ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରୁ ଆସିଛି ଅପ୍ରତ୍ୟାଶିତ ତଥା ଐତିହାସିକ ଜନମତର ଚିତ୍ର। ବିଜେଡିକୁ ଲାଗିଛି ବଡ଼ ଝଟ୍‌କା। ଗତଥର ଜିଲ୍ଲାର ୪ ବିଧାନସଭା ଆସନରୁ ୩ ଆସନରେ ବିଜୟୀ ହୋଇଥିଲା ବିଜେଡି। ଏଥର ଫଳଫଳ ଠିକ୍‌ ଓଲଟା ହୋଇଛି। ବିଜେପି ଖାତାକୁ ଯାଇଛି ୩ଟି ଆସନ। କେବଳ ଡାବୁଗାଁ ଆସନକୁ ଦ୍ବିତୀୟଥର ଦଖଲ କରିବାରେ ବି‌ଜେଡି ସମର୍ଥ ହୋଇଥିଲା ବେଳେ ଝରିଗାଁ ଏବଂ ନବରଙ୍ଗପୁର ଆସନ ହାତରୁ ଖସିଛି। ଉମରକୋଟ ଆସନକୁ ଦ୍ବିତୀୟଥର ଦଖଲରେ ରଖିବାକୁ ସକ୍ଷମ ହୋଇଛି ବିଜେପି।

Advertisment

୨୦୦୪ ମସିହାରୁ ବିଜେଡିର ଅପରାଜୟ ନେତା ଥିଲେ ରମେଶ ମାଝୀ। ୩ଥର ବିଧାୟକ ଏବଂ ଥରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଲମ୍ବା ନିର୍ବାଚନ ରାଜନୀତିରେ ରମେଶଙ୍କୁ ପ୍ରଥମଥର ପରାଜୟର ସାମ୍ନା କରିବାକୁ ପଡ଼ିଛି। ଝରିଗାଁ ବିଧାନସଭା ଆସନରେ ରମେଶଙ୍କୁ ୩୪୩୮ ଖଣ୍ଡ ଭୋଟ୍‌ ବ୍ୟବଧାନରେ ବିଜେପି ପ୍ରାର୍ଥୀ ନରସିଂହ ଭତ୍ରା ପରାସ୍ତ କରିଛନ୍ତି। ନରସିଂହ ଭତ୍ରାଙ୍କୁ ୭୬,୫୬୭ ଖଣ୍ଡ ଭୋଟ, ରମେଶ ଚନ୍ଦ୍ର ମାଝୀଙ୍କୁ ୭୩୧୨୯ ଖଣ୍ଡ ଭୋଟ୍‌ ଏବଂ କଂଗ୍ରେସ ପ୍ରାର୍ଥୀ ହରାବତୀ ଗଣ୍ଡ ୨୫୫୩୫ ଖଣ୍ଡ ଭୋଟ ପାଇଛନ୍ତି। ନୋଟାରେ ୫୫୧୨ ଖଣ୍ଡ ଭୋଟ୍‌ ପଡ଼ିଛି।ନବରଙ୍ଗପୁର ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ଗୌରୀ ଶଙ୍କର ମାଝୀ ୯୦,୩୪୪ ଖଣ୍ଡ ଭୋଟ, ବିଜେଡି ପ୍ରାର୍ଥୀ କୌଶଲ୍ୟା ମାଝୀ ୬୫,୬୪୫ ଖଣ୍ଡ ଭୋଟ୍‌, କଂଗ୍ରେସ ପ୍ରାର୍ଥୀ ଦିଲୀପ କୁମାର ପ୍ରଧାନୀ ୪୦,୦୮୦ଖଣ୍ଡ ଭୋଟ ପାଇଛନ୍ତି। ନୋଟାରେ ୩୪୬୬ ଖଣ୍ଡ ଭୋଟ୍‌ ପଡିଛି।

ଗୌରୀ ଶଙ୍କର ମାଝୀ ୨୪,୬୯୯ ଖଣ୍ଡ ଭୋଟ୍‌ ବ୍ୟବଧାରେ ବିଜୟୀ ହୋଇଛନ୍ତି। ଉମରକୋଟ ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ନିତ୍ୟାନନ୍ଦ ଗଣ୍ଡ ୭୦,୧୭୦ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ନବୀନା ନାୟକ ୫୯,୭୯୭ ଖଣ୍ଡ ଭୋଟ ପାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ସନରାଜ ଗଣ୍ଡ ୨୫,୦୨୬ ଖଣ୍ଡ ଭୋଟ ଏବଂ ନୋଟାରେ ୪୦୭୬ ଖଣ୍ଡ ଭୋଟ୍‌ ପଡ଼ିଛି। ନିତ୍ୟାନନ୍ଦ ଗଣ୍ଡ ୧୦,୩୭୩ ଖଣ୍ଡ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଡାବୁଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ମନୋହର ରନ୍ଧାରୀ ୭୭,୫୧୧ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଲିପିକା ମାଝୀ ୫୬,୦୫୬ ଖଣ୍ଡ ଭୋଟ୍‌ ପାଇଛନ୍ତି। ବିଜେପି ପ୍ରାର୍ଥୀ ସୋମନାଥ ପୂଜାରୀ ୩୪,୩୧୮ ଖଣ୍ଡ ଭୋଟ ପାଇଥିଲା ବେଳେ ନୋଟାରେ ୪୫୪୩ ଖଣ୍ଡ ଭୋଟ୍‌ ପଡ଼ିଛି। ମନୋହର ରନ୍ଧାରୀ ୨୧,୫୪୯ ଖଣ୍ଡ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଛନ୍ତି।