ଭୁବନେଶ୍ବର: ରାଜ୍ୟର ତିନି ବିଶ୍ବବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ଚଳିତ ମାସରେ ଶେଷ ହେଉଛି। ହାତରେ ଆଉ ମାତ୍ର ଦୁଇ ସପ୍ତାହ ରହିଥିଲେ ମଧ୍ୟ ଏପର୍ଯ୍ୟନ୍ତ ନୂତନ କୁଳପତି ଚୟନ ପ୍ରକ୍ରିୟା ଆରମ୍ଭ ହୋଇ ନାହିଁ। ଏମିତିକି ଉଚ୍ଚଶିକ୍ଷା ବିଭାଗ ସ୍ତରରେ ଚୟନ ପ୍ରକ୍ରିୟା ଅଟକି ରହିଥିବା ନେଇ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି। ଏହାକୁ ନେଇ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ତଥା ରାଜଭବନ ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯିବା ସହ ତୁରନ୍ତ ଚୟନ ପ୍ରକ୍ରିୟା କରିବାକୁ ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କୁଳପତି ଚୟନ ପାଇଁ ବିଜ୍ଞପ୍ତି ପ୍ରକାଶ କରିବାକୁ ରାଜଭବନ ପକ୍ଷରୁ ୪ ଦିନ ତଳେ ଚିଠି ଆସିଥିଲେ ହେଁ ବିଭାଗୀୟ ଅଧିକାରୀମାନେ ଏହା ଉପରେ କୌଣସି ପଦକ୍ଷେପ ନେଇନଥିଲେ। 

Advertisment

ବିଶ୍ବବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ରଘୁବର ଦାସଙ୍କ ନିର୍ଦ୍ଦେଶରେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଏନବିଏସ୍ ରାଜପୁତ ଚଳିତ ମାସ ୮ ତାରିଖରେ ଉଚ୍ଚଶିକ୍ଷା ସଚିବଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ ଓଡ଼ିଶା ବିଶ୍ବବିଦ୍ୟାଳୟ ଆଇନ-୧୯୮୯ ଆଧାରରେ ନୂଆ କୁଳପତି ଚୟନ ହେବେ। ଚୟନ କମିଟିର ସଂଯୋଜକ ଭାବେ ଉଚ୍ଚଶିକ୍ଷା ସଚିବ ବିଜ୍ଞାପନ ଜାରି କରିବେ। ତେବେ ଏହି ଚୟନ ପ୍ରକ୍ରିୟା ଉଚ୍ଚଶିକ୍ଷା ବିଭାଗ ସ୍ତରରେ ପଡ଼ି ରହିଛି। ଚୟନ ପ୍ରକ୍ରିୟାରେ ବିଳମ୍ବ ଯୋଗୁଁ ଉତ୍କଳ ବିଶ୍ବବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ଓ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ କୁଳପତି ପଦବି ଖାଲି ପଡ଼ିଲେ ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ-୧୯୮୯ ଆଧାରରେ ‘ଭାରପ୍ରାପ୍ତ କୁଳପତି’ ଦାୟିତ୍ୱ ତୁଲାଇବେ। ତେଣୁ ଏଭଳି ସ୍ଥିତିରେ ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ନୂଆ କୁଳପତି ଚୟନ ପାଇଁ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ସେ ଅନୁରୋଧ କରିଛନ୍ତି।

ଦୁଇ ସପ୍ତାହ ପରେ ୩ ବିଶ୍ବବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ସରିବ
ତ୍ବରାନ୍ବିତ କରିବାକୁ ରାଜଭବନ ପକ୍ଷରୁ ନିର୍ଦ୍ଦେଶ
ଭାରପ୍ରାପ୍ତ କୁଳପତି ତୁଲାଇବେ ଦାୟିତ୍ବ

ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଅଧିନିୟମ-୨୦୨୦ ଆଧାରରେ ନିଯୁକ୍ତି ପାଇଥିବା ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସବିତା‌ ଆଚାର୍ଯ୍ୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଏନ୍‌. ନାଗରାଜୁ ଓ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ଏବେ ରାଜ୍ୟର ୫ଟି ବିଶ୍ବବିଦ୍ୟାଳୟର ସ୍ଥାୟୀ କୁଳପତି ନାହାନ୍ତି। ଦେଢ଼ବର୍ଷ ହେଲା ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ (ଏମ୍‌ଏସ୍‌ସିବି)ରେ କୁଳପତି ନ ଥିବାରୁ ଫକୀର ମୋହନ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଏଠାରେ ଭାରପ୍ରାପ୍ତ ଦାୟିତ୍ବରେ ରହିଛନ୍ତି। ଓଡ଼ିଆ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସବିତା ପ୍ରଧାନ ଏବେ ପୁରୀସ୍ଥିତ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଦାୟିତ୍ବ ସମ୍ଭାଳୁଛନ୍ତି। ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟରେ ସ୍ଥାୟୀ କୁଳପତି ନ ଥିବାରୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ଭାରପ୍ରାପ୍ତ ଦାୟିତ୍ବରେ ରହିଛନ୍ତି। ୨୦୨୩ରେ ପ୍ରତିଷ୍ଠା ହୋଇଥିବା ଧରଣୀଧର ବିଶ୍ବବିଦ୍ୟାଳୟ ଓ ବିକ୍ରମଦେବ ବିଶ୍ବବିଦ୍ୟାଳୟ ଅବସ୍ଥା ମଧ୍ୟ ତଦ୍ରୁପ। ପ୍ରତିଷ୍ଠା ଦିନରୁ କୁଳପତି ନିଯୁକ୍ତ ହୋଇନାହାନ୍ତି। ଓଏସ୍‌ଡି(ଅଫିସର ଅନ୍‌ ସ୍ପେସାଲ ଡ୍ୟୁଟି) ନିଯୁକ୍ତି କରି ରାଜ୍ୟ ସରକାର ହାତ ଟେକି ଦେଇଛନ୍ତି। ଆଉ ୩ଟି ବିଶ୍ବବିଦ୍ୟାଳୟ ମୁରବି ଶୂନ୍ୟ ହେଲେ ସଂଖ୍ୟା ୮ରେ ପହଞ୍ଚିବ। ଅର୍ଥାତ୍‌ ରାଜ୍ୟର ଅଧା ସରକାରୀ ବିଶ୍ବବିଦ୍ୟାଳୟ ବିନା ମୁରବିରେ ଚାଲିବ।