ନିର୍ବାଚନ କମିସନ୍‌ଙ୍କ ତାଗିଦ୍, ଡିଜିଙ୍କ ଆଶ୍ୱାସନା କାମ କଲାନି: ପୁଣି ନିର୍ବାଚନୀ ହିଂସା

ପୁଲିସ୍‌କୁ ଖୋଲା ଚ୍ୟାଲେଞ୍ଜ୍ ଦେଲେ ଦୁର୍ବୃତ୍ତ, ଯାଜପୁରରେ ସର୍ବାଧିକ ହିଂସାକାଣ୍ଡ

ଭୁବନେଶ୍ବର : ରାଜ୍ୟରେ ୧୬ ତାରିଖ ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ବ୍ୟାପକ ହିଂସା ହୋଇଥିଲା। ବୁଥ୍ ଜବରଦଖଲ, ଭୋଟ୍ ବାକ୍ସ ଲୁଟ୍, ରକ୍ତାକ୍ତ ସଂଘର୍ଷ, ବୋମାମାଡ଼ ଆଦି ଦେଖିବାକୁ ମିଳିଲା। ଯାଜପୁର ଓ ପୁରୀ ଜିଲ୍ଲାରେ ହିଂସା ସୀମା ଲଂଘିଲା। ସ୍ଥିତି ସଙ୍ଗୀନ୍ ହେଉଥିବା ଦେଖି ନିର୍ବାଚନ କମିସନର୍‌ କ୍ଷୁବ୍ଧ ହେଲେ। ମୁଖ୍ୟ ଶାସନ ସଚିବ, ଗୃହ ସଚିବ ଓ ଡିଜିଙ୍କୁ ଡାକି ବୈଠକ କଲେ। ନିର୍ବାଚନୀ ହିଂସା ନିୟନ୍ତ୍ରଣ କରିବାକୁ ତାଗିଦ୍ କଲେ। ଡିଜି ମଧ୍ୟ ଆଶ୍ବାସନା ଦେଲେ। କିନ୍ତୁ ତାହା ଫଳପ୍ରଦ ହେଲାନାହିଁ। ଶୁକ୍ରବାର ଦିନ ଦ୍ବିତୀୟ ପର୍ଯ୍ୟାୟରେ ପୁଣି ନିର୍ବାଚନୀ ହିଂସା ହେଲା। ଦୁର୍ବୃତ୍ତମାନେ ପୁଲିସ୍‌କୁ ଖୋଲା ଚାଲେଞ୍ଜ୍ ଦେଇ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଭଣ୍ଡୁର କରିବାକୁ ଉଦ୍ୟମ କଲେ। କେଉଁଠି ଏଜେଣ୍ଟଙ୍କୁ ମାଡ଼ ମାରିଲେ ତ କେଉଁ ଭୋଟ୍‌ ବାକ୍ସ ଲୁଟ୍‌ କଲେ।

ପୁଣି ଜବରଦସ୍ତ ଭୋଟ୍‌ ବି ଦେଲେ। କିଛି ଜାଗାରେ ପ୍ରିଜାଇଡିଂ ଅଫିସର୍‌ ବି ବିଶୃଙ୍ଖଳାର କାରଣ ସାଜିଲେ। ପୁଲିସ୍ ଅସହାୟ ହୋଇପଡ଼ିଥିବାରୁ ଆହୁରି ତିନି ପର୍ଯ୍ୟାୟ ମତଦାନ ବେଳେ ନିର୍ବାଚନୀ ହିଂସା ଉଗ୍ର ରୂପ ନେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ।

ଗତକାଲିର ବୈଠକ ପରେ ପୁଲିସ୍ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା କୁହାଯାଇଥିଲା। ଶୃଙ୍ଖଳିତ ନିର୍ବାଚନ ପାଇଁ ୨୪୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ୧୭୫୩ ମୋବାଇଲ୍ ପାଟ୍ରୋଲିଂ ପାର୍ଟିକୁ ନିୟୋଜିତ କରାଯାଇଥିଲା। ଉତ୍ତେଜନାପ୍ରବଣ ବୁଥ୍‌ରେ ଅଧିକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ଏସବୁ ସତ୍ତ୍ବେ ଅପରାଧୀମାନେ ତୃଣମୂଳ ସ୍ତରରେ ଗଣତନ୍ତ୍ରର କଣ୍ଠରୋଧ କରିବାର କୌଣସି ସୁଯୋଗ ହାତ ଛଡ଼ା କରିନାହାନ୍ତି। ଆଜିର ଘଟଣାଗୁଡ଼ିକୁ ସାମାନ୍ୟ ଗଣ୍ଡଗୋଳ ଓ ବିଶୃଙ୍ଖଳା ଆଖ୍ୟା ଦେଇ ବିବାଦକୁ ଏଡ଼ାଇବାକୁ ନିର୍ବାଚନ କମିସନ୍ ଉଦ୍ୟମ କରିଥିଲେ ବି ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ।

ଯେଉଁ ଯାଜପୁର ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ବେଳେ ବ୍ୟାପକ ହିଂସାକାଣ୍ଡ ହୋଇଥିଲା ଦ୍ବିତୀୟ ପର୍ଯ୍ୟାୟରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ଶୁକ୍ରବାର ଦିନ ସର୍ବାଧିକ ଅଘଟଣ ଏହି ଜିଲ୍ଲାରେ ଘଟିଛି। ଗତଥର ଘଟଣାରୁ ପୁଲିସ୍ ଯେପରି କିଛି ଶିକ୍ଷା ପାଇପାରିନାହିଁ। ବଡ଼ଚଣା ଓ ଦଶରଥପୁର ବ୍ଲକ୍‌ର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଛି। ବିଶୃଙ୍ଖଳା ପାଇଁ ଦ୍ବିତୀୟ ପର୍ଯ୍ୟାୟର ଏହି ଦୁଇ ବ୍ଲକ୍‌ର ୧୨ଟି ବୁଥ୍‌ରେ ସାନି ମତଦାନ ପାଇଁ ଜିଲ୍ଲାପାଳ ନିର୍ବାଚନ କମିସନ୍‌ଙ୍କୁ ସୁପାରିସ୍ କରିଛନ୍ତି। ବଡ଼ଚଣା ବ୍ଲକ୍‌ର ନଳିପୁର ବୁଥ୍ ଜବରଦଖଲ ପ୍ରତିବାଦରେ ଲୋକମାନେ ଦୁଇ ଘଣ୍ଟା ଧରି ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ଚଣ୍ଡିଖୋଲରୁ କେନ୍ଦ୍ରାପଡ଼ା ଯାଏ ଜାତୀୟ ରାଜପଥର ଦୁଇ ପାର୍ଶ୍ବରେ ଶତାଧିକ ଗାଡ଼ି ବହୁ ସମୟ ଧରି ଅଟକି ରହିଥିଲା। ସାଧାରଣ ଲୋକମାନେ ଅକଥନୀୟ ଦୁର୍ଦ୍ଦଶା ଭୋଗିଥିଲେ। ଦଶରଥପୁର ବ୍ଲକ୍‌ର ସଦର ମହକୁମା ପଞ୍ଚାୟତ ଦଶରଥପୁରରେ ଦୁର୍ବୁର୍ତ୍ତମାନେ ଭୋଟ୍ ବାକ୍ସ ଛଡ଼ାଇ ନେବାରୁ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ଫଳରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ। ସନ୍ଧ୍ୟାରେ ନିକଟସ୍ଥ ପୋଖରୀରୁ ଭୋଟ୍ ବାକ୍ସ ଉଦ୍ଧାର କରାଯାଇଥିଲା।

ଜଗତସିଂହପୁର ଜିଲ୍ଲାର ଜଗତସିଂହପୁର ବ୍ଲକ୍ ଅଧୀନସ୍ଥ ପଟସରା ପଞ୍ଚାୟତର ଦୁଇଟି ବୁଥ୍‌ରେ ଦୁର୍ବୃର୍ତ୍ତ ଗୋଟିଏ ଭୋଟ୍ ବାକ୍ସ ଭାଙ୍ଗିବା ସହ ଗୋଟିଏ ବାକ୍ସକୁ ନେଇ ପଳାଇଛି। ମତଦାନ କେନ୍ଦ୍ରରେ ଥିବା କର୍ମଚାରୀଙ୍କୁ ମଧ୍ୟ ଆକ୍ରମଣ ହୋଇଥିବାର ଅଭିଯୋଗ ହୋଇଛି।

କଟକ ଓ ନୂ୍ଆପଡ଼ାରେ ମତଦାନ କେନ୍ଦ୍ର ଦାୟିତ୍ବରେ ଥିବା କର୍ମଚାରୀଙ୍କ ପାଇଁ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। କଟକ ଜିଲ୍ଲା ବାରଙ୍ଗ ବ୍ଲକ୍ କୁରାଙ୍ଗପ୍ରଧାନ ପଞ୍ଚାୟତ କୁରୁଣ୍ଡିର ୧୧ନଂ ବୁଥ୍‌ରେ ପ୍ରିଜାଇଡିଂ ଅଫିସର୍‌ ନିଜ ମୋଟର୍‌ ସାଇକେଲ୍‌ରେ ସୁରକ୍ଷା କର୍ମୀଙ୍କ ସହ ଭୋଟ୍‌ବାକ୍ସ ସାଙ୍ଗରେ ନେଇ ଯାଉଥିଲା ବେଳେ ଉତ୍ତେଜନା ଦେଖାଦେଇଥିଲା। ଫଳରେ ଗ୍ରାମବାସୀ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ପହଞ୍ଚିବା ପରେ ସେଠାରେ ଗ୍ରାମବାସୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ସେହି ବୁଥ୍‌ରେ ପୁନଃ ମତଦାନ ପାଇଁ ଦାବି ଉଠିଛି। ନୂଆପଡ଼ା ଜିଲ୍ଲାର କୋମନା ବ୍ଲକ୍ ପଏଁର ଗାଁ ୩ ନଂ ବୁ୍‌ଥ୍‌ରେ ମଧ୍ୟ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଏଠାରେ ପୋଲିଂ କର୍ମଚାରୀମାନେ ଆସିଥିବା ବସ୍‌ରେ ଭୋଟ୍‌ବାକ୍ସକୁ ନିଆ ନ ଯାଇ ଜଣେ କର୍ମଚାରୀ ବିନା ଅନୁମତିରେ ନିଜ ବ୍ୟକ୍ତିଗତ ଗାଡ଼ିରେ ବାକ୍ସ ନେଉଥିବାରୁ ଲୋକମାନେ ତାତିଯାଇଥିଲେ। ତାଙ୍କ କାର୍‌କୁ ଲୋକମାନେ ଭଙ୍ଗାରୁଜା କରିଥିଲେ। ପୁଲିସ୍ ଆସି ବୁଝାସୁଝା କରିଥିଲେ ମଧ୍ୟ ଗ୍ରାମବାସୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା।

ସମ୍ବନ୍ଧିତ ଖବର