ଭୁବନେଶ୍ୱର: ରାଜ୍ୟରେ ଚତୁର୍ଥ ଓ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଆଜି ଶେଷ ହୋଇଯାଇଛି। ଅପରାହ୍ଣ ୫ଟା ସୁଦ୍ଧା ୬୬ ପ୍ରତିଶତ ଭୋଟର ମତଦାନ କରିଛନ୍ତି ଏବଂ ଭୋଟ ଗ୍ରହଣ ଶେଷ ସୁଦ୍ଧା ମତଦାନ ହାର ଆହୁରି ବେଶୀ ହେବାର ଆଶା କରାଯାଏ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି।
ଅପରାହ୍ଣରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ କୁମାର କହିଲେ ଯେ,ଆଜି ଅପରାହ୍ଣ ୫ଟା ସୁଦ୍ଧା ରାଜ୍ୟର ୬ଟି ଲୋକସଭା ନିର୍ବାଚନୀ ମଣ୍ଡଳୀ ଓ ଏହା ଅନ୍ତର୍ଗତ ୪୧ ବିଧାନସଭା ଆସନରେ ହାରାହାରି ୬୬ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ମୟୁରଭଂଜ ଲୋକସଭା ନିର୍ବାଚନ ମଣ୍ଡଳୀରେ ୬୬ ପ୍ରତିଶତ, ବାଲେଶ୍ୱରରେ ୬୪ ପ୍ରତିଶତ, ଭଦ୍ରକରେ ୬୮ ପ୍ରତିଶତ, ଯାଜପୁରରେ ୬୫ ପ୍ରତିଶତ , କେନ୍ଦ୍ରାପଡ଼ାରେ ୬୫ ପ୍ରତିଶତ ଏବଂ ଜଗତସିଂହପୁରରେ ୬୪ ପ୍ରତିଶତ ଭୋଟର୍ ଭୋଟ୍ ଦେଇଥିବାର ଜଣାଯାଏ।
କେତେକ ମତଦାନ କେନ୍ଦ୍ରରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଭୋଟଗ୍ରହଣ ବିଳମ୍ବିତ ହୋଇଥିଲା ବୋଲି ସ୍ୱୀକାର କରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଲେ ଯେ,ଏହି ସବୁ ତ୍ରୁଟି ସଜଡ଼ାଯାଇ ଭୋଟଗ୍ରହଣ ଆରମ୍ଭ କରାଯାଇଥିଲା।
/sambad/media/post_attachments/wp-content/uploads/2019/04/EVM-Not-Working_Thumbnail-1-1024x588.jpg)
ତିନୋଟି ଭୋଟଗ୍ରହଣ କେନ୍ଦ୍ରରେ ପ୍ରିଜାଇଡିଂ ଅଫିସର୍ମାନେ ଭୋଟରଙ୍କୁ ଭୋଟ କେମିତି ଦିଆଯିବ ତାହା ଶିଖାଇବା ବାହାନାରେ ଏକ ନିର୍ଦ୍ଦିଷ୍ଟ ଦଳକୁ ଭୋଟ ଦେବାକୁ ପ୍ରବର୍ତ୍ତାଉଥିବାର େଓ୍ଵବ୍ କାଷ୍ଟିଂରୁ ଧରା ପଡ଼ିଥିଲା। ଏହି ତିନି ଜଣ ନିର୍ବାଚନ ଅଧିକାରୀଙ୍କୁ ସେଥିପାଇଁ ନିଲମ୍ବନ କରାଯାଇଛି। ସେମାନେ ହେଲେ ବିଂଝାରପୁର ବିଧାନସଭା ଆସନର ୧୯୧ ନମ୍ବର ବୁଥ୍ର ପ୍ରିଜାଇଡିଂ ଅଫିସର୍ ବୈକୁଣ୍ଠ ନାଥ ମଲ୍ଲିକ, ସେହି ନିର୍ବାଚନ ମଣ୍ଡଳୀର ୧୩୫ ନମ୍ବର ବୁଥ୍ର ଅଫିସର୍ ଧୀରେନ୍ଦ୍ର ପୃଷ୍ଟି ଏବଂ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ୧୯୫ ନମ୍ବର ବୁଥ୍ର ପ୍ରିଜାଇଡିଂ ଅଫିସର୍ ଜନାର୍ଦ୍ଦନ ପୃଷ୍ଟି।
ଏହି ପର୍ଯ୍ୟାୟରେ ଅଧିକ ଭୋଟ ଗ୍ରହଣ ଦେଖିବାକୁ ମିଳିଥିବା ବେଳେ ବହୁସ୍ଥାନରେ ନିର୍ବାଚନୀ ହିଂସା ଘଟିବାର ଖବର ମିଳିଛି। ବିଭିନ୍ନ ଦଳ ପକ୍ଷରୁ ରିଗିଂ ଓ ବୁଥ୍ କ୍ୟାପ୍ଚରିଂର ଅଭିଯୋଗ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ପହଞ୍ଚଛି। ସେସବୁ ଅଭିଯୋଗଗୁଡିକର ଅନୁସନ୍ଧାନ କରାଯାଉଛି ଏବଂ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ କୁମାର କହିଥିଲେ। ତେବେ ନିର୍ବାଚନ ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଥିଲେ।
ଭୋଟଗ୍ରହଣ ଦାୟିତ୍ୱରେ ଥିବା ଅଫିସର୍ ଓ କର୍ମଚାରୀମାନେ କିପରି ସୁରକ୍ଷିତ ଅବସ୍ଥାରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ଧରି ଷ୍ଟ୍ରଙ୍ଗ୍ ରୁମ୍କୁ ଫେରିବେ ଏବଂ ଭୋଟ ଗ୍ରହଣ ବେଳେ ଓ ତା’ପରେ କିପରି ସ୍ୱଚ୍ଛତା ରକ୍ଷା କରାଯିବ ସେଥିପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ଅନ୍ୟ ଅଫିସର୍ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
/sambad/media/post_attachments/wp-content/uploads/2019/04/Bari-Booth_Thumbnail.jpg)
ସମ୍ଭାବ୍ୟ ବାତ୍ୟାପାଇଁ ଆମେ ସଂପୂର୍ଣ୍ଣ ପ୍ରସ୍ତୁତ ଅଛୁ ବୋଲି ପ୍ରକାଶ କରି ମୁଖ୍ୟ ନିର୍ବାଚନ ଅଧିକାରୀ କହିଲେ ଯେ, ଇଲେକ୍ଟ୍ରୋନିକ ଭୋଟିଂ ମେସିନଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ନିର୍ବାଚନୀ ହିଂସା ସଂପର୍କରେ ଆପଣ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି?‘‘ନିର୍ବାଚନ କମିସନଙ୍କ ସହିତ ଆମେ ନିୟମିତ ଯୋଗାଯୋଗରେ ଅଛୁ ଏବଂ ତାଙ୍କ ନିର୍ଦ୍ଦେଶ ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ’’ ବୋଲି ଶ୍ରୀ କୁମାର କହିଥିଲେ।