ପୁରୀ : ପୁରୀ ଜିଲ୍ଲାର ଅନ୍ୟତମ ସମ୍ବେଦନଶୀଳ ନିର୍ବାଚନମଣ୍ଡଳୀ ବ୍ରହ୍ମଗିରିରେ ଆଜି ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ପୂର୍ବାହ୍ନରେ ନିର୍ବାଚନ ଶାନ୍ତିପୂର୍ଣ୍ଣ ଥିବାବେଳେ ଅପରାହ୍ନରେ ପରିସ୍ଥିତି ଅଣାୟତ୍ତ ହୋଇଥିଲା। ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗିରଳ ନିକଟରେ ଜଣେ ବିଜେଡି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ବିଜେଡି କର୍ମୀ ରାଜେନ୍ଦ୍ର ବେହେରା ଘରକୁ ଫେରୁଥିବାବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ। ବିଜେପି ସମର୍ଥିତ କିଛି କର୍ମୀ ଏକ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିବା କୁହାଯାଉଛି। ଆକ୍ରମଣରେ ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଛି। ତାଙ୍କୁ ସଙ୍କଟାପନ୍ନ ପ୍ରଥମେ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଭୁବନେଶ୍ବରର ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଏହି ଘଟଣାରେ ବିଧାୟକ ସଂଜୟ ଦାସବର୍ମା ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି। ଏହାଛଡ଼ା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ଆଜି କିଛି ବୁଥ୍ରେ ବିଳମ୍ବରେ ମତଦାନ ଆରମ୍ଭ ହୋଇଥିଲା। କୃଷ୍ଣପ୍ରସାଦ ମାଲୁଦ ୨୦ ନମ୍ବର ବୁଥ୍ରେ ଉତ୍ତେଜନା ପ୍ରକାଶ ପାଇଥିଲା। ବିଜେଡି-ବିଜେପି କର୍ମୀ ମୁହାଁମୁହିଁ ହେବା ପରେ ମତଦାନ ପ୍ରକ୍ରିୟାରେ ବିଳମ୍ବ ହୋଇଥିଲା। ସେହିଭଳି ବଳଭଦ୍ରପାଟଣାରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଟେକାପଥର ମାଡ଼ ହୋଇଥିଲା। ଏଥିରେ ଦୁଇପକ୍ଷରୁ ୧୫ରୁ ଅଧିକ ଲୋକ ଆହତ ହୋଇ ପୁରୀ ମେଡିକାଲରେ ଭର୍ତ୍ତି ହୋଇଥିଲେ। କମାଶାସନରେ ଇଭିଏମ୍ ଭଂଙ୍ଗାରୁଜା ହୋଇଥିଲା। ଏଠାରେ ସାନି ମତଦାନ ହେବାର ସମ୍ଭାବନା ରହିଛି। ବିଳମ୍ବରେ ଆରମ୍ଭ ହୋଇଥିବା ମତଦାନ ବିଳମ୍ବରେ ସରିଥିଲା। ତାମିଲକୁଦରେ ମତଦାନ ରାତି ୮ଟା ପର୍ଯ୍ୟନ୍ତ ଚାଲିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/ber.jpeg)