୍ଥାନରେ ପୁଲିସ ଗଣ୍ଡଗୋଳକାରୀଙ୍କୁ ଘଉଡ଼ାଇବା ପାଇଁ ଲାଠି ମାଡ଼ କରିଛି । ଘଟଣାକୁ ନେଇ କେତେକ ଲୋକ ଯାଜପୁର-ସିଂହପୁର ରାସ୍ତାକୁ ଅବରୋଧ କରିଥିଲେ। ପରେ ପୁଲିସ ପହଞ୍ଚି ବୁଝାସୁଝା କରିବାରୁ ରାସ୍ତାରୋକ ହଟିଥିଲା। ଆମ ପୁରୀ ଓ େଗାପ ପ୍ରତିନିଧିଙ୍କ ଖବର ଅନୁସାରେ, ନିମାପଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗୋପ ବ୍ଲକ୍‌ ୧୨୭ ନଂବର ବୁଥ୍‌ର ପୋଲିଂ ଅଧିକାରୀ (ଦ୍ବିତୀୟ) ବି.କେ ଦେଓ ଭୋଟରଙ୍କୁ ପ୍ରଭାବିତ କରି ସାଧାରଣ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ଉପସ୍ଥିତ ଲୋକେ ତାଙ୍କୁ ନିର୍ଧୁମ୍‌ ଛେଚିବ‌ା ପରେ ପୁଲିସ ତାଙ୍କୁ ଅଟକ ରଖିଛି। ତେବେ ଭୋଟରଙ୍କୁ ସେ ପ୍ରଭାବିତ କରିଛନ୍ତି କି ନାହିଁ ସେ ସଂପର୍କରେ ଜିଲ୍ଲାପାଳ ତଦନ୍ତ କରିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି। ଗୋପ ବ୍ଲକ ବନ୍ତାଳି ଗାଁ ଅଳସୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ମତଦାନ ଚାଲିଥିବା ବେଳେ ପୋଲିଂ ଅଧିକାରୀ ବି.କେ.ଦେଓ କିଛି ଭୋଟରଙ୍କୁ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ ଭୋଟ୍‌ ଦେବାକୁ ପ୍ରବର୍ତ୍ତାଇଥିଲେ। ଏହା ଜଣାପଡିବା ପରେ ସେଠାରେ ଉପସ୍ଥିତ ଲୋକେ ତାଙ୍କୁ ଏ ନେଇ ପ୍ରଶ୍ନ କରିଥିଲେ। ପରେ ଉତ୍ତ୍ୟକ୍ତ ଲୋକେ ପୋଲିଂ ଅଧିକାରୀଙ୍କୁ ମାଡ଼ ମାରିବା ସହ ଧକ୍କା ଦେଇ ବାହାରକୁ ଆଣିଥିଲେ।

ନିମାପଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୩୫ ନଂବର ବୁଥ୍ ବାଇଆବରରେ ଆଜି ଅପରାହ୍ନ‌ରେ ମତଦାନ ଚାଲିଥିବା ବେଳେ ବିଜେଡି-ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ବିଜେଡି ବିଧାୟକ ପ୍ରାର୍ଥୀ ସମୀର ଦାଶ ଓ ବିଜେପି ବିଧାୟିକ ପ୍ରାର୍ଥୀ ପ୍ରଭାତୀ ପରିଡା ବୁଥ୍‌ରେ ପହଞ୍ଚିଥିଲେ। ଦୁଇ ପ୍ରାର୍ଥୀଙ୍କ ଉପସ୍ଥିତି ପରେ ଉତ୍ତେଜନା ଆହୁରି ବଢିଥିଲା। ଦୁଇ ଗୋଷ୍ଠୀ ପରସ୍ପରକୁ ଆକ୍ରମଣ କରିଥିଲେ। ଏହି ଗୋଷ୍ଠୀ ସଂଘର୍ଷରେ ୫ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ଏ ସଂପର୍କରେ ବଳଙ୍ଗା ଥାନାକୁ ଖବର ଦିଆଯାଇଥିଲେ ମଧ୍ୟ ପୁଲିସ ଘଟଣାସ୍ଥଳରେ ପହଞ୍ଚିନଥିଲା। ପରେ ନିମାପଡା ତହସିଲଦାର କମଲଜିତ ଦାସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ। ଦୁଇପକ୍ଷଙ୍କୁ ବୁଝାସୁଝା କରାଯିବା ପରେ ତହସିଲଦାରଙ୍କ ଉପସ୍ଥିତିରେ ପୁଣି ମତଦାନ ଆରମ୍ଭ ହୋଇଥିଲା। ଭଦ୍ରକ ଜିଲ୍ଲା ତିହିଡ଼ିର ୨ଟି ବୁଥ୍‌ରେ ନିର୍ବାଚନୀ ହିଂସାକାଣ୍ଡ ଘଟି ୩ ଜଣ ଗୁରୁତର ଆହତ ହୋଇଛନ୍ତି। ତିହିଡ଼ି ବ୍ଲକ୍‌ ବାହାବଳପୁର କୃଷକ ସହଯୋଗ ହାଇସ୍କୁଲ୍‌ରେ ହୋଇଥିବା ବୁଥ୍‌ ନମ୍ବର ୨୩୦ରେ ମତଦାନ କରିବାକୁ ଅପେକ୍ଷା କରିଥିବା କ˚ଗ୍ରେସ କର୍ମୀ ଖଗେଶ୍ବର ମାଝୀଙ୍କୁ ବିପକ୍ଷ ରାଜନୈତିକ ଦଳର କର୍ମୀମାନେ ଧାରୁଆ ଛୁରିରେ ଆକ୍ରମଣ କରିଥିଲେ। ସେହିପରି ଅଚକ ପଞ୍ଚାୟତ ଉତ୍ତରବାହା ୫୭ ନମ୍ବର ବୁଥ୍‌ରେ ବିଜେଡି କର୍ମୀ କୈଳାସ ମଲ୍ଲିକଙ୍କୁ ଅନ୍ୟ ଦଳର ୮ରୁ ଊର୍ଦ୍ଧ୍ବ କର୍ମୀ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥି‌େଲ। ସେହିପରି ବାଲେଶ୍ବର ଜିଲ୍ଲା ରେମୁଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତର ବିଜେଡି ସଭାପତି ସୁଶାନ୍ତ ପଣ୍ଡାଙ୍କୁ କେତେକ ଦୁର୍ବୃତ୍ତ ଗତକାଲି ରାତିରେ ପ୍ରାଣାନ୍ତକ ଆକ୍ରମଣ କରିବାରୁ ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ଲାଗି କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର