ଭୁବନେଶ୍ବର: ନିର୍ବାଚନକୁ ଦୃଷ୍ଟିରେ ଫ୍ଲାଇଂ ସ୍କ୍ବାଡ୍‌ର ଚଢ଼ାଉ ଜାରି ରହିଛି। ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସ୍କ୍ବାଡ ପ୍ରାୟ ୧୮ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଛି। ସେଥିମଧ୍ୟରୁ ପୁରୀରୁ ପାଖାପାଖି ୯ ଲକ୍ଷ ଟଙ୍କା ଜବତ କରାଯାଇଥିବାବେଳେ ବ୍ରହ୍ମପୁରରୁ ୭ ଲକ୍ଷ ଟଙ୍କା ଜବତ କରାଯାଇଛି।

Advertisment

ଆଜି ସନ୍ଧ୍ୟାରେ ପୁରୀ ଫ୍ଲାଇଂ ସ୍କ୍ବାଡ୍‌ ଡେଲାଙ୍ଗ ଅଞ୍ଚଳରୁ ଏକ ସ୍କର୍ପିଓ ଗାଡ଼ି ଯାଞ୍ଚ କରି ସେଥିରୁ ୮ଲକ୍ଷ ୯୬ ହଜାର ଟଙ୍କା ଜବତ କରିଥିଲା। ସୂଚନା ମୁତାବକ, ଜଣେ ଠିକାଦାର ଉକ୍ତ ସ୍କର୍ପିଓରେ ହାଟ ବଜାରରୁ କଣାସ ଯାଉଥିବା ବେଳେ ଫ୍ଲାଇଂ ସ୍କ୍ବାଡ୍‌ ଖବର ପାଇ ରାଢୁଆ ଛକ ନିକଟରେ ତାଙ୍କ ଗାଡ଼ିକୁ ଅଟକାଇଥିଲା। ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଯାଞ୍ଚ କରିବା ପରେ ଗାଡ଼ିରୁ ୮ ଲକ୍ଷ ୯୬ ହଜାର ଟଙ୍କା ମିଳିଥିଲା। ଜବତ ଟଙ୍କା ଓ ଗାଡିକୁ ପୁରୀ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟକୁ ପଠାଇ ଦିଆଯାଇଛି। ଠିକାଦାରଙ୍କ ଘର କଣାସ ଅଞ୍ଚଳରେ ହୋଇଥିବା ବେଳେ ‌ସେ ଏ ଟଙ୍କା ଲେବର ପେମେଣ୍ଟ ପାଇଁ ନେଉଥିବା କହିଛନ୍ତି। ବ୍ରହ୍ମପୁର ସହର ଉପକଣ୍ଠ ଜଗନ୍ନାଥପୁର ଛକ ନିକଟରେ ଯାନବାହନ ଯାଞ୍ଚ ବେଳେ ପୁଲିସ ଏକ ବାଇକରୁ ନଗଦ ୭ଲକ୍ଷ ଟଙ୍କା ଜବତ କରିଛି। ବାଇକକୁ ମଧ୍ୟ ଜବତ କରି ତଦନ୍ତ ଚଳାଇଛି। ସମ୍ପୃକ୍ତ ବାଇକ ଆରୋହୀ ଟଙ୍କାର ଉତ୍ସ ସଂପର୍କରେ ଉପଯୁକ୍ତ ପ୍ରମାଣ ଦେଖାଇ ପାରି ନ ଥିବା ପୁଲିସ୍‌ ସୂତ୍ରରୁ ଜଣାପଡ଼ିଛି।

ଅନ୍ୟପକ୍ଷରେ, ପାରଳାଖେମୁଣ୍ଡି ଉପକଣ୍ଠ ରାଣୀପେଣ୍ଠ ଛକରେ ଯାଞ୍ଚ ସମୟରେ ନିର୍ବାଚନ କାର୍ଯ୍ୟରେ ଲଗାଇବାକୁ ନେଉଥିବା ଦୁଇଟି ଗାଡ଼ିରୁ ପୁଲିସ ଦେଢ ଲକ୍ଷ ଟଙ୍କା ଜବତ କରିଛି। ବିଜେପି ପାର୍ଟି କାର୍ଯ୍ୟରେ ଲଗାଇବା ପାଇଁ ଏହି ଟଙ୍କା ନିଆଯାଉଥିଲା ବୋଲି ତଦନ୍ତ ପରେ ଥାନାଧିକାରୀ ବିବେକାନନ୍ଦ ସ୍ବାଇଁ ସ୍ପଷ୍ଟ କରିଛନ୍ତି। ସେହିଭଳି ଆନ୍ଧ୍ର ପ୍ରଦେଶ କତୁରୁରୁ ଆସୁଥିବା ଟାଭେରା ଗାଡ଼ି ( ଏପି୩୦ଏଏଚ-୫୩୦୦)ରୁ ୫୦ ହଜାର ଟଙ୍କା ଟିଭି ପ୍ରସାଦଙ୍କ ଠାରୁ ଜବତ କରାଯାଇଛି। ଏହା ୱାଇଏସଆର କଂଗ୍ରେସର ଦଳୀୟ କାର୍ଯ୍ୟରେ ଲଗାଇବା ନିଆ ଯାଉଥିଲା ବୋଲି ପୁଲିସ କହିଛି। ସମ୍ବଲପୁରର ଠେଲକୋଇ ପ୍ଲାଜା ଗେଟ ସମ୍ମୁଖରେ ପୁଲିସ୍‌ ଓ ନିର୍ବାଚନୀ ଫ୍ଲାଇଂ ସ୍କ୍ବାଡ୍‌ର ଯାଞ୍ଚ ବେଳେ ଏକ ଟାଟା ସୁମୋ ଭିକ୍ଟର(ଓଆର୍‌ ୨୩ ସି ୬୯୬୯)ରୁ ନଗଦ ୧ ଲକ୍ଷ ୩ ହଜାର ଟଙ୍କା ଜବତ କରାଯାଇଥିବା ଜଣାପଡ଼ିଛି।