ନିର୍ବାଚନ ଜାଲିଆତି ନେଇ ଜିଲ୍ଲା କଂଗ୍ରେସର ସାନି ମତଦାନ ଦାବି

ବାଲେଶ୍ବର: ଜଳେଶ୍ବର ନିର୍ବାଚନମଣ୍ତଳୀ ଅନ୍ତର୍ଗତ ବସ୍ତା ବ୍ଲକ କାଦରାୟାଁ ପଞ୍ଚାୟତରେ ଗତ ୧୮ ତାରିଖରେ ଅନୁଷ୍ଠିତ ମତଦାନ ସମୟରେ ଜାଲିଆତି, ବୁଥ ଦଖଲ ଆଦି ଅନିୟମିତତା ଅଭିଯୋଗ ଆଣି ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇଥିଲା। ଯେଉଁଥିରେ ସିଂଲା ଥାନାର ଭାରପ୍ରାପ୍ତ ଅଧିକାରୀ ଓ ବିଡିଓଙ୍କ ଅବହେଳାକୁ ଦାୟୀ କରାଯାଇ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସାଙ୍ଗକୁ ସାନି ମତଦାନ ପାଇଁ ଦାବି କରିଥିଲା କଂଗ୍ରେସ। ତେବେ ଜଳେଶ୍ଵର ବିଧାୟକ ଅଶ୍ୱିନୀ କୁମାର ପାତ୍ର ୧୯ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀ କରି ବିଡିଓ ଏବଂ ସିଂଲା ଥାନା ଅଧିକାରୀଙ୍କ ସପକ୍ଷରେ ଯେଉଁଭଳି ମନ୍ତବ୍ୟ ଦେଲେ, ସେଥିରୁ ଶାସକ ଦଳ ଓ ପୁଲିସ ଅଫିସରଙ୍କ ଭିତରେ ଥିବା ମଧୁର ସମ୍ପର୍କ ପ୍ରମାଣିତ ହୋଇଛି ବୋଲି ଜିଲ୍ଲା କଂଗ୍ରେସ ସଭାପତି ସଂଜୀବ ଗିରି ଅଭିଯୋଗ କରିଛନ୍ତି।

ଆଜି ବାଲେଶ୍ଵରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଗିରି କାଦାରାୟାଁ ପଞ୍ଚାୟତରେ ନିର୍ବାଚନ ଅନିୟମିତତା ବାବଦରେ ୬ଟି ପ୍ରମାଣ ଉଲ୍ଲେଖ କରିବା ସହ ଜଳେଶ୍ଵର ବିଧାୟକ ସିଂଲା ଥାନା ଅଧିକାରୀଙ୍କ ମୁଖପାତ୍ର ସାଜିଥିବା ନେଇ ଅଭିଯୋଗ କରିଛନ୍ତି। ସତସାହସ ଥିଲେ ବିଧାୟକ ଏହିସବୁ ପ୍ରମାଣଗୁଡ଼ିକ ଖଣ୍ତନ କରନ୍ତୁ ବୋଲି ସେ ଆହ୍ଵାନ କରିଛନ୍ତି। ଏ ସଂକ୍ରାନ୍ତରେ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ ନିମନ୍ତେ କଂଗ୍ରେସର ଏକ ପ୍ରତିନିଧି ଦଳ ଆଜି ଭୁବନେଶ୍ବର ଯାଇଥିବା ଶ୍ରୀ ଗିରି ସୂଚନା ଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସର ସାଧାରଣ ସମ୍ପାଦକ ଦେବଦତ୍ତ ଦାସ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଗୌତମ ସାହୁ ଏବଂ ଜିଲ୍ଲା କଂଗ୍ରେସ ସମ୍ପାଦକ ପଶୁପତି ଉପାଧ୍ୟାୟ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ଜଳେଶ୍ବର ବିଧାୟକ ଶ୍ରୀ ପାତ୍ରଙ୍କୁ ଏ ସମ୍ପର୍କରେ ପଚାରିବା ପାଇଁ ଯୋଗାଯୋଗ କରାଯାଇଥିଲେ ହେଁ ତାଙ୍କ ପ୍ରତିକ୍ରିୟା ମିଳିପାରିନଥିଲା।

ସମ୍ବନ୍ଧିତ ଖବର