ଯାଜପୁରରେ ନିର୍ବାଚନୀ ହିଂସା: ପୁଲିସ ଗାଡ଼ି ଭାଙ୍ଗିଲେ, ମହିଳା ପୁଲିସଙ୍କୁ ଆକ୍ରମଣ କଲେ

ବ୍ରହ୍ମବରଦା : ପଞ୍ଚାୟତ କ୍ଷମତା ଦଖଲ ପାଇଁ ନେତା ଓ ସମର୍ଥକମାନେ ପୁଲିସକୁ ବି ଛାଡ଼ି ନାହାନ୍ତି। ୩ ପୁଲିସ ଗାଡ଼ିକୁ ଭାଙ୍ଗିବା ସହ ଆକ୍ରମଣ କରିଛନ୍ତି। ଯାଜପୁର ବ୍ଲକ ଝାଲପଡ଼ା ପଞ୍ଚାୟତ କାକୁଡ଼ିକୁଦ ନୀଳକଣ୍ଠପୁର ପ୍ରଥମିକ ବିଦ୍ୟାଳୟରେ ୧୦ ଓ ୧୧ ନମ୍ବର ବୁଥ୍‌ରେ ଜବରଦସସ୍ତ ଭୋଟ ପିଟିଛନ୍ତି କିଛି ଲୋକ। ୧୦ ନମ୍ବର ବୁଥ୍‌ର କିଛି ଭୋଟର ପ୍ରିଜାଇଡିଂ ଅଧିକାରୀଙ୍କୁ କାବୁ କରି ମନଇଚ୍ଛା ଭୋଟ ଦେଇଥିଲେ। ବିପକ୍ଷ ଦଳ ତରଫରୁ ଏହାକୁ ବିରୋଧ କରାଯାଇ ଯାଜପୁର ସଦର ପୁଲିସକୁ ଖବର ଦିଆଯାଇଥିଲା। ମାତ୍ର ପୁଲିସକୁ ବି ସେମାନେ ଗୋଡ଼ାଇଥିଲେ। ଟେକା ପଥର ମାଡ଼ରେ ତିନୋଟି ପୁଲିସ ଭ୍ୟାନ ଭାଙ୍ଗିଥିଲା। ଜଣେ ମହିଳା ପୁଲିସ କର୍ମଚାରୀ ଆହତ ହୋଇଥିଲେ।

ଡିଏସପି ସଂଗ୍ରାମ ଟୁଡୁ, ବିବି ବେହେରା ଓ ସଦର ଥାନା ଅଧିକାରୀ ମାନସ ରଂଜନ ଚକ୍ର ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ କବ୍‌ଜାରେ ଥିବା ଭୋଟ ବାକ୍ସକୁ ନିଜ ଆୟତ୍ତକୁ ନେଇଥିଲେ। ଖବର ପାଇ ଏସପି ରାହୁଲ ପିଆର, ଉପଜିଲ୍ଲାପାଳ ଶରତ ଚନ୍ଦ୍ର ମହାପାତ୍ର ଓ ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ୩୦ରୁ ଊର୍ଦ୍ଧ୍ବ ଗଣ୍ଡଗୋଳକାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

ସେହିପରି ରୁଦ୍ରପୁର ପଞ୍ଚାୟତରେ ନିର୍ବାଚନୀ ହିଂସା ଘଟି ୧୧ ଆହତ ଓ ୩ ଗୁରୁତର ହୋଇଛନ୍ତି। ରୁଦ୍ରପୁର ଓ ସିଠାଳୋଇ ଗ୍ରାମର ୧, ୬, ୪ ଓ ୫ ନମ୍ବର ୱାର୍ଡରେ ଅଧ୍ୟାହ୍ନ ୧୨ଟାରେ କିଛି ବ୍ୟକ୍ତି ବୁଥ୍‌ ଜବରଦଖଲ କରି ଭୋଟ ବାଡ଼େଇଥିଲେ। ଏହାକୁ ବିରୋଧ କରିବାରୁ ମାରପିଟ ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର