ସୁରତରେ ନିର୍ବାଚନୀ ତାତି: ଓଡ଼ିଆ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଡେରା

ପ୍ରଚାର ମଇଦାନରେ ବିଜେପି, କଂଗ୍ରେସ, ଆପ୍‌

ବ୍ରହ୍ମପୁର : ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ଜୋରଦାର୍‌ ପ୍ରଚାର ଚାଲିଛି। ଆସନ୍ତା ଡିସେମ୍ବର ୧ତାରିଖରେ ପ୍ରଥମ ଓ ୫ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଗ୍ରହଣ କରାଯିବା ପାଇଁ ଦିନଧାର୍ଯ୍ୟ କରାଯାଇଛି। ଏଥିପାଇଁ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ମାରାଥନ୍‌ ପ୍ରଚାର ଚଳାଇଛନ୍ତି। ଏହି ପ୍ରଚାରରେ ଓଡ଼ିଶାର ନେତାମାନେ ମଧ୍ୟ ସାମିଲ ହୋଇଛନ୍ତି। ଓଡ଼ିଶାର ନେତାମ‌ାନେ ବିଶେଷକରି ସୁରତରେ ସେମାନଙ୍କର ପ୍ରଚାର ଜାରି ରଖିଛନ୍ତି। ସେଠାରେ ବହୁ ଓଡ଼ିଆ ଭୋଟର୍‌ ରହୁଥିବାରୁ ସେମାନଙ୍କୁ ଆକୃଷ୍ଟ କରିବା ପାଇଁ ଓଡ଼ିଶାର ବିଜେପି, କଂଗ୍ରେସ ଓ ଆମ୍‌ ଆଦମୀ ପାର୍ଟି(ଆପ୍‌) ନେତାମାନେ ଡେରା ପକାଇଛନ୍ତି।

ସୁରତରେ ଓଡ଼ିଶାର ପ୍ରାୟ ୬ଲକ୍ଷ ଲୋକ ବସବାସ କରୁଛନ୍ତି। ତନ୍ମଧ୍ୟରେ ଗଞ୍ଜାମ ଜିଲ୍ଲାର ପ୍ରାୟ ୭୫ ପ୍ରତିଶତ ଲୋକ ରହିଛନ୍ତି। ସମୁଦାୟ ଓଡ଼ିଆ ପ୍ରବାସୀଙ୍କ ମଧ୍ୟରୁ ପ୍ରାୟ ଦେଢ଼ଲକ୍ଷ ଲୋକ ଭୋଟ ଦେଇଥାନ୍ତି। ସୁରତର ୧୬ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଚୋରୟାଶୀ, କାମରେଜ, ଉଦନା, ମଜୁରା, କତାରଗାଁ ଓ କରଞ୍ଜ ଏଭଳି ୬ଟି ନିର୍ବାଚନମଣ୍ଡଳୀରେ ଓଡ଼ିଆ ଭୋଟର୍‌ ରହିଛନ୍ତି। ଏମାନଙ୍କୁ ଆକୃଷ୍ଟ କରିବା ପାଇଁ ଗଞ୍ଜାମ ଜିଲ୍ଲାର ବରିଷ୍ଠ ବିଜେପି ନେତା ତଥା ବିଜେପି ମୁମ୍ବାଇ ଓଡ଼ିଆ ସେଲ୍‌ର ସଭାପତି ଶ୍ରୀକାନ୍ତ ପାଢ଼ୀ, କଂଗ୍ରେସର ପୂର୍ବତନ ରାଜ୍ୟସଭା ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ ପ୍ରଚାର ମଇଦାନରେ ଓହ୍ଲାଇଛନ୍ତି। ପ୍ରବାସୀ ଓଡ଼ିଆଙ୍କୁ ଓଡ଼ିଆ ଭାଷାରେ ଭାଷଣ ଦେଇ ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି। ସେହିପରି ଆମ୍‌ ଆଦମୀ ପାର୍ଟି ଗଞ୍ଜାମ ଜିଲ୍ଲାର ଉପସଭାପତି ସୁଧୀର କୁମାର ପ୍ରଧାନଙ୍କ ନେତୃତ୍ବରେ ଏକ ଟିମ୍‌ ମଧ୍ୟ ସୁରତ ଯାଇ ନିର୍ବାଚନ ପ୍ରଚାରରେ ସାମିଲ ହୋଇଥିବା ଆବାହକ ସୁବାସ ରାଉତ ସୂଚନା ଦେଇଛନ୍ତି। ପାର୍ଟି ତରଫରୁ ବିଭିନ୍ନ ବସ୍ତି ଅଞ୍ଚଳରେ ପ୍ରଚାର କରାଯାଉଥିବା ସୂଚନା ମିଳିଛି।

ଏଠ‌ାରେ ଉଲ୍ଲେଖଯୋଗ୍ୟ ଯେ ଗତ ୨୦୧୭ ବିଧାନସଭା ନିର୍ବାଚନରେ ସୁରତର ୧୬ଟି ଆସନରୁ ୧୫ଟି ଆସନରେ ବିଜେପି ଓ ଗୋଟିଏରେ କଂଗ୍ରେସ ବିଜୟୀ ହୋଇଥିଲା। ସେହିପରି ୨୦୨୧ ପୌର ନିର୍ବାଚନରେ ୧୨୦ଟି କର୍ପୋରେଟର୍‌ ଆସନରୁ ୯୩ରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ଆପ୍‌ ନିର୍ବାଚନ ମଇଦାନରେ ଓହ୍ଲାଇ ୨୭ଟି ଆସନ ଅକ୍ତିଆର କରିଥିଲା। ଚଳିତ ବିଧାନସଭା ନିର୍ବାଚନର ଫଳଫଳ କ’ଣ ହେଉଛି, ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ।

ସମ୍ବନ୍ଧିତ ଖବର