ନରସିଂହପୁର : କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ କାଠଖୁଣ୍ଟ ପଞ୍ଚାୟତରେ ପ୍ରାକ୍ ନିର୍ବାଚନୀ ହିଂସା ହୋଇଛି। ଗତକାଲି ବିଳମ୍ବିତ ରାତିରେ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ସୁଶୀଲ କୁମାର ମଲ୍ଲିକଙ୍କ ଘର ଉପରକୁ କେହି ଦୁର୍ବୃତ୍ତ ବୋମାମାଡ଼ କରିଥିବା ନରସିଂହପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି।
ଅଭିଯୋଗ ମୁତାବକ, ଗତକାଲି ବିଳମ୍ବିତ ରାତିରେ କାଠଖୁଣ୍ଟ ଗ୍ରାମର ସରପଞ୍ଚ ପ୍ରାର୍ଥୀ ସୁଶୀଲ ପ୍ରଚାର ସାରି ଘରକୁ ଆସି ଶୋଇଥିଲେ। ରାତି ପ୍ରାୟ ସାଢ଼େ ୧ଟାରେ ଦୁର୍ବୃତ୍ତମାନେ ତାଙ୍କ ଘର ଉପରକୁ ବୋମାମାଡ଼ କରି ଚମ୍ପଟ ମାରିଥିଲେ। ଏଥିରେ ତାଙ୍କ ଘରର ଆଜବେଷ୍ଟସ୍ ଉଡ଼ି ଯାଇଥିଲା। ପ୍ରଚଣ୍ଡ ଶବ୍ଦ ଶୁଣି ସୁଶୀଲଙ୍କ ପରିବାର ଓ ପଡ଼ୋଶୀମାନେ ବାହାରକୁ ଆସିଥିଲେ। ଏହି ସମୟରେ ନିକଟସ୍ଥ ମା ବ୍ରାହ୍ମଣୀଦେଈଙ୍କ ମନ୍ଦିର ନିକଟରେ ଏକ ଗାଡ଼ି ରହିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଗାଡ଼ି ନିକଟରେ ଥିବା ଗ୍ରାମର ମାନସ ସାମଲ, ଶିଶିର ରାଉତ ଓ ସୁଶାନ୍ତ ରାଉତ ସୁଶୀଲଙ୍କୁ ଗାଳିଗୁଲଜ କରିବା ସହ ପ୍ରଚାରକୁ ଗଲେ ଜୀବନରୁ ମାରିଦେବେ ବୋଲି ଧମକ ଦେଉଥିବା ଶୁଣିବାକୁ ପାଇଥିଲେ ବୋଲି ସୁଶୀଲ ଅଭିଯୋଗରେ ଦର୍ଶାଇଛନ୍ତି। ଉକ୍ତ ଅଭିଯୋଗ ଆଧାରରେ ନରସିଂହପୁର ଥାନାରେ ଏକ ମାମଲା (କେସ୍ ନମ୍ବର-୩୭/୨୨) ରୁଜୁ କରାଯାଇ ତଦନ୍ତ ଜାରି ରହିଛି ବୋଲି ପୁଲିସ ସୂଚନା ଦେଇଛି। ଉକ୍ତ ଘଟଣାକୁ ନେଇ ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/narasinghpur.jpg)