ବିଂଝାରପୁର: ନିର୍ବାଚନ ଆଗୁଆ ହେଉ କିମ୍ବା ନିର୍ଦ୍ଧାରିତ ସମୟରେ ହେଉ, ଆମ ପାଇଁ ସବୁ ବର୍ଷ ନିର୍ବାଚନର ବର୍ଷ। କର୍ମୀଙ୍କୁ ଏଭଳି ଗୁରୁମନ୍ତ୍ର ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ। ଲୋକଙ୍କ ପାଖକୁ ଯାଅ, ସେମାନଙ୍କ ସମସ୍ୟା ବୁଝ ବୋଲି ସେ କର୍ମୀମାନଙ୍କୁ କହିଛନ୍ତି। ଦଳୀୟ ନେତା ଓ କର୍ମୀ ଲୋକଙ୍କ ପାଖକୁ ଯାଇ ରାଜ୍ୟ ସରକାରଙ୍କ ସଫଳତା ବଖାଣନ୍ତୁ ବୋଲି ବିଂଝାରପୁର ବିଧାୟିକା ତଥା ରାଜସ୍ଵ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ କର୍ମୀମାନଙ୍କୁ ପରାମର୍ଶ ଦେଇଛନ୍ତି।
ଆଜି ସନ୍ଧ୍ୟାରେ ସିଂହପୁରସ୍ଥିତ ମା’ ଦରିଆ ନାହାକାଣୀ ମନ୍ଦିର କଲ୍ୟାଣମଣ୍ଡପରେ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ନନ୍ଦ କିଶୋର ସାମଲଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀଙ୍କ ପ୍ରତିନିଧି ପ୍ରଦୀପ ମହାନ୍ତି, ଉମେଶ ଚନ୍ଦ୍ର ଦାସ, ସରପଞ୍ଚ ନନ୍ଦ କିଶୋର ମଲ୍ଲିକ, ସତ୍ୟ ଭୂଷଣ ମଲ୍ଲିକ, ଚାଷୀ ନେତା ବୀରଭଦ୍ର ସାମଲ, ପ୍ରଶାନ୍ତ ନାୟକ, କୃଷ୍ଣଚନ୍ଦ୍ର ମଲ୍ଲିକ, ଅଭିରାମ ସାମଲ, ବୃନ୍ଦାବନ ମଲ୍ଲିକ ଯୋଗଦେଇ ସଂଗଠନକୁ ମଜଭୁତ କରିବା ପାଇଁ ମତାମତ ଦେଇଥିଲେ। ବିଧାୟିକାଙ୍କ ଉଦ୍ୟମରେ ନିର୍ବାଚନମଣ୍ଡଳୀର ବହୁ ସମସ୍ୟାର ସମାଧାନ ହୋଇଛି। ରାସ୍ତାଘାଟ, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ ସମସ୍ୟା ପ୍ରାୟତଃ ନାହିଁ ବୋଲି ଶ୍ରୀ ସାମଲ କହିଥିଲେ। କର୍ମୀ ଓ ନେତା ଏବେଠାରୁ ସଂଗଠନକୁ ପୂର୍ବାପେକ୍ଷା ଶକ୍ତିଶାଳୀ କରିବାକୁ ଉଦ୍ୟମ କରିବାକୁ ନେତୃବୃନ୍ଦ ଆହ୍ବାନ ଦେଇଥିଲେ। ସୁଶାନ୍ତ ନାୟକ, ଯୁବନେତା ନିର୍ମଳ ମଲିକ, ସଞ୍ଜୟ ପଢ଼ିହାରୀ, ଅବସରପ୍ରାପ୍ତ ଶିକ୍ଷକ କୃପାସିନ୍ଧୁ ପତି, ଅମୂଲ୍ୟ ନାୟକ, ଅଭୟ ଦାସ, ହିମାଂଶୁ ଶେଖର ଧଳ, ରଞ୍ଜନ ବେହେରା ଉପସ୍ଥିତ ଥିଲେ।