କେନ୍ଦ୍ରାପଡ଼ା: ସରକାରୀ କଲେଜରେ ନିର୍ବାଚନୀ ସଭା କରିବା ଏବେ ମହଙ୍ଗା ପଡ଼ିଛି। ନିର୍ବାଚନ କମିସନଙ୍କ ସୁପାରିସକ୍ରମେ କଲେଜର ପ୍ରିନ୍ସିପାଲ (ଅଧ୍ୟକ୍ଷ) ଓ ପୁଲିସ ଏସ୍ଡିପିଓଙ୍କୁ ନିଲମ୍ବିତ କରାଯାଇଛି। କେବଳ ସେତିକି ନୁହେଁ, ବିପର୍ଯ୍ୟୟ ପରିଚାଳନା ଆଇନ ଉଲ୍ଲ˚ଘନ ପାଇଁ ଅଧ୍ୟକ୍ଷଙ୍କ ବିରୋଧରେ ମାମଲା ରୁଜୁ କରିବାକୁ କମିସନ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବାବେଳେ ନିୟମ ଉଲ୍ଲ˚ଘନକାରୀଙ୍କ ବିରୋଧରେ କମିସନ୍ଙ୍କ ଏପ୍ରକାର କଡ଼ା କାର୍ଯ୍ୟାନୁଷ୍ଠାନ ଏବେ ସାଧାରଣରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।
ଗତ ୧୬ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ଯୁକ୍ତଦୁଇ ତାରେଣୀ ସରକାରୀ ମହାବିଦ୍ୟାଳୟରେ ଏହି ନିର୍ବାଚନୀ ସଭାର ଆୟୋଜନ କରାଯାଇଥିଲା। କଲେଜ ଅଧ୍ୟକ୍ଷ ବିକାଶ ଦାସ ଓ ଏସ୍ଡିପିଓ ପ୍ରଶାନ୍ତ ମାଝୀ ଅୟୋଜନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ, ଗଡ଼ରୋମିତ ପଞ୍ଚାୟତର ଆଶାୟୀ ସରପଞ୍ଚ ପ୍ରାର୍ଥୀ ପ୍ରିୟଙ୍କା ସାମଲ, ବର୍ତ୍ତମାନର ସରପଞ୍ଚ ଉତରା ତରାଇ, ପୂର୍ବତନ ସରପଞ୍ଚ ଦୁଷ୍ମନ୍ତ ସେଠୀଙ୍କ ସମେତ ପାଖାପାଖି ଦୁଇ ଶହରୁ ଅଧିକ ଲୋକ ସଭାସ୍ଥଳରେ ଉପସ୍ଥିତ ଥିଲେ। କଲେଜରୁ ଗାଁ ଦୂର ଥିବାରୁ ଗାଡ଼ିରେ ବୁହାଇ ଲୋକଙ୍କୁ ଅଣାଯାଇଥିଲା। ଭୋଜିଭାତ ପାଇଁ ଭାତ-ଚିକେନ୍ ବ୍ୟବସ୍ଥା କରାଯାଇଥିଲା। ନିର୍ବାଚନ ଆଚରଣବିଧି ଏବ˚ କୋଭିଡ୍ର କଡ଼ା କଟକଣା ସତ୍ତ୍ବେ ସରକାରଙ୍କ ଦୁଇ ବରିଷ୍ଠ ଅଧିକାରୀ ବେଆଇନ ଭାବେ ନିର୍ବାଚନୀ ସଭା ଆୟୋଜନ କରିବା ଏବ˚ ସିଧାସଳଖ ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଭାଷଣ ଦେଇ ଭୋଟ୍ ମାଗିବା ଘଟଣା ପୂରା ମାମଲାକୁ ବିବାଦୀୟ କରି ଦେଇଥିଲା। ସୋମବାର ‘ସମ୍ବାଦ’ରେ ଏ ସ˚କ୍ରାନ୍ତରେ ଖବର ପ୍ରକାଶ ପାଇବାପରେ ରାଜ୍ୟ ନିର୍ବାଚନ କମିସନ୍ ଘଟଣାକୁ ଗୁରୁତ୍ବର ସହିତ ନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସୋମବାର ଦିନ ମାଜିଷ୍ଟ୍ରେଟ୍ ତଥା ମହାକାଳପଡ଼ା ତହସିଲଦାର ସୌଭାଗ୍ୟ ର˚ଜନ ପଣ୍ତା ଏବ˚ ମାର୍ଶାଘାଇ ଥାନାଧିକାରୀ ପ୍ରଦୀପ୍ତ କୁମାର କାନୁନ୍ଗୋ କଲେଜ ଯାଇ ଘଟଣାର ତଦନ୍ତ କରିଥିଲେ। ସିସି କ୍ୟାମେରା ହାର୍ଡଡିସ୍କ୍ ଜବତ୍ କରିବା ସହିତ କଲେଜ ରେଜିଷ୍ଟର୍ ଯାଞ୍ଚ କରିଥିଲେ। ଅଧୢକ୍ଷ ନ ଥିବାରୁ ଗଡ଼ରୋମିତସ୍ଥିତ ତାଙ୍କ ଘରକୁ ଯାଇଥିଲେ। ସେଠାରେ ତାଙ୍କୁ ନ ପାଇବାରୁ ନିକଟରେ ଥିବା ଏସ୍ଡିପିଓ ଶ୍ରୀ ମାଝୀଙ୍କ ଘରକୁ ଯାଇଥିଲେ। ତାଙ୍କୁ ନ ପାଇ ଆଶାୟୀ ପ୍ରାର୍ଥୀ ଶ୍ରୀମତୀ ସାମଲଙ୍କ ଘରକୁ ଯାଇଥିଲେ। ହେଲେ ଘରେ କେହି ନ ମିଳିବାରୁ ତଦନ୍ତ ଅଧିକାରୀ ଫେରି ଆସି ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କୁ ଦେଇଥିଲେ।
ଜିଲ୍ଲାପାଳ ଏହି ଆଧାରରେ ରିପୋର୍ଟ ଦେବାପରେ ନିର୍ବାଚନ କମସନ୍ ଆଜି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କମିସନ୍ କଲେଜ ଅଧ୍ୟକ୍ଷଙ୍କୁ ନିଲମ୍ବିତ କରିବାକୁ ସ୍କୁଲ୍ ଓ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଏସ୍ଡିପିଓଙ୍କୁ ନିଲମ୍ବନ କରିବାକୁ ପୁଲିସ ଡିଜିଙ୍କୁ କମିସନ୍ ନିର୍ଦ୍ଦେଶ ଦେଇଛନ୍ତି। ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ଅନ୍ୟପଟେ ଅଧ୍ୟକ୍ଷଙ୍କ ବିରୋଧରେ ଆଜି ତାରେଣୀ କଲେଜର ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। କଲେଜରେ ନିର୍ବାଚନୀ ସଭାକୁ ବିରୋଧ କରି ପିଲାମାନେ କଲେଜ ସମ୍ମୁଖ ଜାତୀୟ ରାଜପଥରେ ଟାୟାର ଜାଳି ଧାରଣାରେ ବସିବା ସହିତ ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ପିଲାମାନଙ୍କୁ ବୁଝାସୁଝା କରି ରାଜପଥ ଅବରୋଧ ହଟାଇଥିବା ଜଣାପଡ଼ିଛି।