ଧର୍ମଶାଳାରେ ନିର୍ବାଚନୀ ହିଂସା; କାର ଭାଙ୍ଗିଲେ, ଜଣେ ଆହତ

ଧର୍ମଶାଳା : ଧର୍ମଶାଳା ଥାନା ଅଭୟପୁର ଗ୍ରାମରେ ଗତ ରାତିରେ ନିର୍ବାଚନୀ ହିଂସାକାଣ୍ତ ଘଟିଛି। ପ୍ରତିପକ୍ଷ ଗୋଷ୍ଠୀଙ୍କ ସ˚ଘବଦ୍ଧ ଆକ୍ରମଣରେ ଅଭୟପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ସ୍ନେହାଞ୍ଜଳି ଗନ୍ତାୟତଙ୍କ ପୁତୁରା ରଶ୍ମିରଞ୍ଜନ ଗୁରୁତର ହୋଇଛନ୍ତି। ରଶ୍ମିରଞ୍ଜନଙ୍କ ବଲୋନୋ କାର‌୍‌କୁ ଦୁର୍ବୃତ୍ତମାନେ ଭଙ୍ଗାରୁଜା କରିଛନ୍ତି। ଅଭିଯୋଗ ପାଇ ପୁଲିସ୍‌ ୮ଜଣ ଅଭିଯୁକ୍ତଙ୍କୁ ଥାନାକୁ ଧରିନେଇଛି।

ସରପଞ୍ଚ ପ୍ରାର୍ଥୀ ସ୍ନେହାଞ୍ଜଳିଙ୍କ ସ୍ବାମୀ ଅଚ୍ୟୁତପୁର ଗ୍ରାମର ପ୍ରଶାନ୍ତ କୁମାର ଗନ୍ତାୟତ, ପୁତୁରା ରଶ୍ମିରଞ୍ଜନ, ସମର୍ଥକ ପବିତ୍ର ବରାଳ, ଅଭିଷେକ ବରାଳ ଓ ଅନୀଲ୍‌ ବାରିକ ବଲୋନୋ କାର‌୍‌ (ଓଡି ୩୩ ଏସି-୧୯୮୯)ରେ ରାତି ପ୍ରାୟ ୧୧ଟାରେ ଘରକୁ ଫେରୁଥିଲେ। ଅଭୟପୁର ଗାଁ ଦଳିତ ସାହି ନିକଟରେ ପ୍ରତିପକ୍ଷ ସରପଞ୍ଚ ପ୍ରାର୍ଥୀଙ୍କ ସମର୍ଥକମାନେ ଅନ୍ୟଏକ କାର (ଓଡି ୦୨ ବିଏମ୍‌ ୪୫୪୬)ରେ ଆସି ତାଙ୍କ ଗାଡିକୁ ଅଟକାଇଥିଲେ। ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି କାର‌୍‌ ଉପରକୁ ଇଟାପଥର ଫିଙ୍ଗିଥିଲେ। ରଶ୍ମିରଞ୍ଜନଙ୍କୁ ଲୁହା ରଡ୍‌ରେ ପିଟିଥିଲେ। ତାଙ୍କ ହାତ, ବେକ ଓ ମେରୁଦଣ୍ତରେ ଗଭୀର ଆଘାତ ଲାଗିଥିଲା। କାର‌୍‌ରେ ଥିବା ଅନ୍ୟମାନଙ୍କୁ ମଧୢ ମାରପିଟ୍‌ କରିଥିଲା। ପ୍ରଶାନ୍ତଙ୍କ ନିକଟରୁ ଅଭିଯୁକ୍ତମାନେ ୨ହଜାର ଟଙ୍କା ଛଡ଼ାଇ ନେଇଥିବା ସେ ଅଭିଯୋଗ କରିଛନ୍ତି। ରଶ୍ମିରଞ୍ଜନଙ୍କୁ ଧର୍ମଶାଳାରେ ପ୍ରାଥମିକ ଚିକିତ୍ସା ପରେ କଟକ ପଠାଯାଇଛି। ପ୍ରତିପକ୍ଷ ଗୋଷ୍ଠୀର ୧୬ଜଣଙ୍କ ହାତ ଥିବା ପ୍ରଶାନ୍ତ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର