କୋଭିଡ୍ ତୃତୀୟ ଲହର ଆସିଲେ ନିର୍ବାଚନ ଘୁଞ୍ଚିବ
ପୂରା ଦମ୍‌ରେ ଚାଲିଛି ସରକାରୀ ଉଦ୍‌ଘାଟନ, ଶିଳାନ୍ୟାସ

Advertisment

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପାଇଁ ଆବଶ୍ୟକ ପ୍ରକ୍ରିୟା ଚୂଡ଼ାନ୍ତ ହୋଇସାରିଛି। କେବଳ ତାରିଖ ଘୋଷଣାକୁ ବାକି ରହିଛି। ସମ୍ଭବତଃ ଆସନ୍ତା ସପ୍ତାହରେ ରାଜ୍ୟ ନିର୍ବାଚନ କମିସନର୍ ତାରିଖ ଘୋଷଣା କରିବେ। ୨୭ରୁ ୨୯ ତାରିଖ ଭିତରେ ଏହି ତାରିଖ ଘୋଷଣା ହୋଇପାରେ। ପାଞ୍ଚ ପର୍ଯ୍ୟାୟରେ ହେବାକୁ ଥିବା ଏହି ମତଦାନ ଫେବ୍ରୁଆରି ଦ୍ବିତୀୟ ସପ୍ତାହରେ ଆରମ୍ଭ ହେବାକୁ ଆପାତତଃ ସ୍ଥିର ହୋଇଛି। ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ନିର୍ବାଚନ କମିସନ୍ ଚଳିତ ସପ୍ତାହରେ ସର୍ବଦଳୀୟ ବୈଠକ ଡାକିବା ପାଇଁ ଯୋଜନା ଚଳାଇଛନ୍ତି।

ନିର୍ବାଚନ ତାରିଖ ଘୋଷଣା ହେବା ଏକ ପ୍ରକାର ନିଶ୍ଚିତ ହୋଇଥିଲେ ବି ନିର୍ବାଚନ ହେବା ନେଇ ଆଶଙ୍କା ରହିଛି। ଯଦି ମତଦାନ ଭିତରେ କୋଭିଡ୍ ତୃତୀୟ ଲହର ଆସେ, ତେବେ ନିର୍ବାଚନ ଘୁଞ୍ଚିବା ନିଶ୍ଚିତ। ଓମିକ୍ରନ୍ ଦେଶର ବିଭିନ୍ନ ସ୍ଥାନରେ ଚିହ୍ନଟ ହେଉଥିଲେ ବି ଓଡ଼ିଶାରେ ଏ ଯାଏ ଚିହ୍ନଟ ହୋଇ ନାହିଁ। କୋଭିଡ୍ ସଂକ୍ରମଣ ମଧ୍ୟ ନିୟନ୍ତ୍ରଣରେ ରହିଛି। କିନ୍ତୁ ଜାନୁଆରି କିମ୍ବା ଫେବ୍ରୁଆରିରେ ତୃତୀୟ ଲହର ଆସିବା ନେଇ ବିଶେଷଜ୍ଞମାନେ ଆକଳନ କରୁଥିବାରୁ ନିର୍ବାଚନ ଘୁଞ୍ଚିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ତେବେ ଜାନୁଆରି ମାସରେ ଏ ସଂକ୍ରାନ୍ତୀୟ ଚିତ୍ର ସ୍ପଷ୍ଟ ହେବ। ସେ ଯାଏ ନିର୍ବାଚନ ପ୍ରକ୍ରିୟା ଯଥାରୀତି ଜାରି ରହିବ।

publive-image

ନିର୍ବାଚନ ଆଗକୁ ଥିବାରୁ ସରକାରୀ କଳ ବେଶ୍ ତତ୍ପର ହୋଇଉଠିଛି। ସାରା ରାଜ୍ୟରେ ଉଦ୍‌ଘାଟନ, ଶିଳାନ୍ୟାସ ପୂରା ଦମ୍‌ରେ ଚାଲିଛି। ଶାସକ ଦଳ ପକ୍ଷରୁ ସବୁ ବିଧାୟକଙ୍କୁ ୨୫ ତାରିଖ ସୁଦ୍ଧା ସମସ୍ତ ସରକାରୀ କାର୍ଯ୍ୟକ୍ରମ ଶେଷ କରିବାକୁ ମୌଖିକ ଭାବେ ନିର୍ଦ୍ଦେଶ ଦିଆଯାଇଛି। ତେଣୁ ସବୁ ବିଧାୟକ ନିଜ ନିଜ ଅଞ୍ଚଳରେ ପୂରା ଦମରେ ବିଭିନ୍ନ କାର୍ଯ୍ୟକ୍ରମରେ ମାତିଯାଇଛି। ଯଦିଓ ସେସବୁ ସରକାରୀ କାର୍ଯ୍ୟକ୍ରମ, ତେବେ ସେଠାରେ ଶାସକ ଦଳର ଛାମୁଆ ନେତାମାନଙ୍କୁ ହିଁ ଦେଖିବାକୁ ମିଳୁଛି। ଶାସକ ଦଳରୁ ଟିକେଟ୍ ଆଶାୟୀମାନେ ବିଧାୟକଙ୍କ ସାମ୍ନାରେ ନିଜ ଶକ୍ତି ପ୍ରଦର୍ଶନ କରିବାର କୌଣସି ସୁଯୋଗ ହାତଛଡ଼ା କରୁ ନାହାନ୍ତି। ସରକାରୀ କାର୍ଯ୍ୟକ୍ରମ ନାଁରେ ବିଧାୟକମାନେ ମଧ୍ୟ ପଞ୍ଚାୟତ ୱାରି ଦଳୀୟ ସଂଗଠନର ସ୍ଥିତି ପରଖୁଛନ୍ତି। ପ୍ରଥମେ ପ୍ରଥମେ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣକୁ ନେଇ ଛକାପଞ୍ଝା ଚାଲିଥିଲା ବେଳେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଲା ପରେ ସେହି ଛକାପଞ୍ଝାର ଅବସାନ ଘଟିଛି। ଏବେ ଟିକେଟ୍ ପାଇଁ ନିଜ ନିଜ ବାଟରେ ଲବି ଆରମ୍ଭ କରିଦେଲେଣି।

ସେହିପରି ରାଜ୍ୟ ସ୍ତରରେ ମଧ୍ୟ ମାରାଥନ୍ ଉଦ୍‌ଘାଟନ, ଶିଳାନ୍ୟାସ ଜାରି ରହିଛି। ବହୁ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପଗୁଡ଼ିକୁ ଏବେ ଉଦ୍‌ଘାଟନ କରାଯାଉଥିବାର ଦେଖିବାକୁ ମିଳୁଛି। ପ୍ରାୟ ପ୍ରତିଦିନ ମୁଖ୍ୟମନ୍ତ୍ରୀଙ୍କର କିଛି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ରହୁଥିବାର ଦେଖିବାକୁ ମିଳୁଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡକୁ ଶାସକ ଦଳ ଟ୍ରମ୍ଫ୍ କାର୍ଡ ଭାବେ ନିର୍ବାଚନରେ ବ୍ୟବହାର କରିବାକୁ ଯୋଜନା କରିଛି। ସେଥି ପାଇଁ ନିଜେ ମୁଖ୍ୟମନ୍ତ୍ରୀ ୩୦ଟି ଜିଲ୍ଲାରେ ଏହି କାର୍ଡ ବିତରଣ ଆରମ୍ଭ କରିଥିଲେ। କିଛି ଜିଲ୍ଲାକୁ ନିଜେ ଯାଇଥିଲା ବେଳେ ଆଉ କିଛି ଜିଲ୍ଲାରେ ଭର୍ଚୁଆଲ୍ ପ୍ଲାଟ୍‌ଫର୍ମରେ ଉଦ୍‌ଘାଟନ କରିଥିଲେ। ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କଲା ପରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀମାନେ ବିଭିନ୍ନ ଆଡ଼େ କାର୍ଡ ବଣ୍ଟନ କରୁଛନ୍ତି। ସ୍ଥାନୀୟ ଅଞ୍ଚଳରେ ଏକ ପ୍ରକାର ନିର୍ବାଚନ ପରିବେଶ ସୃଷ୍ଟି ହୋଇଗଲାଣି। ତିନି ଚାରି ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଚାଲିଥିବା ଉଦ୍‌ଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ଶେଷ ହେବ ବୋଲି ସୂଚନା ମିଳିଛି।

publive-image Bhatkallys.com

ଚଳିତ ଥର ୬୭୯୪ ସରପଞ୍ଚ, ୬୭୯୩ ପଞ୍ଚାୟତ ସମିତି ସଭ୍ୟ, ୯୧,୯୧୬ ୱାର୍ଡମେମ୍ବର ଓ ୮୫୩ ଜିଲ୍ଲା ପରିଷଦ ସଦସ୍ୟ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି। ୫ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରତି ପର୍ଯ୍ୟାୟ ମଧ୍ୟରେ ଦିନେ ଦୁଇ ଦିନ ବ୍ୟବଧାନ ରହିବ। ପ୍ରତି ବ୍ଲକ୍‌କୁ ଗୋଟିଏ ୟୁନିଟ୍ ଭାବେ ଧରାଯିବ। ଏହି ବ୍ଲକ୍ ଅଧୀନରେ ଥିବା ସମସ୍ତ ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି, ଗ୍ରାମ ପଞ୍ଚାୟତ ଓ ୱାର୍ଡ ପାଇଁ ଭୋଟ୍ ଗ୍ରହଣ ଗୋଟିଏ ଦିନରେ କରାଯିବ। ଏଥର ବୁଥରେ ଭୋଟ୍ ଗଣତି ନ ହୋଇ ସମ୍ପୂର୍ଣ୍ଣ ପାଞ୍ଚ ପର୍ଯ୍ୟାୟ ମତଦାନ ଶେଷ ହେଲା ପରେ ବ୍ଲକ୍ ସ୍ତରରେ ଭୋଟ୍ ଗଣତି ହେବ। ଏହା ମଧ୍ୟରେ ଭୋଟର୍ ତାଲିକା ସଂଶୋଧନ ଶେଷ ହୋଇଛି। ୨୦୨୧ ନଭେମ୍ବର ୧ ତାରିଖ ସୁଦ୍ଧା ୧୮ ବର୍ଷରେ ପଦାର୍ପଣ କରିଥିବା ନାଗରିକମାନଙ୍କୁ ଭୋଟର୍ ତାଲିକାରେ ନିଆଯାଇଛି। ୨.୬୧ କୋଟିରୁ ଅଧିକ ମତଦାତା ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବେ।