ଭୁବନେଶ୍ବର : ସରକାରୀ କଳକୁ ଅପବ୍ୟବହାର କରି ନିର୍ବାଚନ ବୈତରଣୀ ପାର ହେବାର ପ୍ରୟାସ ଜାରି ରଖିଛି ଶାସକ ବିଜୁ ଜନତା ଦଳ। ଭୋଟ କେନ୍ଦ୍ରରେ ସରକାରୀ କଳ ଓ ପ୍ରିଜାଇଡିଂ ଅଫିସରମାନଙ୍କୁ ବ୍ୟବହାର କରାଯାଇ ଶାସକ ବିଜେଡି ସପକ୍ଷରେ ବ୍ୟାପକ ମାତ୍ରାରେ ଭୋଟଦାନକୁ ପ୍ରଭାବିତ କରାଯାଉଛି। ନିର୍ବାଚନ ପରିଚାଳନା ଦାୟୀତ୍ୱରେ ଥିବା ବରିଷ୍ଠ ଅଧିକାରୀମାନେ ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଂଘନ କରି ଶାସକ ବିଜେଡି ସପକ୍ଷରେ ଭୋଟ କରାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ବିଜେପି ପକ୍ଷରୁ କୁହାଯାଇଛି।

Advertisment

ଦଳର ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଅଭିଯୋଗ କରିଛନ୍ତି ଯେ କେଉଁଠି ପ୍ରତ୍ୟକ୍ଷ ତ ଆଉ କେଉଁଠି ପରୋକ୍ଷ ଭାବେ ଶାସକ ଦଳ ପାଇଁ ସରକାରୀ ଅଧିକାରୀମାନେ କାର୍ଯ୍ୟ କରୁଛନ୍ତି। ପଂଚାୟତ ନିର୍ବାଚନ ପାଇଁ ରାଜ୍ୟବ୍ୟାପୀ ନିର୍ବାଚନ ଆଚରଣ ବିଧି ଜାରି କରିଛନ୍ତି ରାଜ୍ୟ ନିର୍ବାଚନ କମିସନ। ମାତ୍ର ଖୋର୍ଦ୍ଧା ଜିଲ୍ଲାପାଳ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସଭାର ଆୟୋଜନ କରି ବିଦ୍ୟାଳୟ ପଟ୍ଟା ବଣ୍ଟନ କରି ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଂଘନ କରିଛନ୍ତି। ସେହିପରି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଧନ୍ଦରା ପଂଚାୟତର ଖାଡିଗୁଡା ଗ୍ରାମ ବୁଥରେ ନିର୍ବାଚନ ଅଧିକାରୀ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରି ବିଜୁ ଜନତା ଦଳର ଏଜେଣ୍ଟ ଭଳି କାମ କରୁଛନ୍ତି। ଦୁହିଁଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ପ୍ରତିନିଧି ଦଳ କମିସନଙ୍କ ନିକଟରେ ଦାବି କରିଛି। ଏହି ପ୍ରତିନିଧି ଦଳରେ ରାଜ୍ୟ ମୁଖପାତ୍ର ସୋନାଲି ସାହୁ, ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ ଦାସ, ଲିଗାଲ ସେଲର ରବିଶଂକର ପଟ୍ଟନାୟକ, ଜୟନ୍ତ ଜେନା ଓ ପ୍ରଦୀପ ମହନ୍ତ ପ୍ରମୁଖ ସାମିଲ ଥିଲେ।