ଭୁବନେଶ୍ୱର: ବିଜୁ ଜନତା ଦଳର ନିର୍ବାଚନୀ ଇସ୍ତାହାର ମଙ୍ଗଳବାର ଉନ୍ମୋଚିତ ହୋଇଯାଇଛି। ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ନବୀନ କହିଛନ୍ତି, ଆମେ ରାଜ୍ୟବାସୀଙ୍କୁ ଯାହା ପ୍ରତିଶ୍ରୁତି ଦେଇ ଆସିଛୁ, ଠିକ ସମୟରେ ତାହା କରି ଆସିଛୁ କିନ୍ତୁ ଅନ୍ୟ ଦଳମାନେ ତାହା ପୂରଣ କରନ୍ତି ନାହିଁ। ନିର୍ବାଚନୀ ଇସ୍ତାହାର ଘୋଷଣା ବେଳେ ନବୀନ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିଛନ୍ତି। ନବୀନ କହିଛନ୍ତି, ବିଜେପି ନିର୍ବାଚନୀ ଇସ୍ତାହାରରେ ଯାହା ଘୋଷଣା କରେ ତାହା କରି ପାରି ନଥାଏ।
ବିଜେଡ଼ି ନିଜର ନିର୍ବାଚନୀ ଇସ୍ତାହାରରେ ମହିଳା ସଶକ୍ତିକରଣ, ଯୁବ ସଶକ୍ତିକରଣ, ଚାଷୀ ସଶକ୍ତିକରଣକୁ ଅଧକ ଗୁରୁତ୍ୱ ଦେଇଛି। ଇସ୍ତାହାର ପ୍ରକାଶ କରିବା ସହ ଜନତାଙ୍କ ସାମ୍ନାରେ ରିପୋର୍ଟ କାର୍ଡ଼ ରଖିଛି ବିଜେଡ଼ି । ଭୋଟରଙ୍କୁ ପୁଣି ଥରେ ଆକୃଷ୍ଟ କରିବା ପାଇଁ ଶାସକ ଦଳ ବିଜେଡ଼ି ଇସ୍ତାହାର ପତ୍ରରେ ଅନେକ ନୂତନ ପ୍ରତିଶ୍ରୁତି ଦେଇଛି । ନିମ୍ନରେ ଇସ୍ତାହାରର ମୁଖ୍ୟାଂଶ ପ୍ରଦାନ କରାଗଲା।
/sambad/media/post_attachments/wp-content/uploads/2019/04/Naveen-Patnaik-moneytroll-300x169.jpg)
– ବିଜେଡ଼ିର ଇସ୍ତାହାର ଥିମ୍ ରହିଛି ‘ନବୀନ ଓଡ଼ିଶା, ସଶକ୍ତ ଓଡ଼ିଶା’
– ମହିଳାମାନଙ୍କର ସଶକ୍ତିକରଣ, ଚାଷୀଙ୍କସଶକ୍ତିକରଣ ଓ ପଛୁଆ ବର୍ଗ ଲୋକଙ୍କ ସଶକ୍ତିକରଣ ଉପରେ ଗୁରୁତ୍ୱ ଦିଆଯାଇଛି ।
– ଚାଷୀଙ୍କ ଉପରେ ଫୋକସ୍ ରହିଛି । କ୍ଷମତାକୁ ଆସିଲେ କାଳିଆ ଯୋଜନା ସବୁ ଦିନ ପାଇଁ ଚାଲିବ ବୋଲି ଘୋଷଣା କରାଯାଇଛି।
– ସରକାର ଗଠନର ପ୍ରଥମ ଦିନରେ ବାକି ଥିବା ୨୫ ଲକ୍ଷ ଚାଷୀଙ୍କୁ ଦୁଇଟି କିସ୍ତିର ୧୦,୦୦୦ ଟଙ୍କା ଏକା ଥରକେ ପ୍ରଦାନ କରାଯିବ ।
– ୫୦ ହଜାର କୋଟି ଟଙ୍କା ଜଳସେଚନ ପାଇଁ ବ୍ୟୟ କରାଯିବ ।
– ଯୁବଗୋଷ୍ଠୀଙ୍କ ଉପରେ ଇସ୍ତାହାରରେ ଗୁରୁତ୍ୱ ଦେଇ ସମସ୍ତ କଲେଜ, ୟୁନିଭର୍ସିଟିରେ ମାଗଣାରେ ୱାଇଫାଇ ଉପଲବ୍ଧ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି।
– ବିନା ସୁଧରେ ଶିକ୍ଷା ଋଣ ପ୍ରଦାନ କରାଯିବ
– ପଂଚାୟତ ସ୍ତରରେ ଅଧିକ ଗୋଦାମ ଗୃହ ତିଆରି କରାଯିବ ।
– କାଳିଆ ଯୋଜନା ସହ କାଳିଆ ସ୍କଲାରସିପ୍ ମଧ୍ୟ ଜାରି ରହିବ ।
– ପଂଚାୟତ ସ୍ତରରେ ଅଧିକ ଗୋଦାମ ଗୃହ ତିଆରି ସହ ଧାନ ସଂଗ୍ରହ ପାଇଁ ଅଧିକ ବ୍ୟବସ୍ଥା କରାଯିବ ।
-ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ୫୦୦୦ କୋଟି ଟଙ୍କାର ବ୍ୟବସାୟିକ ପ୍ରକଳ୍ପ ଆରମ୍ଭ କରାଯିବ
-ଏସ୍ଏଚ୍ଜି ଗ୍ରୁପର ମହିଳାଙ୍କୁ ବିନା ସୁଧରେ ୫ ଲକ୍ଷ ଟଙ୍କା ଯାଏ ଋଣ ମିଳିବ
- ଝିଅଙ୍କୁ କେଜି ଠାରୁ ପିଜି ପର୍ଯ୍ୟନ୍ତ ମାଗଣାରେ ଶିକ୍ଷା ମିଳିବ
-ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କ ସହାୟତା ପରିମାଣ ୭ ଲକ୍ଷରୁ ୧୦ ଲକ୍ଷ ଟଙ୍କା ଦିଆଯିବ
-ଗରିବ ପରିବାରର ଝିଅଙ୍କୁ ବିବାହ ପାଇଁ ୨୫,୦୦୦ ଟଙ୍କା ସହାୟତା