କେନ୍ଦ୍ରୀୟ ପୂଜା କମିଟି ନିର୍ବାଚନ ଶେଷ; ବିରାଜ ସମ୍ପାଦକ ଓ ଆଲୋକ କୋଷାଧ୍ୟକ୍ଷ ନିର୍ବାଚିତ

ରାଉରକେଲା: ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡ. ଶୁଭଙ୍କର ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ରବିବାର ସମ୍ମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା,ପାନପୋଷ ସ୍ଥିତ ସଭାଗୃହରେ କେନ୍ଦ୍ରୀୟ ପୂଜା କମିଟିର ବିଭିନ୍ନ ପଦ ପଦବୀ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହେବା ସହ ଫଳ ପ୍ରକାଶ ପାଇଥିଲା। ନିର୍ବାଚନ ଫଳ ଅନୁଯାୟୀ କେନ୍ଦ୍ରୀୟ ପୂଜା କମିଟି ସମ୍ପାଦକ ଭାବେ ବିରାଜ ବିଶ୍ବାଳ, କୋଷାଧ୍ୟକ୍ଷ ଭାବେ ଆଲୋକ ମହାପାତ୍ର ନିର୍ବାଚିତ ହୋଇଛନ୍ତି। ସେହିଭଳି ଷ୍ଟିଲ୍‌ ଟାଉନ୍‌ ପୂଜା କମିଟି ନିମନ୍ତେ ଯୁଗ୍ମ ସମ୍ପାଦକ ଭାବେ ବରଦା ପ୍ରସନ୍ନ ଦାସ, ଉପ ସଭାପତି ଭାବେ ନାରାୟଣ ମହାନ୍ତି, ପରିଚଳନା ସମିତି ସଭ୍ୟଭାବେ ରାହୁଲ ରାୟ ଓ ରବି ରାଉତ ନିର୍ବାଚିତ ହୋଇଛନ୍ତି।

ଅନ୍ୟପକ୍ଷରେ ସିଭିଲ୍‌ ଟାଉନ୍‌ ନେଇ ଯୁଗ୍ମ ସମ୍ପାଦକ ଭାବେ ସମର ପ୍ରିୟ ତନ୍ତି, ଉପ ସଭାପତି ଭାବେ ପ୍ରସନ୍ନ ବଳିଆର ସିଂ ଓ ପରିଚାଳନା ସମିତି ସଭ୍ୟ ଭାବେ ମାନସୀ ସରକାର ଓ ରାକେଶ ଶର୍ମା ନିର୍ବାଚିତ ହୋଇଛନ୍ତି। ତେବେ ଫର୍ଟିଲାଇଜ୍‌ ଟାଉନ୍‌ ପାଇଁ ଉପସଭାପତି ଭାବେ ଅନିଲ ମଲ୍ଲିକ, ଯୁକ୍ତ ସମ୍ପାଦକ ଭାବେ ପ୍ରଦୀପ ଦାଶ ଓ ପରିଚାଳନା ସମିତି ସଭ୍ୟ ଭାବେ ପ୍ରସାଦ ମଲ୍ଲିକ ଓ ପଙ୍କଜ ପାଢ଼ୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ତେବେ ନିର୍ବାଚନରେ ସହରର ବିଭିନ୍ନ ପୂଜା କମିଟି ସଦସ୍ୟ ମତଦାନ କରିଥିବା ବେଳେ ବିଭିନ୍ନ ପୂଜା କମିଟିି ସଦସ୍ୟଙ୍କୁ ନେଇ ଭୋଟର ତାଲିକା ପ୍ରସ୍ତୁତ କରିଥିଲେ ତହସିଲଦାର ତଥା ନିର୍ବାଚନ ଅଧିକାରୀ ଚନ୍ଦ୍ରକାନ୍ତ ମଲ୍ଲିକ। ଏହି ନିର୍ବାଚନ ପ୍ରକ୍ରିୟାରେ ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ରାଉରକେଲା ତହସିଲଦାର ଚନ୍ଦ୍ରକାନ୍ତ ମଲ୍ଲିକ ଓ ଅତିରିକ୍ତ ଏସପି ବିକ୍ରମ କେଶରୀ ଭୋଇ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ, ଗତ ୮ ତାରିଖ ଦିନ ଶାରଦୀୟ ଦୁର୍ଗାପୂଜା, କାଳୀ ପୂଜା ଓ ଲକ୍ଷ୍ମୀ ପୂଜା ନେଇ ଏକ ପ୍ରାକ୍‌ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଗତ କିଛି ବର୍ଷ ହେବ କରୋନା କାରଣରୁ କେନ୍ଦ୍ରୀୟ ପୂଜା କମିଟି ନିର୍ବାଚନ ହୋଇପାରିନଥିବାରୁ ଚଳିତ ଥର କରାଇବାକୁ ପ୍ରଶାସନ ନିକଟରେ ଦାବି ରଖିଥିଲେ ପୂଜା କମିଟି। ଏହା ପରେ ଅତିରିକ୍ତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ରୀୟ ପୂଜା କମିଟିର ବିଭିନ୍ନ ପଦ ପଦବୀ ନେଇ ରବିବାର ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର