ବିଧାୟକ ବିରୋଧୀ ୧୨ ସଭ୍ୟଙ୍କ ଜିଲ୍ଲାପାଳ ଅଫିସରେ ଧାରଣା
ସୋମବାର ଦିନ ନିର୍ବାଚନ ସାନି ତାରିଖ ଘୋଷଣା
ଛତ୍ରପୁର/ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ସଦର ମହକୁମା ବ୍ଲକ୍ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟାରେ ଶନିବାର ଦିନ ଛତ୍ରପୁର ନିର୍ବାଚନମଣ୍ଡଳୀରେ ବିଜେଡି ଶିବିରରେ ଚାଲିଥିବା ଗୋଷ୍ଠୀ କନ୍ଦଳ ପଦାରେ ପଡ଼ିଛି। ଏପରିକି କ୍ଷମତା ଦଖଲ ପାଇଁ ହାଇଡ୍ରାମା ଦେଖିବାକୁ ମିଳିଛି। ଶନିବାର ଦିନ ଅଧ୍ୟକ୍ଷ ନିର୍ବାଚନ ଥିବାବେଳେ ବିଧାୟକଙ୍କ ବିରୋଧୀ ଗୋଷ୍ଠୀର ୧୨ଜଣ ସମିତି ସଭ୍ୟ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ। କିନ୍ତୁ ବିଧାୟକଙ୍କ ସପକ୍ଷରେ ଥିବା ୬ଜଣ ସମିତି ସଭ୍ୟ ବ୍ଲକ୍ କାର୍ଯ୍ୟାଳୟକୁ ପ୍ରବେଶ କରି ସମ୍ମିଳନୀ କକ୍ଷକୁ ଯାଇ ନଥିଲେ। ସେମାନେ ବାହାରୁ ଆସିଥିବାରୁ କୋଭିଡ୍ ପରୀକ୍ଷା କରିବାକୁ ପ୍ରଶାସନ ପାଖରେ ଦାବି କରିଥିଲେ। କିଛି ସମୟ ପରେ ସେଠାକୁ କୋଭିଡ୍ ପରୀକ୍ଷା ଭ୍ୟାନ୍ ଆସିଥିଲା। ପରୀକ୍ଷା ପରେ ସମସ୍ତ ୬ଜଣ ସମିତି ସଭ୍ୟଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। ଏଣୁ ପ୍ରଶାସନ ସେମାନଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ୍ ନେଇ ଯାଇଥିଲା। ସେପଟେ ବିଧାୟକଙ୍କ ବିରୋଧୀ ଗୋଷ୍ଠୀ ସମ୍ମିଳନୀ କକ୍ଷରେ ଭୋଟ୍ ଦେବାପାଇଁ ଅପେକ୍ଷା କରିଥିଲେ। କିନ୍ତୁ ଅନ୍ୟ ୬ଜଣ କୋଭିଡ୍ ପଜିଟିଭ୍ ହେବାରୁ ନିର୍ବାଚନ ବାତିଲ କରାଯାଇଥିବା ନିର୍ବାଚନ ଅଧିକାରୀ ଘୋଷଣା କରିଥିଲେ। ଏହାକୁ ବିରୋଧ କରି ସମ୍ମିଳନୀ କକ୍ଷରେ ସେହି ୧୨ଜଣ ପ୍ରାର୍ଥୀ ଧାରଣାରେ ବସି ଆଜି ହିଁ ନିର୍ବାଚନ କରିବାକୁ ଦାବି କରିଥିଲେ। ସେପଟେ ଆସନ୍ତା ସୋମବାର ଦିନ ନିର୍ବାଚନ ତାରିଖ ଘୋଷଣା କରାଯିବ ବୋଲି ପ୍ରଶାସନ ତରଫରୁ କୁହାଯାଇଛି।
ସୂଚନା ଅନୁସାରେ, ଶନିବାର ସକାଳେ ବିଧାୟକଙ୍କ ବିରୋଧୀ ଗୋଷ୍ଠୀର ୧୨ଜଣ ସମିତି ସଭ୍ୟ ପୂର୍ବତନ ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କ ସହିତ ଛତ୍ରପୁର ବ୍ଲକ୍ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସମସ୍ତ ୧୨ଜଣ ସମିତି ସଭ୍ୟ ବ୍ଲକ ସମ୍ମିଳନୀ କକ୍ଷକୁ ପ୍ରବେଶ କରିବା ପରେ ପୂର୍ବତନ ସାଂସଦ ସେଠାରୁ ଚାଲି ଯାଇଥିଲେ। ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମୁନା ଦାସଙ୍କ ପତ୍ନୀ ତଥା ଅଗସ୍ତିନୂଆଗାଁ ସମିତି ସଭ୍ୟ କିରଣ କୁମାରୀ ଦାସ ଅଧ୍ୟକ୍ଷା ପାଇଁ ନାମାଙ୍କନ କରିଥିଲେ। ସାଢ଼େ ୧୧ଟା ପର୍ଯ୍ୟନ୍ତ ବିଧାୟକଙ୍କ ଗୋଷ୍ଠୀ ସମ୍ମିଳନୀ କକ୍ଷକୁ ଯାଇ ନଥିଲେ। ସେମାନଙ୍କ ମଧ୍ୟରୁ ସୁନ୍ଦରପୁର ପଞ୍ଚାୟତ ସମିତି ସଭ୍ୟ ସୁଜ୍ଞାନୀ ସେଠୀ ନାମାଙ୍କନ କରିଥିବା ପ୍ରଶାସନ ତରଫରୁ କୁହାଯାଇଥିଲା। ହେଲେ କୋଭିଡ୍ ପଜିଟିଭ୍ ଯୋଗୁଁ ସମସ୍ତ ୬ଜଣ ସମିତି ସଭ୍ୟ ହସ୍ପିଟାଲ୍ ଚାଲି ଯାଇଥିଲେ। ଯାହାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ପଜିଟିଭ୍ ହୋଇଥିବା ସମିତି ସଭ୍ୟମାନେ ହେଲେ ସୁଜ୍ଞାନୀ ସେଠୀ, ଏସ୍. ଚକ୍ରପାଣି, ମୀନା କୁମାରୀ ସାହୁ, ସ୍ବାଗତିକା ପ୍ରଧାନ, ରଶ୍ମିତା ଦେହୁରୀ, ଶମ୍ଭୁନାଥ ସ୍ବାଇଁ।
ଅନ୍ୟପଟେ ମୁନା ପୂର୍ବରୁ ବିଜେଡି ଟିକଟରେ ଜିଲ୍ଲା ପରିଷଦ ସଭ୍ୟ ହୋଇଥିଲେ। ଏବେ ବି ବିଜେଡି ସହିତ ଅଛନ୍ତି। ତେବେ ତାଙ୍କୁ କାହିଁକି ବିରୋଧ କରାଯାଉଛି ବୋଲି ୧୨ଜଣ ସଭ୍ୟ ପ୍ରଶ୍ନ କରିଛନ୍ତି। ବିଧାୟକଙ୍କ ସମର୍ଥକ ଗୋଷ୍ଠୀର ଏଭଳି ଡ୍ରାମାକୁ ବିରୋଧ କରି ୧୨ଜଣ ସମିତି ସଭ୍ୟ ବିଜେଡି ବାନା ଧରି ଧାରଣା ଦେଇଥିଲେ। ପରେ ସେମାନେ ମଧ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ବାସଭବନ ସମ୍ମୁଖରେ ପହଞ୍ଚି ଶତାଧିକ ସମର୍ଥକଙ୍କ ସହିତ ଧାରଣାରେ ସାମିଲ ହୋଇଥିଲେ। ଯାହାକୁ ନେଇ ପୁଲିସ ସହିତ ସେମାନଙ୍କ ଧସ୍ତାଧସ୍ତି ହୋଇଥିଲା। ସେମାନେ ହେଲେ ବି. ସୋନାଲି ସେନାପତି, ଏନ୍. ରମେଶ ରେଡ୍ଡି, ଏମ୍. ଚେନ୍ଦ୍ରେୟା ରେଡ୍ଡି, ଶଶି ଦାସ, ଚୁମୁକି ସେଠୀ, ବିକାଶ କୁମାର ବେହେରା, କିରଣ କୁମାରୀ ଦାସ, ଏସ୍. ସାରଦା ରେଡ୍ଡି, ରାମଚନ୍ଦ୍ର ପରିଡ଼ା, ସୁନିତା ବେହେରା, ଗୋଲାପ ପ୍ରଧାନ, ପି. କାନ୍ତାମା ପାତ୍ର। ଶେଷ ଖବର ସୁଦ୍ଧା ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସ୍ ଧାରଣାସ୍ଥଳକୁ ଯାଇ ଆସନ୍ତା ସୋମବାର ଦିନ ନିର୍ବାଚନ ତାରିଖ ସମ୍ପର୍କରେ ଅବଗତ କରାଯିବ ବୋଲି କହିଥିଲେ। ଏହାପରେ ଧାରଣା ହଟିଥିଲା। ଧାରଣାରୁ ହଟି ୧୨ଜଣ ସମିତି ସଭ୍ୟ ପୁଣିଥରେ ଅଜ୍ଞାତବାସକୁ ଯିବା ପାଇଁ ଯୋଜନା କରୁଥିବା ସୂଚନା ମିଳିଛି।