ନିର୍ବାଚନୀ ହିଂସା: ଜୁନାଗଡ଼ ଥାନାରେ ବିଜେପି ଓ ବିଜେଡି ପକ୍ଷରୁ ଏତଲା

ଭୋର ୪ଟାରେ ବିଜେପିର ରାସ୍ତାରୋକ ପ୍ରତ୍ୟାହୃତ

ଭବାନୀପାଟଣା : ଜୁନାଗଡ଼ ସହରର ୱାର୍ଡ ନଂ-୨ରେ ବୁଧବାର ରାତିରେ ନିର୍ବାଚନୀ ହିଂସା ଦେଖା ଦେଇଥିଲା। ଏନେଇ ବିଜେପି ପକ୍ଷରୁ ଥାନା ସମ୍ମୁଖ ଜାତୀୟ ରାଜପଥ ୨୬କୁ ଅବରୋଧ କରାଯାଇଥିଲା। ଭୋର ୪ଟାରେ ବିଜେପିର ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା। ଜୁନାଗଡ଼ ଥାନାରେ ଉଭୟ ବିଜେପି ଓ ବିଜେଡି ପକ୍ଷରୁ ଲିଖିତ ଅଭିଯୋଗ କରିବା ପରେ ୨ଟି ପୃଥକ ମାମଲା ରୁଜୁ ହେବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ ଜୁନାଗଡ ସହରର ୱାର୍ଡ ନଂ-୨ରେ ବିଜେପି କାଉନ୍‌ସିଲର ପ୍ରାର୍ଥୀଙ୍କ ଘରେ ବିରିଆନି ବଣ୍ଟା ଯାଉଥିବା ଅଭିଯୋଗ ନେଇ ବିଜେଡି କାଉନସିଲର ପ୍ରାର୍ଥୀ ସଦଳ ବଳେ ସେଠାରେ ପହଞ୍ଚି ଫିଙ୍ଗା ଫୋପଡା କରି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଥିଲା। ଏପରି କାଣ୍ଡ କରଥିବା ବିଜେଡି ନେତା ଓ କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଦାବି କରି ବିଜେପି ପକ୍ଷରୁ ଜୁନାଗଡ ଥାନା ସମ୍ମୁଖରେ ଜାତୀୟ ରାଜପଥ ୨୬ ଉପରେ ରାସ୍ତାରୋକ କରାଯାଇଥିଲା। ଘଟଣାସ୍ଥଳରେ ଧର୍ମଗଡ଼ ପୁଲିସ ଏସଡିପିଓ ଓ ଜୁନାଗଡ ତହସିଲଦାର ମାଜିଷ୍ଟ୍ରେଟ୍‌ ଦାୟିତ୍ବରେ ପହଞ୍ଚିଥିଲେ। ରାତିରେ ଦ୍ବିପକ୍ଷ ବିରୋଧରେ ୨ଟି ପୃଥକ ମାମଲା ଜୁନାଗଡ ଥାନାରେ ରୁଜୁ ହୋଇଛି। ଗୁରୁବାର ଭୋର ୪ଟାରେ ବିଜେପିର ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା। ବିଜେଡିର ଦାଦାଗିରି ନେଇ ବିଜେପି କର୍ମୀମାନଙ୍କ ମଧ୍ୟରେ ତୀବ୍ର ଉତ୍ତେଳନା ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର