ପୁରୀ/ଯାଜପୁର/ଅନୁଗୁଳ : ବୁଧବାର ଦିନ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍ଗ୍ରହଣ କରାଯାଇଛି। ତେବେ, କେତେକ ସ୍ଥାନରେ ବାଲାଟ୍ ବାକ୍ସ ଲୁଟ୍ କରିଥିବା ଭଳି ଘଟଣା ସାମ୍ନାକୁ ଆସିଛି।
ସେଥିମଧ୍ୟରୁ ପୁରୀ ଜିଲ୍ଲର ଦୁଇଟି ବୁଥ୍ରୁ ବାଲଟ୍ ବାକ୍ସ ଲୁଟ୍ କରାଯାଇଛି। ବ୍ରହ୍ମଗିରି ବ୍ଲକ ଚାପମାଣିକ ପଞ୍ଚାୟତ କାଶିଝରିଆ ଗାଁ ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ୮ ଓ ୯ ନମ୍ବର ବୁଥ୍ରେ ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ଦୁର୍ବୃତ୍ତମାନେ ୯ ନମ୍ବର ବୁଥ୍ର ଭୋଟ ବାକ୍ସକୁ ଲୁଟି ନେଇଥିଲେ। କୃଷ୍ଣପ୍ରସାଦ ବ୍ଲକ ଅଲଣ୍ଡା ର ୯ ନମ୍ବର ବୁଥ୍ରୁ ମଧ୍ୟ ଭୋଟବାକ୍ସ ଲୁଟ୍ ଅଭିଯୋଗ ହୋଇଛି।
ଯାଜପୁର ଜିଲ୍ଳାର ସୁଜନପୁର ପଞ୍ଚାୟତର ଦୁର୍ଗାପୁର ଅଙ୍ଗନବାଡ଼ି କେନ୍ଦ୍ର ବୁଥ ନଂ ୧ରେ ଦୁର୍ବୃତ୍ତମାନେ କବାଟ ବାଡ଼େଇ ଭାଙ୍ଗି ଦେବାସହିତ ବାଲାଟ ପେପର ଓ ଷ୍ଟାମ୍ପକୁ ନେଇ ପଳାଇଥିଲେ।
ସେହିଭଳି, ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଲକ୍ ନିହଲପ୍ରସାଦ ପଞ୍ଚାୟତର ୪ଟି ମତଦାନ କେନ୍ଦ୍ରରେ ହିଂସାକାଣ୍ଡ ଘଟିଛି। ୩ଟି ମତଦାନ କେନ୍ଦ୍ରରେ କିଛି ବ୍ୟକ୍ତି ଜବରଦସ୍ତ ପଶି ଗଣ୍ଡଗୋଳ କରିବା ଫଳରେ ସେଠାରେ ଭୋଟଦାନ ବନ୍ଦ ହୋଇଥିବାବେଳେ ଆଉ ଏକ ମତଦାନ କେନ୍ଦ୍ରରେ ପ୍ରିଜାଇଡିଂ ଅଫିସର୍ଙ୍କୁ ଆକ୍ରମଣ କରି ଦୁର୍ବୃତ୍ତମାନେ ଗୋଟିଏ ଭୋଟ୍ ବାକ୍ସ ଉଠାଇନେଇଛନ୍ତି। ଆକ୍ରମଣରେ ପ୍ରିଜାଇଡିଂ ଅଫିସର୍ଙ୍କ ମୁଣ୍ଡ ଫାଟିଯାଇଛି। ତାଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପୁରୀରେ ଖଣ୍ଡା, ଫାର୍ସାରେ ଆକ୍ରମଣ; ୪ ଆହତ, ଗଣମାଧ୍ୟମ ପ୍ରତିନିଧି ବି ବର୍ତ୍ତିଲେନି, ଯାଜପୁରରେ ପୁଲିସ ଗାଡ଼ି ଭଙ୍ଗାରୁଜା
ପୁରୀ/ବ୍ରହ୍ମଗିରି : ବୁଧବାର ଦିନ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ସମୟରେ ବିଭିନ୍ନ ସ୍ଥାନରେ ସଂଘର୍ଷ ଘଟିଛି। ଏପରିକି, ଖଣ୍ଡା,ଫାର୍ସା ଉଠିବା ଭଳି ଘଟଣା ସାମ୍ନାକୁ ଆସିଛି। ଏଥିରେ ବହୁଲୋକ ଆହତ ହୋଇଛନ୍ତି।
ପୁରୀ ଜିଲ୍ଲା ଅନ୍ତର୍ଗତ ବ୍ରହ୍ମଗିରି ବ୍ଲକ୍ ରାହଡମଲ୍ଲ ପଞ୍ଚାୟତ ନିଶିଭଅଁର ଗାଁରେ ଦୁଇ ରାଜନୈତିକ ଦଳ ଭିତରେ କଥା କଟାକଟି ପରେ ବୁଥ୍ରେ ଭିତରେ କାଠ ଫାଳିଆ, ଖଣ୍ଡା, ଫାର୍ସା ଆଦି ମାରଣାସ୍ତ୍ର ଉଡ଼ିଛି। ନିଶିଭଅଁରର ୮ ନମ୍ବର ବୁଥ୍ରେ ମତଦାନ ବେଳେ ହଠାତ୍ କିଛି ଦୁର୍ବୃତ୍ତ ପହଞ୍ଚି ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ ଭୋଟ ଦେବାକୁ କହିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ଦୁର୍ବୃତ୍ତମାନେ ଉପସ୍ଥିତ ଲୋକଙ୍କୁ କାଠ ଫାଳିଆ, ଖଣ୍ଡା, ଫାର୍ସାରେ ଆକ୍ରମଣ କରିଥିଲେ। ଏଥିରେ ୪ଜଣ ଆହତ ହୋଇଛନ୍ତି। ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। କଣାସ ବ୍ଲକରେ ବି ବୁଥ୍ ଦଖଲ ଉଦ୍ୟମ ହୋଇଛି। ଯେଉଁଥିପାଇଁ ଆଜି ତିନୋଟି ବୁଥ୍ର ମତଦାନ ଅଧାରୁ ବନ୍ଦ କରି ଦିଆଯାଇଛି। ଏଠାରେ ଖବର ପ୍ରସାରଣ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଛି।
ଯାଜପୁର ବ୍ଲକ୍ ଝାଲପଡ଼ା ପଞ୍ଚାୟତ କାକୁଡ଼ିକୁଦ ନୀଳକଣ୍ଠପୁର ପ୍ରାଥମିକ ବିଦ୍ୟାଳୟର ୧୦ ଓ ୧୧ ନମ୍ବର ବୁଥ ଜବରଦଖଲ ପ୍ରତିବାଦରେ ଲୋକମାନେ ପଥର ମାଡ଼ କରିଛନ୍ତି। ଏଥିରେ ୩ଟି ପୁଲିସ ଭ୍ୟାନ ଭାଙ୍ଗିବା ସହିତ ଜଣେ ମହିଳା ପୁଲିସ ଗୁରୁତର ହୋଇଛନ୍ତି। ୧୦ ନମ୍ବର ବୁଥ୍ର କେତେକ ଦୁର୍ବୃତ୍ତ ପ୍ରିଜାଇଡିଂ ଅଧିକାରୀଙ୍କୁ କାବୁ କରି ଜବରଦସ୍ତ ଭୋଟ ଦେଉଥିବାବେଳେ ବିପକ୍ଷ ଦଳ ତରଫରୁ ଏହାକୁ ବିରୋଧ କରାଯାଇଥଲା। ଉତ୍ତ୍ୟକ୍ତ ଲୋକମାନେ ପୁଲିସକୁ ମାଡ଼ ମାରିବା ସହିତ ଟେକାପଥର ଫିଙ୍ଗିଥିଲେ। ତିନୋଟି ପୁଲିସ ଗାଡ଼ିକୁ ଭଙ୍ଗାରୁଜା କରିଥିଲେ।