ବାଙ୍କୀ, ବଡ଼ମ୍ବାରେ ନିର୍ବାଚନୀ ହିଂସା : ୫ ଗୁରୁତର; ୨ କଟକ ସ୍ଥାନାନ୍ତର

ବାଙ୍କୀ/ବଡମ୍ବା : କଟକ ଜିଲ୍ଲାର ବାଙ୍କୀ ଓ ବଡ଼ମ୍ବାରେ ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡ ଘଟିଛି। ବିଜେଡି ଓ କଂଗ୍ରେସ ସମର୍ଥକଙ୍କ ମଧ୍ୟରେ ଘଟିଥିବା ଏହି ହିଂସାକାଣ୍ଡରେ ଉଭୟ ପକ୍ଷର ୫ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାୟୀ, କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ବ୍ରହ୍ମପୁରା ଗ୍ରାମରେ ଗତକାଲି ମତଦାନ ଚାଲିଥିବାବେଳେ ଉଭୟ ବିଜେଡି ଓ କଂଗ୍ରେସ ସମର୍ଥକମାନଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା। ତେବେ ଉକ୍ତ ଘଟଣାକୁ ନେଇ ଆଜି ସଂଧ୍ୟା ପ୍ରାୟ ୫ଟା ସମୟରେ ବ୍ରହ୍ମପୁରା ଛକ ଠାରେ ଉଭୟ ପକ୍ଷ ମଧ୍ୟରେ ମାଡ଼ପିଟ ଆରମ୍ଭ ହୋଇଯାଇଥିଲା। ଏହି ଘଟଣାରେ ଗ୍ରାମର କଂଗ୍ରେସ ସମର୍ଥକ କୁହାଯାଉଥିବା ଅକ୍ଷୟ ଦେବତା (୨୫), ତାଙ୍କ ବାପା ଅନ୍ତର୍ଯ୍ୟାମୀ ଦେବତା (୪୮) ଏବଂ ଦାଦା ରବିନାରାୟଣ ଦେବତା (୪୦)ଙ୍କ ସହ ବିଜେଡି ସମର୍ଥକ କୁହାଯାଉଥିବା ଅଖିଳ କୁମାର ରାଉତ (୪୫) ଏବଂ ତାଙ୍କ ପୁଅ ଅନିଲ କୁମାର ରାଉତ (୨୨) ଗୁରୁତର ଆହତ ହୋଇଛନ୍ତି। ଉଭୟ ବାପ-ପୁଅଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଉଭୟ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି। ଘଟଣା ପରେ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୁଲିସ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

ସେହିଭଳି ବଡ଼ମ୍ବା ଥାନା ଅନ୍ତର୍ଗତ କଣ୍ଢା ଗ୍ରାମରେ ଭୋଟଗ୍ରହଣକୁ କେନ୍ଦ୍ରକରି ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଥିବା ବେଳେ ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି। କଣ୍ଢା ଗ୍ରାମର ବଳଭଦ୍ର ମିଶ୍ର ବିରୋଧୀଙ୍କ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଥିବା ସଂପର୍କରେ ପରିବାର ତରଫରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି ।

ଅନ୍ୟପକ୍ଷରେ ଏହି ଘଟଣାର ଅପରପକ୍ଷ ହରିହର ଖଟୁଆଙ୍କ ଘର ଉପରେ ଆକ୍ରମଣ ହେବା, ଘର ଜାଳିଦେବା ଏବଂ ତାଙ୍କ ପତ୍ନୀଙ୍କୁ ମାରଧର କରାଯାଇଥିବା ନେଇ ମଧ୍ୟ ଆଉ ଏକ ଅଭିଯୋଗ ଥାନାରେ ରୁଜୁ ହୋଇଛି। କଣ୍ଢା ଗ୍ରାମରେ ଭୋଟଗ୍ରହଣ ସମୟରେ ବିଶୃଙ୍ଖଳା ନେଇ ଏଭଳି ଗଣ୍ଡଗୋଳର ସୂତ୍ରପାତ ହୋଇଥିବା ଅଭିଯୋଗରୁ ଜଣାଯାଇଛି। ଏହି ଘଟଣା ପରେ ଗ୍ରାମରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଗ୍ରାମରେ ଶାନ୍ତି ଭଙ୍ଗ କରୁଥିବା ଅଭିଯୁକ୍ତଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବଡ଼ମ୍ବା ଥାନା ଆଇଆଇସି ଜ୍ଞାନରଞ୍ଜନ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର